ଉପକୂଳବାସୀଙ୍କ ଜୀବନ ଜୀବିକା ବିକାଶ ସମ୍ବନ୍ଧୀୟ, ୩ୟ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା):ଉପକୂଳବାସୀଙ୍କ ଜୀବନ ଜୀବିକା ବିକାଶ କ୍ଷେତ୍ରରେ ଓଡିଶା ସରକାରଙ୍କ ପକ୍ଷରୁ ଏକ ଉଲ୍ଲେଖନୀୟ ପ୍ରକଳ୍ପ ହାତକୁ ନିଆଯାଇଛି । ଭାରତର ଉପକୂଳବର୍ତ୍ତୀ ସଂପ୍ରଦାୟର ଜଳବାୟୁ ସ୍ଥିରତା ବୃଦ୍ଧି କରିବା (ଇସିଆରଆଇସିସି) ପ୍ରକଳ୍ପ ମାଧ୍ୟମରେ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗକୁ ଏହି ଦାୟିତ୍ୱ ନ୍ୟସ୍ତ କରାଯାଇଛି । କୃଷି, ମତ୍ସ୍ୟ, ପଶୁ ଓ ସମ୍ପଦ, ଉଦ୍ୟାନ, ଜଳବିଭାଜିକା ଆଦି ବିଭିନ୍ନ ବିଭାଗର ସମନ୍ୱୟ ମଧ୍ୟରେ ଉପକୂଳବାସୀଙ୍କ ଜୀବନ ଜୀବିକା ବିକାଶ ଦିଗରେ(ଇସିଆରଆଇସିସି)ପ୍ରକଳ୍ପକୁ କାର୍ଯ୍ୟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପକୁ ଉତ୍ତମ ରୂପେ ପରିଚାଳନା ନିମନ୍ତେ ଏକ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ଗଠନ କରାଯାଇଛି । ଏହି କମିଟିର ଅଧ୍ୟକ୍ଷ ଗଞ୍ଜାମ ଜିଲ୍ଲାପାଳ ରହିଥିବା ବେଳେ ନୋଡାଲ ଅଫିସର ବ୍ରହ୍ମପୁର ଡିଏଫ୍‌ଓ ରହିଛନ୍ତି । ଜିଲ୍ଲାସ୍ତରୀୟ ସମନ୍ୱୟ କମିଟିର ତୃତୀୟ ବୈଠକ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଅଧ୍ୟକ୍ଷତା କରି ଉପକୂଳବାସୀଙ୍କ ଆବଶ୍ୟକ ଏବଂ ସେମାନଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ପ୍ରକଳ୍ପକୁ କାର୍ଯ୍ୟ କରାଯିବାକୁ ପରାମର୍ଶ ଦେଇଛନ୍ତି । ଗଞ୍ଜାମ ଜିଲ୍ଲାର ଚିକିଟି, ରଙ୍ଗେଇଲୁଣ୍ଡା, ଗଞ୍ଜାମ ଓ ଖଲ୍ଲିକୋଟ ବ୍ଲକ ପ୍ରମୁଖ ୪ ଟି ବ୍ଲକର ଉପକୂଳବାସୀଙ୍କ ଜୀବନ ଜୀବିକାର ବିକାଶ ଦିଗରେ ଏହି ପ୍ରକଳ୍ପ କାର୍ଯ୍ୟ କରାଯାଉଛି । ଏଥିପାଇଁ ୩୩ କୋଟି ଟଙ୍କା ବିଭିନ୍ନ କ୍ଷେତ୍ରରେ ଖର୍ଚ୍ଚ କରାଯିବ । ଗ୍ରିନ୍ କ୍ଲାଇମେଟ୍ ଫଣ୍ଡ୍‌, ୟୁଏନ୍‌ଡିପି ଏବଂ ଦୁଇଗୋଟି ସ୍ୱେଚ୍ଛାସେବୀ ସଂସ୍ଥା ‘ଲିପିକା’ ଓ ‘ପଲ୍ଲିଶ୍ରୀ’ ଓଡିଶା ସରକାରଙ୍କ ସହଯୋଗ କରୁଛନ୍ତି । ଉପକୂଳରେ ଥିବା ମତ୍ସ୍ୟଜୀବୀଙ୍କୁ ଜୀବନ ଜୀବିକା ତଥା ସେମାନେ ଆତ୍ମନିର୍ଭରଶୀଳରେ ବିକାଶ କ୍ଷେତ୍ରରେ ଉତ୍ପାଦକ ଓ ବ୍ୟବସାୟୀ କ୍ଷେତ୍ରରେ ଅନୁଦାନକୁ ବିନିଯୋଗ କରାଯିବ । ସେହିପରି କୃଷି, ଉଦ୍ୟାନ, ପଶୁ ଓ ସମ୍ପଦ ବିଭାଗ ଏବଂ ଜଳ ବିଭାଜିକା ବିଭାଗର ବିଭିନ୍ନ ଯୋଜନା ଗୁଡିକ ଯେପରି ଏହି ପ୍ରକଳ୍ପ ମାଧ୍ୟମରେ ଉପକୂଳବାସୀଙ୍କ ପାଇଁ ଉପଯୁକ୍ତ ସହାୟକ ହୋଇପାରିବ ସେଥିଲାଗି ଏକ ଖସଡା ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ କହିଛନ୍ତି । ଏହି କମିଟିର ନୋଡାଲ ଅଫିସର ତଥା ବ୍ରହ୍ମପୁର ଡିଏଫ୍‌ଓ ସନି ଖୋଖାର ବିଭିନ୍ନ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଡିପିଆର୍ ତଥ୍ୟକୁ ପ୍ରକଳ୍ପର ଜିଲ୍ଲା ସଂଯୋଜକ ରଞ୍ଜନ କୁମାର ଭୋଇ ଜିଲ୍ଲାପାଳଙ୍କ ନିକଟରେ ଉପସ୍ଥାପନା କରିଥିଲେ । ଏହାସହିତ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହିତ ଜିଲ୍ଲାପାଳ ଆଲୋଚନା କରିଥିଲେ । ଜଳବାୟୁ ପରିବର୍ତ୍ତନକୁ ଆଧାର କରି ମତ୍ସ୍ୟଜୀବୀ, କୃଷି, ପ୍ରାକୃତିକ ସଂରକ୍ଷଣ ଏବଂ ‘ହେନ୍ତାଲ ବଣ’ ସୃଷ୍ଟି କରିବାରେ ଏହି ପ୍ରକଳ୍ପକୁ ପ୍ରାଧାନ୍ୟ ରହିଛି । ଏଣୁ ସମସ୍ତ ବିଭାଗର ଉଚିତ୍ ସମନ୍ୱୟ ରଖି ପ୍ରକଳ୍ପ କାର୍ଯ୍ୟକୁ ସୁରୁଖୁରୁରେ ପରିଚାଳନା କରାଗଲେ ଉପକୂଳବାସୀ ପ୍ରକୃତରେ ଉପକୃତ ହୋଇପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି । ବୈଠକରେ ବ୍ରହ୍ମପୁର ଡିଏଫ୍‌ଓ ଶ୍ରୀ ଖୋଖାର, ଜଳ ବିଭାଜିକାର ପ୍ରକଳ୍ପ ନିର୍ଦ୍ଦେଶକ ଶୁଭେନ୍ଦୁ କୁମାର ଦାଶ, ଚିଲିକା ବନ୍ୟଜନ୍ତୁ ବିଭାଗର ଏସିଏଫ୍ ସପ୍ତାଦୀ ମିଶ୍ର, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଦିଲ୍ଲୀପ କୁମାର ଖୁଣ୍ଟିଆ, ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ ଡ.କନ୍ଦ ଜେନା, ମିସନ୍ ଶକ୍ତିର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶାଶ୍ୱତ କୁମାର ସାହୁଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ