ଉଦଘାଟିତ ହେଲା କୋଣାର୍କ ବସଷ୍ଟାଣ୍ଡ ଶୌଚାଳୟ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : ୩୧ ଅଗଷ୍ଟ ୨୦୧୯ ସ୍ୱାୟତ୍ତ ଶାସନ ଦିବସ ଅବସରରେ ମାନ୍ୟବର ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ଦ୍ଵାରା ପ୍ରାୟ ୧୫ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ଶିଳାନ୍ୟାସ ଦିଆଯାଇଥିବା କୋଣାର୍କ ବସଷ୍ଟାଣ୍ଡ କମ୍ୟୁନିଟି ଶୌଚାଳୟ ଶୁକ୍ରବାର ଅପରାହ୍ନରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଉଦଯାପିତ ହୋଇଯାଇଛି । ନିର୍ମାଣକୁ ଦୀର୍ଘ ୨ ବର୍ଷ ଲାଗି ଯାଇଥିବା ବେଳେ ପରେ ବିଭିନ୍ନ କାରଣରୁ ୪ ମାସ ହେବ ଉଦଘାଟନ ହୋଇପାରିନଥିଲା । ଏନେଇ ଶୌଚାଳୟ ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସାମାଜିକ କର୍ମୀ ଜ୍ଞାନ ରଞ୍ଜନ ବିଶ୍ଵାଳ ଓ ସାମ୍ୱାଦିକ ଭାଗିରଥୀ ସ୍ଵାଇଁ ବିଭିନ୍ନ ଗଣମାଧ୍ୟମ ସହ ଶ୍ରୁତି ଖବର ଜରିଆରେ ଖବର ପ୍ରକାଶ କରି ସାମାଜିକ ଗଣମାଧ୍ୟମ ଟୁଇଟର ଓ ଫେସବୁକ୍ ମାଧ୍ୟମରେ ଅଭିଯୋଗ କରିବା ସହ ବ୍ୟକ୍ତିଗତ ଭାବେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ସମସ୍ୟା ଉପରେ ଅବଗତ କରାଇଥିଲେ । ଏହାକୁ ଗୁରୁତ୍ଵ ଦେଇ ମାନ୍ୟବର ମନ୍ତ୍ରୀ ତୁଷାରକାନ୍ତି ବେହେରା ଶୁକ୍ରବାର କୋଣାର୍କ ବସଷ୍ଟାଣ୍ଡ ଶୌଚାଳୟ କୁ ଶୁକ୍ରବାର ଅପରାହ୍ନରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଉଦଯାପିତ କରିଛନ୍ତି । ଶୌଚାଳୟଟିକୁ ପ୍ରାଥମିକ ଭାବରେ କୋଣାର୍କ ଏନଏସି ପକ୍ଷରୁ ଏହାର ରକ୍ଷଣାବେକ୍ଷଣ କରାଯିବ ଓ ପରବର୍ତ୍ତୀ ପର୍ଯ୍ୟୟରେ ଟେଣ୍ଡର ମାଧ୍ୟମରେ ଏହା କାର୍ୟ୍ୟକ୍ଷମ ହେବ ବୋଲି ଉଦଘାଟନୀ ଅବସରରେ ଯୋଗ ଦେଇଥିବା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା ସୂଚନା ଦେଇଛନ୍ତି । ଶୌଚାଳୟ ଉଦଘାଟନ ଫଳରେ କୋଣାର୍କକୁ ଆସୁଥିବା ପର୍ଯ୍ୟଟକ, ମହିଳା ଓ ଛାତ୍ରଛାତ୍ରୀ ମାନେ ଶୌଚ ହେବାକୁ ଦୀର୍ଘ ଦିନରୁ ଭୋଗୁଥିବା ଅସୁବିଧାରୁ ତ୍ରାହି ପାହିବେ ବୋଲି ଜଣାଯାଉଛି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ କୋଣାର୍କ ଏନଏସି କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ ମିଶ୍ର, ନୋଡାଲ ଅଫିସର ଭାଗିରଥୀ ସ୍ଵାଇଁ, ବରିଷ୍ଠ ବିଜେଡ଼ି ନେତା ଗୋପାଳ ବେହେରା, ଯୁବନେତା ସୁଶାନ୍ତ ବେଉରା, ଧର୍ମପଦ ପରିଡ଼ାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।