ଉଦନ୍ତୀ ବ୍ୟାରେଜ ନିର୍ମାଣକୁ ନେଇ ସ୍ୱତନ୍ତ୍ର ଗ୍ରାମସଭା

ସିନାପାଲି,(ଲିଲାମ୍ବର ନାଗ): ପୂର୍ବ ସରକାର ସମୟରେ ଶୁଭାରମ୍ଭ ହୋଇଥିବା ବହୁ ପ୍ରତୀକ୍ଷିତ ଉଦନ୍ତୀ ବ୍ୟାରେଜ ନିର୍ମାଣ ପ୍ରକଳ୍ପକୁ ନେଇ ଏକ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜିତ ହୋଇଯାଇଛି। ପ୍ରକଳ୍ପ ନିକଟବର୍ତ୍ତୀ ସରଧାପୁର ଓ କାଠିବାଡ଼ି ଗ୍ରାମବାସୀଙ୍କ ସହଭାଗିତାରେ ଏହି ଗ୍ରାମସଭାରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା।
ଗ୍ରାମସଭାରେ ବିସ୍ଥାପନ ଓ ପରିବେଶ ମଞ୍ଜୁରୀ ସମ୍ପର୍କିତ ଆଶଙ୍କା ଗ୍ରାମବାସୀଙ୍କ ମଧ୍ୟରେ ପ୍ରମୁଖ ଭାବେ ଉଠିଥିଲା। ପ୍ରଶାସନିକ ଅଧିକାରୀମାନେ ପ୍ରକଳ୍ପର ମାନଚିତ୍ର ପ୍ରଦର୍ଶନ କରି ସବିଶେଷ ତଥ୍ୟ ଆଧାରରେ ବୁଝାଇଥିଲେ ଯେ, କେବଳ କେନାଲ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରାଯିବ ଏବଂ ସରକାରୀ ନିୟମାବଳୀ ଅନୁସାରେ ଜମି କିସମ ଆଧାରରେ ଯଥୋଚିତ କ୍ଷତିପୂରଣ ଦିଆଯିବ। କୌଣସି ଚାଷୀଙ୍କ ଘରବାଡ଼ି ପ୍ରକଳ୍ପରେ ମିଶିବ ନାହିଁ ବୋଲି ଦୃଢ ଆଶ୍ୱାସନ ମିଳିବା ପରେ ଗ୍ରାମସଭା ପାରିତ ହୋଇଥିଲା।
ଏହି ବୈଠକରେ ଓଡ଼ିଶା ର ନୂଆପଡ଼ା ଜିଲ୍ଲା ଅଧୀନସ୍ଥ ଅଞ୍ଚଳର ବିଭିନ୍ନ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ସୁର୍ମି ସୋରେନ (ଉପଜିଲ୍ଲାପାଳ), ସିନାପାଲି ତହସିଲଦାର ଉପାଞ୍ଜଳି ମାଝି, ବିଡିଓ କାର୍ମୀ ଓରାମ ସହ ଜଳସମ୍ପଦ ବିଭାଗ, ବନ ବିଭାଗ ଓ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧିମାନେ ଯୋଗଦେଇଥିଲେ। ଗ୍ରାମର ଚାଷୀ, ବୁଦ୍ଧିଜୀବୀ ଓ ସାଧାରଣ ଲୋକମାନେ ମଧ୍ୟ ବୈଠକରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।ଉଲ୍ଲେଖନୀୟ ଯେ, ଗୋଏସିଲ ନିକଟରେ ବ୍ୟାରେଜ ନିର୍ମାଣ ପାଇଁ ସ୍ଥାନ ପୂର୍ବରୁ ଚିହ୍ନଟ ହୋଇଥିଲା ଏବଂ ସେତେବେଳର ଜଳସମ୍ପଦ ମନ୍ତ୍ରୀଙ୍କ ଉପସ୍ଥିତିରେ ଶୁଭ ଦିଆଯାଇଥିଲା। କିନ୍ତୁ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଅନୁମତି ପାଇଁ ପ୍ରକଳ୍ପ ଅପେକ୍ଷାରେ ରହିଥିଲା। ବର୍ତ୍ତମାନ ପୁନର୍ବାର ପ୍ରକଳ୍ପ ନିଷ୍ପାଦନ ପ୍ରତି ଆଶା ସଞ୍ଚାର ହୋଇଛି।
ଏହି ପ୍ରକଳ୍ପ ସଫଳ ହେଲେ ସିନାପାଲି ଓ ବୋଡ଼େନ ଅଞ୍ଚଳରେ ବ୍ୟାପକ ଜଳସେଚନ ସୁବିଧା ମିଳିବ। ମରୁଡ଼ି ପ୍ରଭାବିତ ଏହି ଅଞ୍ଚଳରେ କୃଷିକାର୍ଯ୍ୟରେ ନୂତନ ଜୀବନ ସଞ୍ଚାର ହେବା ସହ ସବୁଜ ବିପ୍ଲବର ଆଶା ଜଗ୍ରୁତ ହୋଇଛି ବୋଲି ଅଞ୍ଚଳବାସୀ ଆଶାବ୍ୟକ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ