ଉଦ୍ୟାନ ଓ ପ୍ରାଣୀ ସଂପଦ ବିଭାଗର ଆନୁକୂଲ୍ୟରେ ୩୪ ହଜାର ୪୭୦ ଏସ୍‌ଏଚ୍‌ଜିକୁ ପ୍ରକଳ୍ପ ଯୋଗାଇ ଦିଆଯିବ

ଛତ୍ରପୁର, (ଦେବଦତ୍ତ ମହାରଣା):ମିସନ୍‌ଶକ୍ତି ଓ ଓଡିଶା ଜୀବିକା ମିସନ୍ ଅଧୀନରେ ଥିବା ଗଞ୍ଜାମ ଜିଲ୍ଲାର ୩୪ ହଜାର ୪୭୦ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀଙ୍କୁ ସଶକ୍ତିକରଣ ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଉଦ୍ୟାନ ବିଭାଗ ଓ ପ୍ରାଣୀ ସଂପଦ ବିଭାଗ ମିଳିତ ଆନୁକୂଲ୍ୟରେ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀମାନଙ୍କୁ ବ୍ୟକ୍ତିଗତ ଓ ସାମୂହିକ ଯୋଜନା ଗୁଡିକରେ ଅନ୍ତର୍ଭୁକ୍ତ କରାଯିବ ବୋଲି ମଙ୍ଗଳବାର ଜିଲ୍ଲାପରିଷଦ ଭବନ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ବୈଠକରେ ଅଧ୍ୟକ୍ଷତା କରି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । ଉଦ୍ୟାନ ବିଭାଗର ମୋ ଉପକାରିତା ବଗିଚା ଓ ଫଳ ବଗିଚା ଯୋଜନାରେ ଲେମ୍ବୁ, କାଜୁ, କଦଳୀ ଏବଂ ଆମ୍ବ ବଗିଚା କରିବା ନିମନ୍ତେ ସହାୟତା ଯୋଗାଇ ଦିଆଯିବ । ସେହିପରି ପ୍ରାଣୀ ସଂପଦ ବିଭାଗ ପକ୍ଷରୁ କୁକୁଡା ଗୁହାଳ, ଗାଇ ଗୁହାଳ ଏବଂ ଘାସ ଜାତୀୟ ଗୋ ଖାଦ୍ୟ ନିମନ୍ତେ ସହାୟତା ଯୋଗାଇ ଦେବାର ଲକ୍ଷ୍ୟ ରହିଛି । ଏଥିପାଇଁ ବିଭିନ୍ନ ବ୍ୟାଙ୍କ ତରଫରୁ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀମାନଙ୍କୁ ଋଣ ଯୋଗାଇ ଦିଆଯିବ । ଜିଲ୍ଲାର ସମସ୍ତ ବ୍ୟାଙ୍କ୍ ଗୁଡିକ ସହ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀଙ୍କ ଲିଙ୍କେଜ୍ ବ୍ୟବସ୍ଥା କରାଯିବ । ଜିଲ୍ଲାରେ ଥିବା ଗୋଚର ଜମିରେ ମହିଳା ଗୋଷ୍ଠୀମାନେ ବ୍ୟକ୍ତିଗତ ଏବଂ ସାମୂହିକ ଭାବେ ବିଭିନ୍ନ ଯୋଜନାର ପ୍ରକଳ୍ପ କରି ସେମାନଙ୍କ ରୋଜଗାରିଆ ପନ୍ଥାକୁ ତ୍ୱରାନ୍ୱିତ କରିବାର ରହିଛି । ଏଥି ସକାଶେ ସମସ୍ତ ତହସିଲଦାରମାନଙ୍କୁ ଜିଲ୍ଲାରେ କେତେ ପରିମାଣର କେଉଁ ଅଞ୍ଚଳରେ ଗୋଚର ଜମି ଅଛି ତାହାର ରିପୋର୍ଟ ତୁରନ୍ତ ପ୍ରଦାନ କରିବାକୁ କୁହାଯାଇଛି । ସେହିପରି ତୁମ୍ବା ଉନ୍ନୟନ ସଂସ୍ଥା ପକ୍ଷରୁ ପାତ୍ରପୁର ବ୍ଲକ ଅଧୀନ ଆଛୁଲୀ, ବୁରାତାଲ ଓ ପାତ୍ରପୁର ତିନୋଟି ପଞ୍ଚାୟତ ଉନ୍ନତି ତଥା ସୌନ୍ଦର୍ଯ୍ୟାକରଣ ନିମନ୍ତେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ବିଭିନ୍ନ ପ୍ରକଳ୍ପ କରିବା ନିମନ୍ତେ ପଦକ୍ଷେପ ନିଆଯିବାକୁ ଜିଲ୍ଲାପାଳ କହିଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତାତ୍ତ୍ରେୟ ଭାଉସାହେବ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ରାୟ, ବ୍ରହ୍ମପୁର ଡିଏଫ୍‌ଓ ଅମ୍ଲାନ୍ ନାୟକ, ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ ଶରତ ଚନ୍ଦ୍ର ବେହେରା, ଜିଲ୍ଲା ପ୍ରାଣୀ ସଂପଦ ଅଧିକାରୀ ଦେବରାଜ ବେହେରା, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରମୋଦ କୁମାର ରାଉତ, ଡିଆରଡିଏ ଓଏସ୍‌ଡି କୃଷ୍ଣଚନ୍ଦ୍ର ପଣ୍ଡା, ତୁମ୍ବା ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ, ଓଡିଶା ଜୀବିକା ମିସନ୍‌ର ଜିଲ୍ଲା ପ୍ରୋଗ୍ରାମର ନବୀନ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ