ଉନବିଂଶ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳାର ଦ୍ୱିତୀୟ ସଂନ୍ଧ୍ୟା
କେନ୍ଦ୍ରାପଡା : ଏଇତ ବନଲତା ପାହାଡ…. ପୁଣି ଚନ୍ଦ୍ର ମଲ୍ଲୀ ହସେ ଚିତ୍ରଲେଖା ଓଠେ… ପରେ ପରେ କେଣେ ଘେନି ଯାଉଛ ଜଗନାଥଙ୍କୁ ଏମିତି ଅନେକ ସୁମଧୁର ଅକ୍ଷୟ ସଙ୍ଗୀତରେ ଝଲସି ଉଠିଥିଲା କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ ଆନୁକୁଲ୍ୟରେ ଆୟୋଜିତ ଉନବିଂଶ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳାର ଦ୍ୱିତୀୟ ସନ୍ଧ୍ୟା । ଏହି ସଙ୍ଗୀତରେ ମତୁଆଲା ହୋଇ ଉଠିଥିଲେ ଦର୍ଶକ ଓ ସାହିତ୍ୟ ପ୍ରେମୀ । ପ୍ରତିଟି ଗୀତକୁ ଅତି ସୁନ୍ଦରଭାବେ ପରିବେଷଣ କରୁଥିଲେ ବାରୋ ସ୍ଥିତ ଭାବଗ୍ରାହୀ କଳା ନିକେତନର ପ୍ରତିଷ୍ଠାତା ବିମଳ ପ୍ରସାଦ ପରିଡାଙ୍କ ନେତୃତ୍ୱରେ କଳାକାରମାନେ । ଏହି ସଂନ୍ଧ୍ୟାକୁ କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶିଲ କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ବରିଷ୍ଠ କବି ହେମନ୍ତ କୁମାର ଜେନା ମୁଖ୍ୟବକ୍ତାଭାବେ ଯୋଗ ଦେଇ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କ ସୃତି ଚାରଣ କରିଥିଲେ । ଏହି ଅବସରରେ ବିମଳ ପ୍ରସାଦ ପରିଡା ଓ ବିଜୟ ଶୁକ୍ଲାଙ୍କୁ କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ ପକ୍ଷରୁ ସଭାପତି ଅକ୍ଷୟ କୁମାର ପାଣି ଓ ସମ୍ପାଦକ ଜାହିଦ୍ ଖାଁ ଅକ୍ଷୟ ସୃତି ସମ୍ମାନ ପ୍ରଦାନ କରିଥିଲେ । ଅପରାହ୍ନ ୪ଟା ବେଳେ କେନ୍ଦ୍ରାପଡା ଆମ ଗାଁ ସାହିତ୍ୟ ପରିଷଦ ପକ୍ଷରୁ ସାହିତ୍ୟ ସଭା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ସହିତ୍ୟିକ ଡକ୍ଟର ସର୍ବଶ୍ୱେର ସେଣ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି ପାଠଉତ୍ସବକୁ ଉଦ୍ଘାଟନ କରିଥିଲେ । ଆମ ଗାଁ ସାହିତ୍ୟ ପରିଷଦ ସଭାପତି ସଞ୍ଜୟ କୁମାର ମଲ୍ଲିକ ଓ ସମ୍ପାଦକ ସ୍ୱପ୍ନାଶୁଂ କୁମାର ଦାସ କବିତା ଆସର ସଂଯୋଜନା କରିଥିଲେ । ଏହି ଅବସରରେ ନିକୁଞ୍ଜ ବିହାରୀ ପୃଷ୍ଟିଙ୍କର ଗଳ୍ପ ସଙ୍କଳନ “ଗୋବରୀ ନଦୀର ଧାରେ” ଓ ସୁବାଷ ଚନ୍ଦ୍ର ମାହାଲିଙ୍କ କବିତା ସଙ୍କଳନ “ମୁରୁଜ” ଉନ୍ମୋଚିତ ହୋଇଥିଲା । ଦ୍ୱିତୀୟ ସନ୍ଧ୍ୟାରେ ବହୁ ପୁସ୍ତକ ପ୍ରେମୀ ଭିଡ ଜମାଇଥିବାର ଦେଖାଯାଇଥିଲା ।