ଉଦ୍ଯାପିତ ହେଲା କବ୍ ବୁଲ୍ବୁଲ୍ ଉତ୍ସବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡସ୍ ସଂଗଠନ ଆନୁକୂଲ୍ୟରେ ମୁଖ୍ୟ କାର୍ଯ୍ୟାଳୟ ପରିସରଠାରେ ତା୧୯.୯.୨୦୨୨ରିଖ ଠାରୁ ଆୟୋଜିତ ହୋଇଥିବା କବ୍ ବୁଲ୍ବୁଲ୍ ଉତ୍ସବର ଉଦ୍ଯାପନୀ ସମାରୋହ ତା୨୨.୯.୨୨ରିଖ ଦିନ ଅନୁଷ୍ଠିତ ହୋଇଅଛି । ୧୧ ଗୋଟି ଜିଲ୍ଲାରୁ ୫୩୫ ଜଣ କବ୍ ବୁଲ୍ବୁଲ୍ ଏହି ଉତ୍ସବରେ ଯୋଗଦେଇଛନ୍ତି । ତା୧୯.୯.୨୦୨୨ରିଖ ଦିନ ଅପରାହ୍ନ ୪.୦୦ ଘଟିକା ସମୟରେ ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ରଙ୍କ ପୌରହିତ୍ୟରେ ରାଜ୍ୟସଭାପତି ତଥା ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ, ସମ୍ମାନୀତ ଅତିଥିଭାବେ ଉପସଭାପତି ଡଃ. (ଶ୍ରୀମତୀ) ମିନତୀ ବେହେରା, ପ୍ରଗତିବାଦୀ କାର୍ଯ୍ୟନିର୍ବାହୀ ସମ୍ପାଦକ ଶ୍ରୀଯୁକ୍ତ ବିରୁପାକ୍ଷ ତ୍ରିପାଠୀ, ଶ୍ରୀମତୀ ପ୍ରୀତିଛନ୍ଦା ଧଳ, ଓଡିଶା ବିଧାନସଭା ସଚିବ ଶ୍ରୀଯୁକ୍ତ ଦାଶରଥୀ ଶତପଥୀ, ଆଇଏଏସ୍, ପୋଲିସ କମିଶନର, ଭୁବନେଶ୍ୱର-କଟକ ଶ୍ରୀଯୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇପିଏସ୍ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ସ୍କାଉଟ ଗାଇଡ୍ରେ କବ୍ ବୁଲ୍ବୁଲ୍ମାନଙ୍କ ବହୁଳ ଯୋଗଦାନ ସେମାନଙ୍କର ଭବିଷ୍ୟତ ଗଠନରେ ସହାୟକ ବୋଲି ବର୍ଣ୍ଣନା କରିଥିଲେ । ଉତ୍ସବର ବିଭିନ୍ନ ଦିନମାନଙ୍କରେ କବ୍ ବୁଲ୍ବୁଲ୍ମାନେ ମଧ୍ୟରେ ଗୋଷ୍ଠୀ ସଂଗୀତ, ଆଞ୍ଚଳିକ ନୃତ୍ୟ, ଅଭିନୟ, ଚିତ୍ରାଙ୍କନ, ହସ୍ତକଳା, କୁଇଜ୍, ମୀନାବଜାର ଆଦି ଭିନ୍ନ ଭିନ୍ନ ପ୍ରତିଯୋଗିତାରେ ଭାଗନେଇ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିଥିଲେ । ବିଭିନ୍ନ ଦୁଃସାହସିକ ପ୍ରକଳ୍ପରେ ଯୋଗଦାନ କରି ସେମାନଙ୍କର ଅସୀମ ସାହସିକତା ପ୍ରଦର୍ଶନ କରିବାରେ କବ୍ ବୁଲ୍ବୁଲ୍ମାନେ ପଛାଇ ନ ଥିଲେ । ଉତ୍ସବର ତୃତୀୟ ଦିବସରେ ଭୁବନେଶ୍ୱରର ମାନ୍ୟବର ମେୟର ଶ୍ରୀମତୀ ସୁଲୋଚନା ଦାସ ଯୋଗଦେଇ ପିଲାମାନଙ୍କର କାର୍ଯ୍ୟକ୍ରମ ଦେଖି ସନ୍ତୋଷବ୍ୟକ୍ତ କରିବା ସହିତ ସେମାନଙ୍କୁ ବହୁ ଉପଦେଶ ପ୍ରଦାନ କରିଥିଲେ । କବ୍ ବୁଲ୍ବୁଲ୍ମାନଙ୍କ ପ୍ରତ୍ୟେକଟି କାର୍ଯ୍ୟରେ ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ରଙ୍କ ସଦୟ ଉପସ୍ଥିତି କବ୍ ବୁଲ୍ବୁଲ୍ମାନଙ୍କୁ ପ୍ରେରଣା ଯୋଗାଇବାରେ ସହାୟକ ହୋଇପାରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଆଜି ଡଃ. ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଉପସଭାପତି ତଥା ଅବସରପ୍ରାପ୍ତ ନ୍ୟାୟଧୀଶ (କ୍ୟାଟ) ଶ୍ରୀଯୁକ୍ତ ମନୋରଞ୍ଜନ ମହାନ୍ତି, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରଞ୍ଜନ କୁମାର ଗିରି, ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ଅତିରିକ୍ତ ସଚିବ ଶ୍ରୀଯୁକ୍ତ ଅଶୋକ କୁମାର ରଥ, ଯୋଗଦେଇ କବ୍ ବୁଲ୍ବୁଲ୍ମାନଙ୍କ ସମସ୍ତ କାର୍ଯ୍ୟକ୍ରମ ବିଶେଷ କରି ଆଜି ସେମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ କାର୍ଯ୍ୟକ୍ରମ ଦେଖି ସନ୍ତୋଷବ୍ୟକ୍ତ କରିବା ସହିତ ଏପରି ଉତ୍ସବ ଆୟୋଜନର ଉଚ୍ଚ ପ୍ରଶଂସା କରିଥିଲେ । ପ୍ରାରମ୍ଭରେ ରାଜ୍ୟ ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ଭବାନୀ ପ୍ରସାଦ ମିଶ୍ର ଅତିଥିମାନଙ୍କୁ ସ୍ୱାଗତ କରିବା ପରେ ସହ ସମ୍ପାଦକ କବ୍ ବୁଲ୍ବୁଲ୍ ଉତ୍ସବର କାର୍ଯ୍ୟକ୍ରମ ବିଷୟରେ ଅତିଥିମାନଙ୍କୁ ଅବଗତ କରିଥିଲେ । କୁନି କୁନି କବ୍ ବୁଲ୍ବୁଲ୍ମାନଙ୍କୁ ଉଦ୍ବୋଧନ ଦେବାକୁ ଯାଇ ଏଇ ଅବସ୍ଥାରେ ସେମାନଙ୍କର ଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମର ଯୋଗଦାନକୁ ଭୁୟସୀ ପ୍ରଶଂସା କରିବା ସହିିତ ଏ ପ୍ରକାର ଉତ୍ସବ ଆୟୋଜନ ଦ୍ୱାରା ସେମାନଙ୍କର ଉଜ୍ୱଳ ଭବିଷ୍ୟତ ଗଢ଼ା ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ବିଦ୍ୟାଳୟଗୁଡିକୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ରାଜ୍ୟ ସଂପାଦକ ଶ୍ରୀ ଶରତ ଚନ୍ଦ୍ର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ କବ୍ ବୁଲ୍ବୁଲ୍ମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।