ଉତ୍ସାହ ଉଦ୍ଦିପନା ଥିବା ସତ୍ତ୍ୱେ କମୁଛି ପାରମ୍ପାରିକ ଦୀପର ଚାହିଦା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଚଳିତବର୍ଷ କରୋନା ଯୋଗୁ ସମସ୍ତ ପର୍ବପର୍ବାଣୀ ପ୍ରାୟତଃ ଫିକା ପଡିଯାଇଛି । ଗତ ଏପ୍ରିଲ ମାସ ରାମନବମୀ ଠାରୁ ଏଯାବତ ଯେତେ ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ମାନ କରାଯାଇଛି ସବୁ ନିରାଡମ୍ବର ଭାବେ ପାଳନ ହୋଇଛି । ଆଜି ଚଳିତବର୍ଷର ଶେଷ ଉତ୍ସବ ଆଲୋକର ପର୍ବ ଦୀପାବଳୀ । ଏହା ମଧ୍ୟ ନିରାଡମ୍ବର ଭାବେ ପାଳନ ହେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । କରୋନା ମହାମାରୀ ସହିତ ପ୍ରଦୂଷଣ ରୋକିବା ପାଇଁ ବାଣ ଫୁଟାଇବା ଓ ବିକ୍ରି କରିବା ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଥିବା ବେଳେ କେବଳ ଦୀପ ବ୍ୟବହାର ପାଇଁ ସମସ୍ତଙ୍କୁ କୁହାଯାଇଛି । ଦୀପକୁ ନେଇ ଆଲୋକର ପର୍ବ ଦୀପାବଳିର ନାମକରଣ ଯଥାର୍ଥ ରହିଥିବାରୁ ବଜାରରେ ବିଭିନ୍ନ ରଙ୍ଗ ବେରଙ୍ଗର ଦୀପ ବିକ୍ରୟ ହେଉଥିବା ଦେଖିବାକୁ ମିଳିଛି । ଏହିକ୍ରମରେ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳର ମଞ୍ଜୁରୀରୋଡ, ମାଳଦା, ରାଢୋ, ଆଖୁଆପଦା, ବାରିକପୁର, ସରସଦା ପ୍ରମୁଖ ବଜାର ଗୁଡିକରେ ପାରମ୍ପରିକ ମାଟି ଦୀପ ସହିତ ଅନ୍ୟାନ୍ୟ ରଙ୍ଗ ବେରଙ୍ଗର ଦୀପ ବିକ୍ରି ହେଉଛି । ପର୍ବ ପାଳନ ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଉଦ୍ଦିପନା ଥିଲେ ସୁଦ୍ଧା ପାରମ୍ପାରିକ ଭାବେ ତିଆରି ହୋଇଥିବା ଦୀପ ଗୁଡିକ ସେତେ ବିକ୍ରି ହେଉନଥିବା ବିଭିନ୍ନ ସ୍ଥାନର ବ୍ୟବସାୟୀ ମାନେ ଜଣାଇଛନ୍ତି । ଏପରିକି ଭଦ୍ରକ କଲେଜର କଳା ଭାସ୍କର୍ଯ୍ୟ ବିଭାଗର ଛାତ୍ର ଅବିନାଶ ସାହୁ ନିଜ ବିଦ୍ୟାକୁ ବିନିଯୋଗ କରି ଆଜକୁ ମାସେ ଦେଢମାସ ହେବ ବିଭିନ୍ନ ଆକୃତିର ଦୀପ ତିଆରି କରିଥିଲେ । ଦୀପାବଳି ପାଇଁ ନିଜ ଗ୍ରାମ ପିରିପୁର ଠାରେ ମାଟି କଦୁଆରେ ସୁନ୍ଦର ସୁନ୍ଦର ଦୀପ ତିଆରି କରିଥିଲେ । ଯାହାକୁ ସେ କିଛିଦିନ ହେବ ଭଣ୍ଡାରିପୋଖରୀ ଲକ୍ଷ୍ମୀ ବଜାର ଠାରେ ବିକ୍ରୟ କରୁଛନ୍ତି । ୧ଟଙ୍କା ଠାରୁ ଆରମ୍ଭ କରି ୪୦ଟଙ୍କା ପର୍ଯ୍ୟନ୍ତ ଦୀପର ମୂଲ୍ୟ ଥିବାବେଳେ ବେପାର ସେତେ ଆଖିଦୃଶିଆ ହେଉନଥିବା ଅବିନାଶ କୁହନ୍ତି । ପାଶ୍ଚାତ୍ୟ ଅନୁଗାମୀ ଲୋକେ ବିଭିନ୍ନ ଇଲୋକ୍ଟ୍ରନିକ ଲାଇଟକୁ ବ୍ୟବହାର ପାଇଁ ପସନ୍ଦ କରୁଥିବାବେଳେ କଳା ଭାସ୍କର୍ଯ୍ୟପୂର୍ଣ୍ଣୂ ପାରମ୍ପାରକି ଦୀପଟିଏ କିଣିବାକୁ କୁଣ୍ଠାବୋଧ କରୁଛନ୍ତି । ବହୁ ପରିଶ୍ରମ କରି ଦୀପାବଳି ପାଇଁ ମାଟି କାଦୁଅରେ ବିଭିନ୍ନ କିସମର ଦୀପ ତିଆରି କରିଥିଲେ ସୁଦ୍ଧା ଆଗଭଳି ସେତେ ବିକ୍ରି ହେଉନଥିବା ସେ ଜଣାଇଛନ୍ତି । ଅନୁରୂପ ଭାବେ ରାଜକିଶୋର ସାହୁ ମଧ୍ୟ ୧୦/୧୫ ପ୍ରକାରର ଦୀପ ବିକୁଥିଲେ ସୁଦ୍ଧା ପରିଶ୍ରମର ଫଳ ମିଳୁନଥିବା ଜଣାଇଛନ୍ତି । ମୋଟାମୋଟି ଭାବେ ପର୍ବପାଳନ ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ରହିଥିଲେ ସୁଦ୍ଧା ଚିନ୍ତା ଚେତନା ପାଶ୍ଚ୍ୟାତ୍ୟ ବଜାର ଅଭିମୁଖି ଥିବାରୁ ପାରମ୍ପରିକ ଦୀପର ଚାହିଦା କମୁଥିବା ଜଣାପଡିଛି ।


