ଉନ୍ନୟନମୂଳକ କାର୍ଯ୍ୟ ରେ ପାତର ଅନ୍ତର ନ କରିବାକୁ ଚେତାବନୀ
ନିମାପଡ଼ା,(ସନ୍ତୋଷ କୁମାର ଦାଶ) ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ କାର୍ଯ୍ୟାଳୟ ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଶାସକ ଦଳ ଚାପରେ କରା ଯାଉଥିବା ଅଭିଯୋଗ କରି ବିରୋଧୀ ବିଜେଡି ଦଳର ନେତା ମାନେ ନିମାପଡ଼ା ବିଡ଼ିଓ ଡ଼କ୍ଟର ଅଭିଜିତ ଷଡ଼ଙ୍ଗୀ ଙ୍କୁ ସାକ୍ଷାତ କରି ଏ ଅଭିଯୋଗ ସମ୍ପର୍କ ରେ ଅବଗତ କରାଇଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ଅନ୍ତୋଦୟ ଗୃହଯୋଜନା,ଭତ୍ତା ପାଇଁ ହିତାଧିକାରୀ ଚୟନ କାର୍ଯ୍ୟ ରେ କୌଣସି ଦଳ ର ଚାପ ଆଗରେ ବ୍ଲକ ପ୍ରଶାସନ ଯଦି ମୁଣ୍ଡ ନୁଆଇଁବ ତେବେ ବହୁ ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନା ପାଇବାରୁ ବଞ୍ଚିତ ହେବେ। ଏହା ନ କରି ସରକାରୀ ଯୋଜନା ରେ ଯେପରି ସମସ୍ତ ଯୋଗ୍ୟ ହିତାଧିକାରୀ ଉପକୃତ ହୋଇ ପାରିବେ ସେଥିପାଇଁ ନିରପେକ୍ଷ ତଦନ୍ତ କରି ପ୍ରକୃତ ହିତାଧିକାରୀ ଚୟନ କରିବାକୁ ବିଜେଡ଼ି ନେତା ଦିଲ୍ଲୀପ ନାୟକ, ମାନସ ପ୍ରଧାନ,ଭାଗ୍ୟଧର ଖଟୋଇ,ରବୀନ୍ଦ୍ର ମଲ୍ଲିକ, ରଘୁନାଥ ଗିରି, ଚିନ୍ମୟ ସାହୁ, ଦୀପକ ଦାସ, ଧନୁର୍ଦ୍ଧର ଦାସ ପ୍ରମୁଖଙ୍କ ନେତୃତ୍ୱରେ ବ୍ଲକ କାର୍ଯ୍ୟାଳୟକୁ ଯାଇଥିବା ୬୦ରୁ ଉର୍ଦ୍ଧ୍ବ ବିଜେଡ଼ି ନେତା ଓ କର୍ମୀ ଦାବୀ କରିଥିଲେ। ଯଦି ବ୍ଲକ ପ୍ରଶାସନ ଏହି ଦାବି ପ୍ରତି କର୍ଣ୍ଣପାତ ନ କରି ଶାସକ ଦଳ ଚାପରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ କରେ ତେବେ ବାଧ୍ୟ ହୋଇ ବିଜେଡ଼ି ରାଜରାସ୍ତାକୁ ଓହ୍ଲାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା, ଅନଶନ କରିବ ବୋଲି ବିଜେଡ଼ି ନେତା ମାନେ ବିଡ଼ିଓ ଙ୍କୁ ଚେତାବନୀ
ଦେଇଥିଲେ । ଏହାପରେ ବିଜେଡ଼ି ନେତା ମାନେ ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଡିଭିଜନ କାର୍ଯ୍ୟାଳୟ କୁ ଯାଇ ଅଧିକ୍ଷଣ ଯନ୍ତ୍ରୀ ସତ୍ୟଜିତ ଦଳାଇ ଙ୍କୁ ସାକ୍ଷାତ କରି ଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିମାପଡ଼ା ନିର୍ବାଚନମଣ୍ଡଳୀ ଅଞ୍ଚଳ ରେ ଯେଉଁ ସବୁ ରାସ୍ତା କାର୍ଯ୍ୟ ଚାଲିଛି ସେ ସମ୍ପର୍କ ରେ ପଚାରି ବୁଝିବା ସହିତ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ପରାମର୍ଶ ଦେଇଥିଲେ।