ଉତ୍ତର ଭୁବନେଶ୍ୱରରୁ ସ୍ୱାଧୀନପ୍ରାର୍ଥୀ ବିଭୂତି ଭୂଷଣ ସ୍ୱାଇଁଙ୍କ ନାମାଙ୍କନ ପତ୍ର ଦାଖଲ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ୧୦୩ ଉତ୍ତର ଭୁବନେଶ୍ୱର ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ କର୍ମଚାରୀ ନେତା ବିଭୂତି ଭୂଷଣ ସ୍ୱାଇଁ ଆଜି ନିଜର ଶତାଧିକ ସମର୍ଥକଙ୍କ ସହ ସ୍ଥାନୀୟ ବି.ଏମ୍.ସି. କାର୍ଯ୍ୟାଳୟଠାରୁ ଶୋଭାଯାତ୍ରାରେ ଆସି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସୂଚନାଯୋଗ୍ୟ ଯେ ସ୍ୱାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର କର୍ମଚାରୀ ସଂଘର ପୂର୍ବତନ ସଭାପତି । ସ୍ୱାଇଁ ଜଣେ ନିର୍ବାଚିତ ପ୍ରତିନିଧି ଭାବେ ରାଜ୍ୟର ଅନେକ କର୍ମଚାରୀ ସଂଘର ଦାୟିତ୍ୱରେ ରହି ନିଜର କାର୍ଯ୍ୟ ଦକ୍ଷତା ଓ ଦୃଢ଼ ନେତୃତ୍ୱର ପରିଚୟ ଦେଇସାରିଛନ୍ତି । ଜଣେ ପରୋପକାରୀ, ନୀତିବାନ୍ ଓ ସେବା ସମର୍ପିତ ଚେହେରା ଭାବେ ସ୍ୱାଇଁ କର୍ମଚାରୀ, ଛାତ୍ର ଓ ଯୁବକମାନଙ୍କ ଭିତରେ ଏକ ବେଶ ଜଣାଶୁଣା ବ୍ୟକ୍ତି ।
ଆଜି ତାଙ୍କର ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବା ନିଷ୍ପତ୍ତି ବିଶ୍ୱବିଦ୍ୟାଳୟ କାହିଁକି ଅନେକ ଜାଗାରେ ବୁଦ୍ଧିଜୀବିମାନଙ୍କ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଦେଖା ଯାଉଥିବା ବିକାଶ ଏକ ପରିବେଶ ଅନୁକୂଳ ଓ ସନ୍ତୁଳିତ ବିକାଶ ହେଲେ ସମାଜର ସବୁବର୍ଗର ଲୋକଙ୍କ ପାଇଁ ଉପକାର ହୋଇପାରିବ ବୋଲି ତାଙ୍କର ମତ ରହିଛି ।