ଉଦାହରଣ ସୃଷ୍ଟି କଲେ ମହିଳା: ରାସ୍ତାରେ ପଡିଥିବା ଟଙ୍କା ଉଠାଇ କଲେ ଏଭଳି କାମ
ରାଞ୍ଚିରେ ଜଣେ ମହିଳା କରିଥିବା କାମ ସମାଜରେ ଏବେ ବି ସଚ୍ଚୋଟପଣିଆ ବଞ୍ଚି ରହିଥିବା ନେଇ ପ୍ରମାଣ କରିଛି । କିଛି ଲୋକ ରାସ୍ତାରେ ପଡ଼ିଥିବା ୧୦ଟଙ୍କା ଉଠାଇ ନିଜ ପକେଟରେ ରଖି ଦେଉଥିବାବେଳେ ରାଞ୍ଚିରେ ରହୁଥିବା ରୁପା ଦେବୀ ରାସ୍ତାରେ ପଡ଼ିଥିବା ୫୦,୦୦୦ଟଙ୍କା ବ୍ୟାଙ୍କକୁ ହସ୍ତାନ୍ତର କରିବାକୁ ଚିନ୍ତା କରିଥିଲେ । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ରୁପାଙ୍କ ସଚ୍ଚୋଟପଣିଆକୁ ନେଇ ଲୋକେ ପ୍ରଶଂସା କରିବା ଆରମ୍ଭ କରିଛନ୍ତି ।ସୂଚନା ମୁତାବକ, ରାଞ୍ଚିର କାଙ୍କେ ଅଞ୍ଚଳରେ ରହୁଥିବା ରୁପା ଦେବୀ ନିଜ ଝିଅ ସହ ସନ୍ଧ୍ୟା ୫ଟାରେ ଆଲବର୍ଟ ଏକ୍କା ଚୌକ ଯାଇଥିଲେ । ଦୁହେଁ ଫାଷ୍ଟଫୁଡ୍ ଖାଉଥିବାବେଳେ ରୁପା ଦେବୀ ରାସ୍ତାର ୫୦,୦୦୦ଟଙ୍କା ପଡ଼ିଥିବା ଦେଖିଥିଲେ । ପ୍ରଥମେ ରୁପା ଏହି ଟଙ୍କାକୁ ନକଲି ବୋଲି ଭାବିଥିବାବେଳେ ପରେ ତାହା ଅସଲି ବୋଲି ଜଣାପଡ଼ିଥିଲା । ଏକା ସାଙ୍ଗରେ ୫୦,୦୦୦ଟଙ୍କା ଦେଖି ନଥିବା ରୁପା ପ୍ରଥମେ ଆଶ୍ଚର୍ଯ୍ୟ ହେବା ସହ ଟଙ୍କା ଉପରେ ବ୍ୟାଙ୍କ ଅଫ୍ ଇଣ୍ଡିଆର ସ୍ଲିପ୍ ଦେଖି ସେ ଏହାକୁ ବ୍ୟାଙ୍କରେ ଜମା କରିବାକୁ ଚିନ୍ତା କରିଥିଲେ । କିନ୍ତୁ ହରମୁ ନିବାସୀ ଶିବଚନ୍ଦ୍ର ସିଂହ ଘର କାମ ପାଇଁ ଟଙ୍କା ଉଠାଇବା କଥା ଆଲବର୍ଟ ଏକ୍କା ଚୌକରେ ଥିବା ଜଣେ ଦୋକାନୀଙ୍କୁ ଜଣାଇଥିବାରୁ ସେ ଟଙ୍କା ମିଳିବା କଥା ଶୁଣି ଶିବଚନ୍ଦ୍ର ସିଂହଙ୍କୁ ଖବର ଦେଇଥିଲେ । ଶିବଚନ୍ଦ୍ର ଆଲବର୍ଟ ଏକ୍କା ଚୌକରେ ପହଞ୍ଚି ନୋଟ ବିଡ଼ାଟି ତାଙ୍କର ବୋଲି କହିଥିଲେ । ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ଶିବଚନ୍ଦ୍ର ୭୦ ହଜାର ଟଙ୍କା ଉଠାଇଥିଲେ । ୨୦,୦୦୦ ଏବଂ ୫୦,୦୦୦ଟଙ୍କାର ଦୁଇଟି ବିଡ଼ା ନେଇ ବାଇକ୍ ଯୋଗେ ଘରକୁ ଯାଉଥିବା ବେଳେ ୫୦,୦୦୦ଟଙ୍କାର ବିଡ଼ା ରାସ୍ତାରେ ପଡ଼ିଯାଇଥିଲା । ଯାହା ରୁପାଙ୍କ ପାଇଁ ଏବେ ଶିବଚନ୍ଦ୍ରଙ୍କୁ ପୁଣି ଥରେ ମିଳିପାରିଛି ।