ଉଦ୍ଧାର ଶ୍ରମିକଙ୍କୁ ଚମାଖଣ୍ଡି ଆଦର୍ଶ ବିଦ୍ୟାଳୟକୁ ସ୍ଥାନାନ୍ତର କଲା ପ୍ରଶାସନ
ଛତ୍ରପୁର : ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବା ଦାଦନ ଶ୍ରମିକ ମାନେ ନିଜ ଭିଟାମାଟିକୁ ଫେରିବାକୁ କେନ୍ଦ୍ର ସରକାର ବାରଣ କରିଛନ୍ତି । ଏଥି ସହ ମାନ୍ୟବର ଓଡ଼ିଶା ହାଇକୋର୍ଟ ମଧ୍ୟ ଏହା ଉପରେ ଆଙ୍କୁଶ ଲଗାଇଛନ୍ତି । ଏହି ନିର୍ଦ୍ଦେଶନାମା ସହ ଦାଦନ ଶ୍ରମିକ ମାନଙ୍କ ଥଇଥାନ ପ୍ରତି ଜିଲ୍ଲା ପ୍ରଶାସନ ମାନେ ଗୁରୁତ୍ୱ ଦେଉଛନ୍ତି । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାବାର ରାତିରେ ୧୬ ନମ୍ବର ଜାତୀୟ ରାଜପଥ ଜଗନ୍ନାଥପୁର ଛକ ଠାରେ ତିନୋଟି ଟକ୍ ଅଟକାଇ ୬୦ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି । ଉକ୍ତ ଟ୍ରକ୍ ଯୋଗେ ଶ୍ରମିକ ମାନେ ହାଇଦ୍ରାବାଦରୁ କଲିକତା ଓ ରାଂଚିରୁ ତାମିଲନାଡ଼ୁ ଯାଉଥିବା ଜଣାପଡ଼ିଛି । ପ୍ରଶାସନ ପକ୍ଷରୁ ଉଦ୍ଧାର ଶ୍ରମିକ ମାନଙ୍କୁ ନରେନ୍ଦ୍ରପୁର ହାଇସ୍କୁଲ ଠାରେ ଥଇଥାନ କରାଯାଇଛି । ସେଠାରେ ସେମାନଙ୍କ ସମସ୍ତ ପ୍ରକାର ସୁବିଧା ମଧ୍ୟ କରାଯାଇଥିଲା । ମଙ୍ଗଳବାର ସେମାନଙ୍କ ସୁବିଧା ନିମନ୍ତେ ପ୍ରଶାସନ ପକ୍ଷରୁ ଖାଇବାର ବ୍ୟବସ୍ଥା କରାଯିବା ସହ ସେମାନଙ୍କୁ ଚମାଖଣ୍ଡି ସ୍ଥିତ ଆଦର୍ଶ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯିବ ବୋଲି ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ସୂଚନା ଦେଇଛନ୍ତି । ସେଠାରେ ସେମାନଙ୍କର ସମସ୍ତ ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ସେ କହିଛନ୍ତି । ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ପ୍ରଶାସନିକ ଅଧିକାରୀମାନେ ଶ୍ରମିକ ମାନଙ୍କ ପାଖକୁ ଯାଇ ସେମାନଙ୍କର ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ବୁଝିଥିଲେ ।


