ଉନ୍ନୀତ ଅପେକ୍ଷାରେ ଭୂତପଦା-ଅପସର ପ୍ରାଥମିକ ବିଦ୍ୟାଳୟ

ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ଇଞ୍ଚୋଳ ପଞ୍ଚାୟତର ଭୂତପଦା-ଅପସର ଦୁଇ ଗ୍ରାମର କେନ୍ଦ୍ର ସ୍ଥଳରେ ଥିବା ପ୍ରାଥମିକ ବିଦ୍ୟାଳୟଟିକୁ ଉନ୍ନୀତ ବିଦ୍ୟାଳୟକୁ ରୂପାନ୍ତରିତ କରିବା ନିମନ୍ତେ ବିଭିନ୍ନ ମହଲରେ ସ୍ୱର ଉତ୍ତୋଳନ ହୋଇଛି । ସୂଚନାଯୋଗ୍ଯ ୧୯୯୦ ଦଶକରେ ଉଚ୍ଚ ପ୍ରାଥମିକ ଶିକ୍ଷାକୁ ଅପହଞ୍ଚ ଇଲାକାରେ ପହଞ୍ଚାଇବା ନିମନ୍ତେ ଇଞ୍ଚୋଳର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଶିକ୍ଷାବିତ୍ ନୃସିଂହ ଚରଣ ପଣ୍ଡା , ଭୂତପଦା-ଅପସର-ପରମାନନ୍ଦପୁର ର ମାର୍କଣ୍ଡ ପ୍ରସାଦ ଜେନା ,ଜଳଧର ସା , ୰ ବାଇଧର ସା ,୰ମାଗୁଣି ଚରଣ ସା, ୰ ଦୁର୍ଯ୍ୟୋଧନ ସା ,୰ସୂର୍ଯ୍ୟମଣୀ ସା ,୰କରୁଣାକର ସା ,୰ ଅଚ୍ୟୁତାନନ୍ଦ ଜେନା ପ୍ରମୁଖଙ୍କର ପ୍ରତ୍ୟେକ୍ଷ ପଳିଚାଳନା ଓ ଗ୍ରାମବାସୀଙ୍କ ସହଯୋଗରେ ସେତେବେଳେ ଶଶି ହେମ ମଧ୍ଯ ଇଂରାଜୀ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ।ଗ୍ରାମର ଶତକଡା ୭୫ ଭାଗ ସ୍ୱଳ୍ପ ଓ ନାମମାତ୍ର କୃଷିଜୀବୀ ଓ କୃଷି ଶ୍ରମିକ ହୋଇଥିବାରୁ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସେ ସମୟର ଇଞ୍ଚୋଳ ଗ୍ରାମର ବଦାନ୍ଯ ମହିୟସୀ ମହିଳାଦ୍ୱୟ ଶଶି ଦେବୀ ଏବଂ ହେମ ଦେବୀଙ୍କ ସହାୟତାରେ ଅନୁଦାନ ପ୍ରାପ୍ତି ପର୍ଯ୍ୟନ୍ତ ପରିଚାଳିତ ହୋଇଥିବାରୁ ଗ୍ରାମବାସୀମାନଙ୍କ ସ୍ଵଇଚ୍ଛାରେ ବିଦ୍ୟାଳୟଟିକୁ ତାଙ୍କର ନାମ ଅନୁସାରେ ଶଶି ହେମ ମଧ୍ଯ ଇଂରାଜୀ ବିଦ୍ୟାଳୟ ରଖାଯାଇଥିଲା। ବିଦ୍ୟାଳୟଟି ପର୍ଯ୍ୟାୟକ୍ରମେ ସରକାରୀ ଅନୁଦାନ ଲାଭ କରି ୨୦୨୩ ମସିହା ପର୍ଯ୍ୟନ୍ତ ସମସ୍ତ ସରକାରୀ ସହାୟତା ,ପାଠ୍ଯ ପୁସ୍ତକ, ପୋଷାକ ପତ୍ର ,ମଧ୍ଯାହ୍ନ ଭୋଜନ ଲାଭ କରି ପ୍ରାଥମିକ ବିଦ୍ୟାଳୟ ସହ ଗୋଟିଏ ପରିସର ମଧ୍ଯରେ ଚାଲିଆସିଥିଲା। ସରକାର ବିଦ୍ୟାଳୟ ମିଶ୍ରଣ ଯୋଜନାରେ ତାହାକୁ ସାମିଲ୍ କରିନଥିଲେ । ଏଠାରେ ୪୦ ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ କରୋନା ଆକ୍ରାନ୍ତ ହୋଇ ୨୦୨୦ ରେ ସହକାରୀ ଶିକ୍ଷକ ପ୍ରଦୀପ କୁମାର ଖଣ୍ଡାଇଙ୍କର ଦେହାନ୍ତ ହୋଇଯାଇଥିଲା । ଏବଂ ୨୦୨୩ ଜୁନ୍ ୩୦ ରେ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସୁଦର୍ଶନ ପଣ୍ଡା ଅବସର ଗ୍ରହଣ କରିବା ପରେ ବିଦ୍ୟାଳୟଟି ବନ୍ଦ ହୋଇଯାଇଥିଲା । ତତ୍କାଳୀନ ପରିଚାଳନା ସମିତି ,ଗ୍ରାମବାସୀମାନଙ୍କ ମିଳିତ ସହାୟତାରେ ବିଦ୍ୟାଳୟଟିକୁ ମିଶ୍ରଣ କରି ଉନ୍ନୀତ କରିବା ପାଇଁ ଶିକ୍ଷା ବିଭାଗର ସମସ୍ତ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ଯ ଅତ୍ଯନ୍ତ ଅଗଣତାନ୍ତ୍ରିକ ଭାବେ ପ୍ରାକ୍ତନ ସରକାର ବିଦ୍ୟାଳୟଟିକୁ ବନ୍ଦ କରିଦେଇଥିଲେ । ଯାହା ଫଳରେ କୋମଳମତି ଖର୍ବକାୟ ଶିଶୁମାନେ ପ୍ରଚଣ୍ଡ ରୌଦ୍ରତାପ ଓ ବଜ୍ରପାତ ସମୟରେ ୩ କିମି ଦୂର ଅତିକ୍ରମ କରି ଅନ୍ୟ ଗାଁ ରେ ଥିବା ବିଦ୍ୟାଳୟକୁ ଯାଇପାରୁନାହାଁନ୍ତି। ରାସ୍ତାଗୁଡ଼ିକ ଖାଲଖମା ସହ ଯାନବାହାନ ଚଳାଚଳ ହେଉଥିବାରୁ ଅଭିଭାବକ ମାନେ ତାଙ୍କର ପିଲାମାନଙ୍କୁ ଦୂର ବିଦ୍ୟାଳୟକୁ ଛାଡିବାକୁ ନାରାଜ ହେଉଛନ୍ତି । ଏଭଳି ସମସ୍ୟା ସକାଶେ ଅନେକ ପିଲାମାନଙ୍କର ପାଠ ପଢାରେ ଡୋରି ବନ୍ଧା ହୋଇଯିବାର ଦେଖାଗଲାଣି ।ନିକଟରେ ସରକାର ନୂଆରମ୍ପାସ ପ୍ରାଥମିକ ବିଦ୍ୟାଳୟକୁ ଉନ୍ନୀତ କରିଥିବା ବେଳେ ଭୂତପଦା-ଅପସର ପ୍ରାଥମିକ ବିଦ୍ୟାଳୟକୁ ସମାନ ଢଙ୍ଗରେ ପ୍ରାଥମିକରୁ ଉଚ୍ଚ ପ୍ରାଥମିକକୁ ଉନ୍ନୀତ କରିବା ପାଇଁ ଭୂତପଦା-ଅପସର ଓ ପରମାନନ୍ଦପୁର ଗ୍ରାମର ଗ୍ରାମବାସୀ, ବୁଦ୍ଧିଜୀବୀ ଓ ଅଭିଭାବକମାନେ ଅନୁରୋଧ କରିବା ସହ ଏ ସଂକ୍ରାନ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ବିଭାଗୀୟ ମନ୍ତ୍ରୀ , ଓ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଆକର୍ଷଣ କରିଛନ୍ତି। ସରକାର ଆଗାମୀ ଶିକ୍ଷା ବର୍ଷ ପୁର୍ବରୁ ଏନେଇ ପଦକ୍ଷେପ ନେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ