ଉଦଘାଟନର ୧୦ ମାସ ପରେ ବି ଲୋକଙ୍କ କାର୍ଯ୍ୟରେ ଲାଗୁନି କଲ୍ୟାଣ ମଣ୍ଡପ 

ରାୟଗଡ଼ା,(ଦୁର୍ଗାପ୍ରସାଦ ପାଢ଼ୀ):ରାୟଗଡ଼ା ଜିଲ୍ଲାକୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ସଦର ସ୍ଥିତ ଆମ୍ବ ତୋଟା ନିକଟରେ ନିର୍ମାଣ କରାଯାଇଥିବା କଲ୍ୟାଣ ମଣ୍ଡପ ଉଦଘାଟନର ୧୦ ମାସ ପରେ ମଧ୍ୟ ବ୍ୟବହାର ହେଉ ନାହିଁ | ଯଦି ଏଭଳି ଅବସ୍ଥାରେ ପଡ଼ି ରହେ ତାହେଲେ ଦିନକୁ ଦିନ କଲ୍ୟାଣ ମଣ୍ଡପ ନଷ୍ଟ ହେବା ଆଶଙ୍କା ରହିଛି ଏବଂ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ବୁଡି ଯିବା ଭଳି ଘଟଣା ଦେଖିବାକୁ ମିଳିଛି ମୁକୁନ୍ଦପୁର ଗ୍ରାମରେ ନିର୍ମିତ କଲ୍ୟାଣ ମଣ୍ଡପରେ | ସୂଚନା ମୁତାବକ, ଲୋକଙ୍କ ସୁବିଧା ଦୃଷ୍ଟିରୁ ଗ୍ରାମବାସୀଙ୍କ ବିବାହ, ବ୍ରତ, ବୈଠକ ସହ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ବ୍ୟବହାର ନିମନ୍ତେ ଗତ ବର୍ଷ ୨୦୨୧-୨୨ ଆର୍ଥିକ ବର୍ଷରେ ୩୫ ଲକ୍ଷ ଟଙ୍କା ବ୍ୟୟରେ ସ୍ଥାନୀୟ ଆମ୍ବ ତୋଟାରେ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା | ନିର୍ମାଣ କାର୍ଯ୍ୟ ସମାପ୍ତ ପରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା ଗତବର୍ଷ ଡ଼ିସେମ୍ବର ୧୩ ତାରିଖରେ ଏହି କଲ୍ୟାଣ ମଣ୍ଡପକୁ ଉଦଘାଟନ କରିଥିଲେ | କିନ୍ତୁ ଉଦଘାଟନର ୧୦ ମାସ ପରେ ମଧ୍ୟ ଉକ୍ତ କଲ୍ୟାଣ ମଣ୍ଡପ ଆଜି ପର୍ଯ୍ୟନ୍ତ ବ୍ୟବହାର କରାଯାଉ ନାହିଁ | କଣ ପାଇଁ ବ୍ୟବହାର ହେଉନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି | କଲ୍ୟାଣ ମଣ୍ଡପ ବ୍ୟବହାର ହୁଏ ତାହେଲେ ପଞ୍ଚାୟତକୁ ମଧ୍ୟ କିଛି ରାଜସ୍ବ ଆଦାୟ ହୋଇ ପାରିଥାନ୍ତା | ଅନ୍ୟପକ୍ଷେ କଲ୍ୟାଣ ମଣ୍ଡପକୁ କୌଣସି ବ୍ୟକ୍ତି ବିଶେଷ କିମ୍ବା କୌଣସି ମହିଳା ମଣ୍ଡଳୀକୁ ଲିଜ ଆକାରରେ ଦେଇ ହସ୍ତାନ୍ତର କରାଯିବା ଭଳି ବ୍ଲକ କିମ୍ବା ପଞ୍ଚାୟତ ତରଫରୁ ସେମିତି କିଛି ନୋଟିସ ଆଜି ପର୍ଯ୍ୟନ୍ତ ଜାରି କରାଯାଇ ନାହିଁ | ଯଉ ଫଳରେ ତାହା ବ୍ୟବହାର ନ ହୋଇ ସେମିତି ରହିଛି | ଯଦି କାହାକୁ ଲିଜ ଆକାରରେ ଦିଆଯାଏ ତାହେଲେ ସେ କିଛି ଟଙ୍କା ରୋଜଗାର କରି ନିଜ ପେଟ ପାଟଣା କରି ପାରି ଥାନ୍ତେ ବୋଲି ମତ ପାଇଛି | ଏହି କିଛି ସପ୍ତାହ ତଳେ ପଞ୍ଚାୟତ ତରଫରୁ ଆମ୍ବ ତୋଟା, ପୋଖରୀ ଓ ତେନ୍ତୁଳି ତୋଟା ଆଦି ନିଲାମ କରାଯାଇ ଥିଲା | ସେହି ସମୟରେ ଉକ୍ତ କଲ୍ୟାଣ ମଣ୍ଡପକୁ ନିଲାମ କରାଯାଇ ଥିଲେ ହୁଏତ ତାହା ବ୍ୟବହାର ହୋଇପାରି ଥାନ୍ତା | ଯଦି କଲ୍ୟାଣ ମଣ୍ଡପର ଉପକାରିତା ସମ୍ପର୍କରେ ଲୋକଙ୍କୁ ପଞ୍ଚାୟତ ତରଫରୁ ସଚେତନ କରାଯାଏ ହୁଏତ ତାହା ବ୍ୟବହାର ହୋଇ ପାରିବ | ତେଣୁ ଜିଲ୍ଲା ଓ ବ୍ଲକ ପ୍ରଶାସନ ଉକ୍ତ କଲ୍ୟାଣ ମଣ୍ଡପଟିକୁ କିପରି କାର୍ଯ୍ୟକ୍ଷମ ହୋଇ ପାରିବ ସେ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ