ଉତ୍ସବରେ ବ୍ଲକ ସଭାପତିକୁ ଅଣଦେଖାକୁ ନେଇ ଉତେଜନା
ନାଉଗାଁ :ନବନିର୍ବାଚିତ ଜଗତସିଂହପୁର ବିଧ୍ୟାୟକ ପ୍ରଶାନ୍ତ ମୁଦୁଲି ଓ ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କୁ ନାଉଗାଁ ବିଜେଡି ତରଫରୁ ବୁଧବାର ନାଉଗାଁ ବଜାରସ୍ଥିତ ସୂର୍ଯ୍ୟମଣ୍ଡପ ଠାରେ ସମ୍ବର୍ଦ୍ଧିତ କରାଯିବାର ଆୟୋଜନ କରାଯାଇଥିଲା । ନାଉଗାଁ ବିଜୁ ଜନତା ଦଳର ବ୍ଲକ ସଭାପତି ସୁଜିତ ମଲ୍ଲିକଙ୍କ ନେତୃତ୍ୱରେ ପ୍ରଥମେ ଅଲଣାହାଟ ନୁଆପାଟଣା ଛକ ଠାରୁ ବିଧ୍ୟାୟକ ଶ୍ରୀ ମୁଦୁଲି ଓ ସାଂସଦ ଶ୍ରୀମତୀ ମଲ୍ଲିକଙ୍କୁ ସ୍ୱାଗତ କରାଯାଇଥିଲା । ପରେ ବିଜେଡି କର୍ମୀଙ୍କ ଦ୍ୱାରା ଶତାଧିକ ବାଇକ ଯୋଗେ ଏକ ଶୋଭାଯାତ୍ରା ନାଉଗାଁ ବଜାରର ସୂର୍ଯ୍ୟମଣ୍ଡପରେ ପହଁଚିଥିଲା । କିନ୍ତୁ ଏହି ସମ୍ବର୍ଦ୍ଧନା ସଭାରେ ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ ସଭାପତିତ୍ୱ କରିଥିଲେ । ଫଳରେ ବ୍ଲକ ବିଜେଡି ସଭାପତି ସୁଜିତ ମଲ୍ଲିକ ସଭା ପରିଚାଳନା ପାଇଁ ସୁଯୋଗ ପାଇ ନଥିଲେ । ଯାହାକୁ ନେଇ ସଭାପତିଙ୍କ ସମର୍ଥକମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ହୋ ହାଲ୍ଲା କରି ସଭାସ୍ଥଳ ଛାଡି ପଳାଇଯାଇଥିଲୋ । ଯାହାକୁ ନେଇ କିଛି ସମୟ ପାଇଁ ସମ୍ବର୍ଦ୍ଧନା ଉତ୍ସବରେ ଉତେଜନା ଦେଖା ଦେଇଥିଲା । ଏହି କାର୍ଯ୍ୟକ୍ରମରେ ୧୬ଟି ପଂଚାୟତର ଶତାଧିକ ବିଜେଡି କର୍ମୀ,ସରପଂଚ ପ୍ରାର୍ଥୀ,ସମିତି ସଭ୍ୟ ପ୍ରମୁଖ ଯୋଗ ଦେଇ ଅତିଥିମାନଙ୍କୁ ପୁଷ୍ପଗୁଛ ଦେଇ ଭବ୍ୟ ସମ୍ବର୍ଦ୍ଧନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଟ ବିଜେଡି ନେତା ଅଜୟ ମହାନ୍ତି ସ୍ୱାଗତ ଭାଷଣ ଦେଇ ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ଓ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମୁଦୁଲି ଏହାକୁ ମୁଁ ସମ୍ବର୍ଦ୍ଧନା ଉତ୍ସବ ଭାବେ ଗ୍ରହଣ ନକରି ନାଉଗାଁବାସୀଙ୍କ ପାଇଁ ମୋର ତରଫରୁ କୃତଜ୍ଞତା ଜଣାଇବା ପାଇଁ ଆୟୋଜିତ କାର୍ଯ୍ୟକ୍ରମ ବୋଲି କହିବା ସହିତ ନବୀନ ପଟ୍ଟନାୟକଙ୍କ ଦ୍ୱାରା କରାଯାଇଥିବା କଲ୍ୟାଣକାରୀ ଯୋଜନା କିପରି ନାଉଗାଁ ଅଂଚଳରେ ସଠିକ କାର୍ଯ୍ୟକାରୀ କରାଯିବଏହାରେ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ । ସେହିପରି ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ନାଉଗାଁ ବାସୀ କୃତଜ୍ଞତା ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରୟଦର୍ଶିନୀ ବିଶ୍ୱାଳ,ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁ,ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରକାଶ ବସ୍ତିଆ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଏଲିନା ଦାସ,ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା, କୋରୁଅ ସରପଂଚ ଅରଣ୍ୟ ନାୟକ, ଯୁବନେତା ବିସ୍ମୟାନନ୍ଦ ସ୍ୱାଇଁ,ତରୁଣକାନ୍ତ ବାରିକ, ତାପସ ଦାସ, ବିଜେଡି ଯୁବ ସଭାପତି ପ୍ରତ୍ୟୁଷ ପରିଡା,ପୃଥିରାଜ ମହାନ୍ତି, ଓମ ପ୍ରକାଶ ନାୟକ,ସମୀର ଦାସ, ଅକ୍ଷୟ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ନାଉଗାଁ ବ୍ଲକରେ ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସଙ୍କର ସମର୍ଥକ ଥିବା ବେଳେ ତାଙ୍କର ସଭାରେ ଅନୁପସ୍ଥିତିକୁ ନେଇ ଦଳୀୟ ମହଲରେ ଟୁପୁର ଟାପୁର ହେଉଥିବା ଶୁଣିବାକୁ ମିଳୁଥିଲା । ନାଉଗାଁ ବ୍ଲକକୁ ପ୍ରଶାନ୍ତ ବିଧାୟକ ହେବାରେ ପ୍ରଥମ ଗ୍ରସ୍ତରେ ଏଭଳି ଅପ୍ରତିକର ପରିସ୍ଥିତରେ ସମ୍ବର୍ଦ୍ଧନା ଉତ୍ସବ ଆଗାମୀ ଦିନରେ ନାଉଗାଁ ଅଂଚଳ ପାଇଁ ଶୁଭଙ୍କର ନୁହେଁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
(ଫଟୋ)