ଉନ୍ନୟନ କମିଟି ପକ୍ଷରୁ ସହିଦ ବାଘାଯତୀନଙ୍କ ବଳିଦାନ ସ୍ମୃତି ସମାରୋହ

ବାଲେଶ୍ୱର, (ସରୋଜ ପଣ୍ଡା):ବାଘାଯତୀନ ଉନ୍ନୟନ କମିଟି ପକ୍ଷରୁ ବିପ୍ଳବୀ ବୀର ସହିଦ ବାଘାଯତୀନଙ୍କ ୧୦୭ ତମ ବଳିଦାନ ସ୍ମୃତି ସମାରୋହ ସହରର ବାରବାଟୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମବଙ୍ଗରୁ ଆସିଥିବା ସହିଦ ସ୍ମୃତି କମିଟିର ଅଭିଯାତ୍ରୀ ଦଳଙ୍କ ଉପସ୍ଥିତିରେ ଅତିଥିମାନେ ଜାତୀୟ ପତାକା ଉତୋଳନ ସହ ସହିଦ ବାଘାଯତୀନଙ୍କ ପ୍ରତିମୂତ୍ତିରେ ଏବଂ ତାଙ୍କ ୪ ସାଥୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ଆୟୋଜିତ କାର୍ଯ୍ୟକ୍ରମକୁ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ତଥା ସଂଖ୍ୟାଲଘୁ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଉଦଘାଟନ କରିବା ସହିତ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ କ୍ରାନ୍ତିକାରୀ ନେତା ବାଘାଯତୀନ ଓ ତାଙ୍କ ସାଥୀଙ୍କ ବଳିଦାନ ଭାରତର ଯୁବଗୋଷ୍ଠୀଙ୍କୁ ସର୍ବଦା ଅନୁପ୍ରାଣୀତ କରୁଥିବ ବୋଲି କହିଥିଲେ । ରାଜ୍ୟ ପର୍ଯ୍ୟଟନ, ସଂସ୍କୃତି ଓ ଓଡ଼ଆ ଭାଷା ସାହିତ୍ୟ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବାଘାଯତୀନ ଓ ସାଥୀଙ୍କ ଉଗ୍ର ଦେଶପ୍ରୀତି ଓ ଆତ୍ମ ବଳିଦାନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ବାଘାଯତୀନ ଓ ସାଥୀଙ୍କ ଜୀବନୀ ଅଧାରିତ ଏକ ପୁସ୍ତକ ପ୍ରକାଶ ନିମନ୍ତେ ଉନ୍ନୟନ କମିଟି କର୍ମକର୍ତ୍ତାଙ୍କୁ ମନ୍ତ୍ରୀ ଶ୍ରୀ ପାତ୍ର ପ୍ରସ୍ତାବ ଦେଇଥିଲେ । ସଦର ବିଧାୟକ ସ୍ୱରୂପ କୁମାର ଦାସ, ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ, କୋଲକତା ସ୍ଥିତ ବାଲେଶ୍ୱର ସହିଦ ସ୍ମୃତି କମିଟିର କାର୍ଯ୍ୟକାରୀ ସଭାପତି ପ୍ରବାଳ ମୂଖାର୍ଜୀ ଓ ଉପ-ସଭାପତି ସୁଜିତ ଭୌମିକ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବାଘାଯତୀନ ଓ ସାଥୀଙ୍କ ବଳିଦାନ ସର୍ବଦା ଅବିସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ । ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିବା ସହିତ ମନ୍ତ୍ରୀଙ୍କ ପ୍ରସ୍ତାବ ଅନୁଯାୟୀ ବାଘାଯତୀନଙ୍କ ଜୀବନୀ ଆଧାରିତ ପୁସ୍ତକ ପ୍ରକାଶ ଦିଗରେ ଉଚିତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଉନ୍ନୟନ କମିଟର କାର୍ଯ୍ୟକାରୀ ସଭାପତି ସୁଜିତ୍ ଦେବ ଏଥିରେ ଅତିଥିଙ୍କ ପରିଚୟ ପ୍ରଦାନ ସହ ସ୍ୱାଗତ ଅଭିଭାଷଣ ଦେଇଥିଲେ । ସମ୍ପାଦକ ହରେନ ଚନ୍ଦ୍ର ରଣା ବିବରଣୀ ପାଠ କରିଥିବା ବେଳେ ସ୍ଥାନୀୟ କାଉନସିଲର ମୀନା ମହାନ୍ତି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ବାଘାଯତୀନଙ୍କ ବଳିଦାନ ଦିବସ ଉପଲକ୍ଷେ ପୂର୍ବରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ଏହି ଅବସରରେ ପୁରସ୍କୃତ କରିଥିଲେ । ପଶ୍ଚିମବଙ୍ଗ ଅଭିଯାତ୍ରୀ ଦଳ, ବାଘାଯତୀନ ଉନ୍ନୟନ କମିଟର କର୍ମକର୍ତ୍ତାଙ୍କ ସମେତ ବୁଦ୍ଧିଜୀବୀ ଓ ସାଧାରଣ ଲୋକେ ବାଲେଶ୍ୱର ଜିଲା କାରଗାରର ପରିଦର୍ଶନ କରିଥିଲେ । ଏଠାରେ ବାଘାଯତୀନଙ୍କ ଦୁଇ ସାଥୀ ନରେନ୍ଦ୍ର ଦାସଗୁପ୍ତ, ମନୋରଞ୍ଜନ ସେନଗୁପ୍ତଙ୍କୁ ଦିଆ ଯାଇଥିବା ଫାଶୀ ସ୍ଥଳ ଏବଂ ସମାଧିସ୍ଥଳରେ ସାମୂହିକ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ