ଉପକୂଳୀୟ ଜମି ଓ ଜଙ୍ଗଲ ସୁରକ୍ଷା ସମିତିର ନେତାଙ୍କୁ ଜାତୀୟ ନିରାପତ୍ତା ଆଇନ ବଳରେ ଅଟକ ରଖିବାକୁ ନିନ୍ଦା ଓ ବିରୋଧ
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :-ଉପକୂଳୀୟ ଜମି ଓ ଜଙ୍ଗଲ ସୁରକ୍ଷା ସମିତିର ଆବାହକ ବଟକୃଷ୍ଣ ସ୍ୱାଇଁଙ୍କୁ ‘ଜାତୀୟ ନିରାପତ୍ତା ଆଇନ’ (ଏନଏସଏ) ବଳରେ ଅଟକ ରଖିବା ପାଇଁ ଗତ ମଇ 2 ତାରିଖରେ ଓଡିଶା ସରକାର ଦେଇଥିବା ନିର୍ଦ୍ଦେଶକୁ ‘ମାନବ ଅଧିକାର ସୁରକ୍ଷା ମଞ୍ଚ’ ଦୃଢ଼ ନିନ୍ଦା କରିବା ସହ ତୁରନ୍ତ ଏହି ମିଥ୍ୟା କେସ ପ୍ରତ୍ୟାହାର କରିବା ପାଇଁ ଦାବି କରିଛି l ପ୍ରକାଶ ଥାଉ କି, ଦୀର୍ଘ ବର୍ଷ ଧରି ପୁରୀ ଜିଲ୍ଲା ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ସିପସରୁବାଲି ଜମି ଉପରେ ସ୍ଥାନୀୟ ଭୂମିହୀନ ଦଳିତ ଓ ଗରିବମାନଙ୍କର ଜୀବିକା ଓ ବସତି ସ୍ଥାପନ ହୋଇଛି l ସିପସରୁବାଲି ମୌଜାର ସିଲିଂ ବହିର୍ଭୁତ ଜମିକୁ ଦଳିତ ଭୂମିହୀନ ପରିବାରମାନଙ୍କୁ ବଣ୍ଟନ ପାଇଁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ରାଜ୍ୟ ସରକାର ଉକ୍ତ ଜମିକୁ ମାଫିଆଙ୍କ କବଳରୁ ମୁକ୍ତ କରି ଲୋକଙ୍କୁ ଏହାର ସତ୍ଵ- ଅଧିକାର ଦେବା ପରିବର୍ତ୍ତେ ଶାମୁକା ପ୍ରକଳ୍ପ ନାଁରେ ହୋଟେଲ ଓ ବିମାନ ବନ୍ଦର ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି,ଯାହାଫଳରେ ବହୁ ଜନ ଜୀବନ ବିସ୍ଥାପିତ ହେବା ସହ ବାତ୍ୟା ପ୍ରବଣ ପୂରୀ ଉପକୂଳ ପରିବେଶ ପ୍ରତି ଏକ ବଡ଼ ବିପଦ ଦେଖାଯିବ l ବଟକୃଷ୍ଣ ସ୍ୱାଇଁଙ୍କ ନେତୃତ୍ୱରେ ‘ଉପକୂଳୀୟ ଜମି ଜଙ୍ଗଲ ସୁରକ୍ଷା ସମିତି’ ରାଜ୍ୟ ସରକାରଙ୍କ ଏହି ହୀନ ଉଦ୍ୟମକୁ ବିରୋଧ କରିବା ସଙ୍ଗେ ସଙ୍ଗେ ଉକ୍ତ ଜମିକୁ ଭୂମିହୀନ ପରିବାରଙ୍କୁ ବଣ୍ଟନ ଓ ପ୍ରକୃତି ପରିବେଶର ସୁରକ୍ଷା ପାଇଁ ଦାବି କରି ଆସୁଅଛି । ଯାହାର ପରିଣାମ ସ୍ୱରୂପ, ବଟକୃଷ୍ଣ ସବୁବେଳେ ସ୍ଥାନୀୟ ଜମି ମାଫିଆ ଓ ଜିଲ୍ଲା ପ୍ରଶାସନର କୋପ ଦୃଷ୍ଟିରେ ରହିଆସିଛନ୍ତି । ପୂର୍ବରୁ ୨୦୧୫ ମସିହାରେ ‘ଜାତୀୟ ନିରପତ୍ତା ଆଇନ’ରେ ଅଟକ ରଖିବା ସହ ତାଙ୍କୁ ବିଭିନ୍ନ ମାମଲାରେ ଗିରଫ କରା ଯାଇଥିଲl l ସେତେବେଳେ ହାଇକୋର୍ଟଙ୍କ ଉପଦେଷ୍ଟା ବୋର୍ଡ଼ ନିରପତ୍ତା ଆଇନ ବଳରେ ତାଙ୍କୁ ଅଟକ ରଖିବା ବିଷୟକୁ ଅଯଥାର୍ଥ ବୋଲି ଦର୍ଶାଇଥିଲେ l ପ୍ରାୟ ଦେଢ଼ ଡଜନରୁ ଅଧିକ ମିଛ ଓ ମନଗଢ଼ା ମାମଲାରେ ତାଙ୍କୁ ଛନ୍ଦି ଦିଆଯାଇଥିବାରୁ ଗତ ୧୬ ଅଗଷ୍ଟ ୨୦୨୧ ତାରିଖ ଠାରୁ ସେ ପୁରୀ ଜିଲ୍ଲା କାରାଗାରରେ ବିଚରାଧୀନ କଏଦୀ ଭାବେ ରହିଛନ୍ତି । ଏହି ସବୁ ମାମଲାରେ ଜାମିନ ପାଇ ୧୨ ଅପ୍ରେଲ ୨୦୨୨ରେ ଜେଲରୁ ମୁକ୍ତ ହେବା ବେଳେ, ଠିକ୍ ଫାଟକ ମୁହଁରୁ ହିଁ ତାଙ୍କୁ ଆଉ ଏକ ମିଛ ମାମଲାରେ ପୁଲିସ ଗିରଫ କରିନେଇଥିଲା। ବଟକୃଷ୍ଣଙ୍କ ନେତୃତ୍ୱରେ ଚାଲିଥିବା ଜମି ଅଧିକାର ଓ ପରିବେଶ ସୁରକ୍ଷା ଆନ୍ଦେlଳନକୁ ଦବେଇ ଦେବା ପାଇଁ ପୁଣି ଥରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଷଡଯନ୍ତ୍ରମୂଳକ ଭାବେ ତାଙ୍କୁ ‘ଜାତୀୟ ନିରପତ୍ତା ଆଇନ’ ବଳରେ ଅଟକ ରଖିଛନ୍ତି । ଲୋକଙ୍କ ପ୍ରତିବାଦକୁ ଗଣତାନ୍ତ୍ରିକ ଉପାୟରେ ସମାଧାନ ନକରି ରାଜ୍ୟ ସରକାର ଦମନର ରାସ୍ତା ଆପଣାଉଛନ୍ତି ଏବଂ ଲୋକଙ୍କ ବିରୁଦ୍ଧରେ ଡକାୟତି ଓ ଘରପୋଡ଼ି ଭଳି କଠୋର ଦଫା ଲଗାଇବା ସହ ଜାତୀୟ ନିରପତ୍ତା ଆଇନ ଭଳି କଳା ଆଇନକୁ ପ୍ରୟୋଗ କରୁଛନ୍ତି । ବଟକୃଷ୍ଣ ସ୍ୱାଇଁଙ୍କ ବିରୁଦ୍ଧରେ ଲଗାଯାଇଥିବା ଜାତୀୟ ନିରପତ୍ତା ଆଇନ ତଥା ଅନ୍ୟାନ୍ୟ ମାମଲା ତୁରନ୍ତ ପ୍ରତ୍ୟାହାର କରିବା,ଉପକୂଳୀୟ ଜମି ଓ ଜଙ୍ଗଲ ସୁରକ୍ଷା ସମିତିର ସକ୍ରିୟ କର୍ମୀମାନଙ୍କ ବିରୁଦ୍ଧରେ ଥିବା ସମସ୍ତ ମିଥ୍ୟା ମାମଲା ଅବିଳମ୍ବେ ପ୍ରତ୍ୟାହାର କରିବା,ହାଇକୋର୍ଟ ଆଦେଶକୁ କାର୍ଯ୍ୟକାରୀ କରିବା ସହ ସ୍ଥାନୀୟ ପ୍ରତ୍ୟେକ ଭୂମିହୀନ ଦଳିତ ପରିବାରମାନଙ୍କୁ ଜମି ବଣ୍ଟନ କରାଯିବା,ବାତ୍ୟା ପ୍ରବଣ ପୁରୀ ଜିଲ୍ଲାରେ ପରିବେଶ ବିନାଶକାରୀ ବିମାନ ବନ୍ଦର ନିର୍ମାଣ ଓ ଶାମୁକା ପ୍ରକଳ୍ପକୁ ରଦ୍ଦ କରାଯିବା ଓ ଜମି, ଜଙ୍ଗଲ, ଜୀବିକା ଓ ପରିବେଶର ସୁରକ୍ଷା ପାଇଁ ଚାଲୁଥିବା ସମସ୍ତ ଆନ୍ଦୋଳନକୁ ଆଇନ ଶୃଙ୍ଖଳାର ବିଷୟ ନକରି ଗଣତାନ୍ତ୍ରିକ ରାସ୍ତାରେ ଆଲୋଚନା ଦ୍ଵାରା ସମାଧାନ କରାଯିବାକୁ ମାନବ ଅଧିକାର ସୁରକ୍ଷା ମଞ୍ଚ ର ଆବାହକ ଆଇନଜୀବି ଅବନୀ ଗୟା ଏକ ପ୍ରେସବିବୃତ୍ତି ମାଧ୍ୟମରେ ଦାବି କରିଛନ୍ତି l


