ଉନ୍ନତ ସ୍ୱାସ୍ଥ୍ୟସେବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ଜିଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ସୁଧାର ଦାବି କରି ସରକାରୀ ମେଡିକାଲ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ପ୍ରଦାନ କରାଯାଇଛି । ବିଶେଷ କରି ଫକୀରମୋହନ ଭେଷଜ ମହାବିଦ୍ୟାଳୟ ଚିକିତ୍ସାଳୟରେ ହୃଦରୋଗ, ସ୍ନାୟୁ ରୋଗ, ମୁତ୍ରାଶୟ ଜନିତ ରୋଗ ପ୍ରଭୃତିର ବିଶେଷଜ୍ଞ ଡାକ୍ତର ନଥିବାରୁ ପ୍ରତିଦିନ ଏହି ରୋଗଗୁଡ଼ିକର ଚିକିତ୍ସାପାଇଁ ରୋଗୀମାନେ କଟକ କିମ୍ବା ଭୁବନେଶ୍ୱରକୁ ଚିକିତ୍ସାପାଇଁ ଯିବାକୁ ବାଧ୍ୟ ହେଉଥିବା କମିଟିର କର୍ମକର୍ତ୍ତାମାନେ ଆରୋପ ଉଠାଇଛନ୍ତି । ଏପରିକି ଅନେକ ରୋଗୀ ସ୍ଥାନାନ୍ତର ସମୟରେ ବାଟରେ ମୃତ୍ୟୁବରଣ କରୁଛନ୍ତି । ମଞ୍ଜୁରୀପ୍ରାପ୍ତ ସ୍ୱାସ୍ଥ୍ୟ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଉନାହିଁ । ଆୟୁଷ ହସପିଟାଲ୍‌, ନର୍ସିଂ କଲେଜ୍ ନିର୍ମାଣ କାର୍ଯ୍ୟ ହୋଇପାରିନାହିଁ । ନିର୍ମାଣାଧୀନ ମେଡିକାଲ କଲେଜକୁ ଜାତୀୟ ରାଜପଥ ସହ ସଂଯୋଗ ରାସ୍ତାର ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଏମ୍ସ ବହିର୍ବିଭାଗ ନିର୍ମାଣ ଛଅମାସ ପୂର୍ବରୁ ଶେଷ ହୋଇଥିଲେ ମଧ୍ୟ ଏହାକୁ ରୋଗୀସେବାରେ ବ୍ୟବହାର କରାଯାଉନାହିଁ । ନିର୍ମାଣ ଦାୟିିତ୍ୱରେ ଥିବା ସଂସ୍ଥା, ସ୍ୱାସ୍ଥ୍ୟବିଭାଗ ଓ ଜିଲ୍ଲା ପ୍ରଶାସନର ସମନ୍ୱୟ ଅଭାବରୁ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ମାରକପତ୍ରରେ ଉଲେଖ କରାଯାଇଛି । ମୁଖ୍ୟମନ୍ତ୍ରୀ କ୍ରିୟାନୁଷ୍ଠାନ କମିଟି ପ୍ରତିନିଧିଙ୍କୁ ଏକ ଆଲୋଚନାର ସୁଯୋଗ ଦେବାକୁ ଏହି ଦାବିପତ୍ରରେ ଅନୁରୋଧ କରାଯାଇଛି । ତେବେ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ନହେଲେ ଚନ୍ଦନେଶ୍ୱରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପଦଯାତ୍ରା ଓ ବିଧାନସଭା ସମ୍ମୁଖରେ ଗଣଧାରଣା ପାଇଁ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି । ଦାବିପତ୍ର ପ୍ରଦାନ ବେଳେ କ୍ରିୟାନୁଷ୍ଠାନ କମିଟି ସଭାନେତ୍ରୀ ମମତା ମହାପାତ୍ର, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା ଓ ସାଧାରଣ ସମ୍ପାଦକ ପ୍ରଦୀପ ଦାସଙ୍କ ସମେତ ନିରଞ୍ଜନ ରାଉତ, ପ୍ରଭାକର ସାହୁ, ଯୋଗେଶ ଚନ୍ଦ୍ର ପ୍ରଧାନ, ରବିନାରାୟଣ ଭୋଳ, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ବେଣୁଧର ବାରିକ, ବନମାଳି ନାୟକ, କାମିନୀକାନ୍ତ ମାଝୀ, ଶଶାଙ୍କ ଶେଖର ଦତ୍ତ, ମିନତୀ ରାୟ, କ୍ରୀଷ୍ଣା ସାହା, ଅର୍ଚ୍ଚନା ନନ୍ଦୀ, ମୀନାରାଣୀ ବିଶ୍ୱାଳ, ଭବେଶ ଚନ୍ଦ୍ର ପଣ୍ଡା, ଦୀନବନ୍ଧୁ ଲେଙ୍କା, ପୂର୍ଣ୍ଣଚନ୍ଦ୍ର ପାତ୍ର, ଶ୍ୟାମସୁନ୍ଦର ଜେନା, ଶଚିନ୍ଦ୍ର ଦାସ, ସନ୍ତୋଷ ମିଶ୍ର ଓ ପୁରୁଷୋତ୍ତମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଅନୁରୂପ ଭାବେ ବିଭିନ୍ନ ବ୍ଲକ କମିଟି ପକ୍ଷରୁ ବିଡିଓଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସଦର ବିଡିଓଙ୍କୁ ଦାବିପତ୍ର ପ୍ରଦାନ ବେଳେ ରାଧାକୃଷ୍ଣ ଜେନା, ଭଗବାନ ରାଉତ, ଭାରତୀ ପଣ୍ଡା, ଯତୀନ ପାତ୍ର, ଯଶୋଦା ନନ୍ଦନ ଆଶ୍ ଓ ସେକ୍ କରିମ୍ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ