ଉନ୍ନାଓ ପୀଡିତାଙ୍କ ଶେଷକୃତ୍ୟ ସଂପନ୍ନ
ନୂଆଦିଲ୍ଲୀ : ଶୁକ୍ରବାର ରାତିରେ ଦିଲ୍ଲୀର ସଫଦରଗଞ୍ଜ ହସପିଟାଲରେ ଚିକିତ୍ସାବେଳେ ପ୍ରାଣ ହରାଇଥିବା ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ଶେଷକୃତ୍ୟ ରବିବାର ତାଙ୍କ ଗ୍ରାମରେ ସଂପନ୍ନ ହୋଇଛି । ଉନ୍ନାଓ ପୀଡିତାଙ୍କ ମରଶରୀର ଶନିବାର ରାତିରେ ତାଙ୍କ ଘରେ ପହଞ୍ଚିଥିଲେ ମଧ୍ୟ ଯେ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସି ସେମାନଙ୍କ ଦାବି ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇନାହାନ୍ତି ସେପର୍ଯ୍ୟନ୍ତ ପୀଡିତାଙ୍କ ଅନ୍ତିମ ସଂସ୍କାର ହେବ ନାହିଁ ବୋଲି ପରିବାର ଲୋକେ ଅଡି ବସିଥିଲେ । ରବିବାର ପ୍ରଶାସନ ପକ୍ଷରୁ ସେମାନଙ୍କର ସବୁ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ କଡା ସୁରକ୍ଷା ବଳୟ ମଧ୍ୟରେ ପୀଡିତାଙ୍କୁ ଶେଷକୃତ୍ୟ ପାଇଁ ନିଆଯାଇଥିଲା । ଜେଜେବାପା, ଜେଜେମା’ଙ୍କ ସମାଧିସ୍ଥଳ ନିକଟରେ ପୀଡିତାଙ୍କ ମରଶରୀରକୁ ପୋତାଯାଇଥିଲା । ଏହି ଅବସରରେ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ଏବଂ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ ।
ଉତ୍ତରପ୍ରଦେଶ କ୍ୟାବିନେଟ୍ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଏବଂ କମଲ ରାଣୀ ବରୁଣ ପ୍ରମୁଖ ଉନ୍ନାଓରେ ପହଞ୍ଚି ପୀଡିତାଙ୍କ ପରିବାରକୁ ଭେଟିବା ସହ ତାଙ୍କ ଶେଷକୃତ୍ୟରେ ସାମିଲ୍ ହୋଇଥିଲେ । “ଦୋଷୀକୁ ଯେପରି ଦନ୍ଦ ମିଳିବ, ସେଥିଲାଗି ଆମେ ସବୁ ପ୍ରକାର ବ୍ୟବସ୍ଥା କରିବୁ । ଏଥିପାଇଁ ଏକ ଫାଷ୍ଟଟ୍ରାକ୍ କୋର୍ଟ ଗଠନ କରାଯିବ । ପୀଡିତାଙ୍କ ପରିବାର ସହ ମୁଖ୍ୟମନ୍ତ୍ରୀଙ୍କ ସମେତ ଆମେ ସମସ୍ତେ ଅଛୁ” ବୋଲି ମୌର୍ଯ୍ୟ ଗଣମାଧ୍ୟମକୁ କହିଥିଲେ । ଉନ୍ନାଓ ପୀଡିତାଙ୍କ ଶେଷକୃତ୍ୟ ବେଳେ ସପା ନେତାମାନେ ବି ଉପସ୍ଥିତ ଥିଲେ । ପରେ ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ଶୋକସଭାରେ ମଧ୍ୟ ସେମାନେ ଯୋଗ ଦେଇଥିଲେ । ସୂଚନା ଅନୁସାରେ ଉନ୍ନାଓ ପୀଡିତାଙ୍କ ଭଉଣୀ କରିଥିବା ଦାବିକୁ ପ୍ରଶାସନ ପୂରଣ କରିବ ବୋଲି କହିଛି । ଏହି ଦାବି ମୁତାବକ, ଉନ୍ନାଓ ପୀଡିତାଙ୍କ ଭଉଣୀଙ୍କୁ ସରକାରୀ ଚାକିରି ମିଳିବ ଏବଂ ନିଜର ସୁରକ୍ଷା ପାଇଁ ଅସ୍ତ୍ର ରଖିବାକୁ ଅନୁମିତି ମିଳିବ ।