ଉଦ୍ଯାପିତ ହେଲା “ରୋଭର ରେଞ୍ଜର କାର୍ନିଭାଲ”
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡ଼ସ୍ ଦ୍ୱାରା ଗତ ୩ ତାରିଖରୁ ଆରମ୍ଭ ହୋଇଥିବା “ରୋଭର ରେଞ୍ଜର କାର୍ନିଭାଲ” ଆଜି ସଂଧ୍ୟାରେ ଉଦ୍ଯାପିତ ହୋଇଅଛି । ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳି ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓଡିଶା ବିଧାନସଭା ସଚିବ ଶ୍ରୀଯୁକ୍ତ ଦାଶରଥୀ ଶତପଥୀ, ଆଇଏଏସ୍ ଯୋଗଦେଇ କହିଥିଲେ ଯେ ଏହି ଶିବିର ପିଲାମାନଙ୍କର ବ୍ୟକ୍ତିତ୍ୱ ଏବଂ ପାଠପଢ଼ା ଉପରେ କିପରି ସୁପ୍ରବାହ ପକାଇଥାଏ, ତା’ର ବର୍ଣ୍ଣନା କରିଥିଲେ । ଏହି ଶିବିରରେ ଓଡ଼ିଶାର ୧୬ଟି ଜିଲ୍ଲାରୁ ୪୬୨ ଜଣ ରୋଭର, ରେଞ୍ଜର, ରୋଭର ସ୍କାଉଟ ଲିଡର, ରେଞ୍ଜର ଲିଡର ଯୋଗ ଦେଇ କାର୍ନିଭାଲର ବିଭିନ୍ନ ଦିବସରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ଯଥା ଫୁଡ୍ ଫେଷ୍ଟ, ଶାରୀରିକ କ୍ରୀଡ଼ା କୌଶଳ, ଫେଷ୍ଟିଭାଲ ଅଫ ଷ୍ଟେଟ୍, ଗ୍ରୁପ୍ ଡ୍ୟାନ୍ସ, ର୍ୟାମ୍ପ ୱାକ୍, ଯୋଗାସନ, ବିପି କ୍ରୀଡ଼ା କୌଶଳ ପ୍ରଭୃତି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଶିବିର ପରିଚାଳକ ଶ୍ରୀମତୀ ପୁଷ୍ପାଞ୍ଜଳି ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରାଜ୍ୟ ସଂପାଦକ ଶ୍ରୀ ଶରତ ଚନ୍ଦ୍ର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ । ସଭାକାର୍ଯ୍ୟ ଶେଷରେ କାର୍ନିଭାଲରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ହାସଲ କରିଥିବା ଜିଲ୍ଲା ଏବଂ ରୋଭର, ରେଞ୍ଜରମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ଫଳକ ପୁରସ୍କୃତ କରାଯାଇଥିଲା । ଏହି ଶିବିର ସଫଳ ଭାବରେ ଅନୁଷ୍ଠିତ ହୋଇଥିବାରୁ ସମସ୍ତ ରୋଭର ରେଞ୍ଜରମାନଙ୍କୁ ମାନ୍ୟବର ଖାଦ୍ୟଯୋଗାଣ ଓ ସମବାୟ, ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ସଭାପତି ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ଧନ୍ୟବାଦ ଦେଇଥିଲେ ।