ଉପକୂଳ ସଫେଇ ଅଭିଯାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଚିଲିକା ମଝିରେ ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର କାଙ୍କଣଶିଖରୀ । ଜଗନ୍ନାଥ ସଂସ୍କୃତିର ଏହି ପୀଠ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ମର୍ଯ୍ୟଦା ବହନ କରିଥାଏ । ଉକ୍ତ ପୀଠରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ‘ମୋ ଭାରତ’ ଖୋର୍ଦ୍ଧା, ସାମାଜିକ ଅନୁଷ୍ଠାନ ଲିଟିଲ୍ ଷ୍ଟେପ୍ କ୍ଲବ ଓ ବିବେକାନନ୍ଦ ୟୁଥ୍ କ୍ଲବ, ଛଣଗିରିର ମିଳିତ ସହଯୋଗରେ ଏକ ଉପକୂଳ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ‘ସ୍ୱଚ୍ଛତା ହିଁ ସେବା’ ମନ୍ତ୍ରକୁ ସ୍ୱେଚ୍ଛାସେବୀମାନେ ଆପଣାଇ ମନ୍ଦିରର ଚତୁଃପାଶ୍ୱର୍ରେ ଏଣେତେଣେ ହୋଇ ପଡ଼ିଥିବା କୁଢ଼ କୁଢ଼ ପ୍ଲାଷ୍ଟିକ ବୋତଲ ଓ ଗ୍ଲାସ୍, ପଲିଥିନ୍ ଏବଂ ଆପତ୍ତିଜନକ ଜିନିଷ ଯଥା:- ମଦ ବୋତଲ, ସିଗାରେଟ୍, ବିଡ଼ି, ଗୁଟ୍ଖା ଖୋଳ ଆଦିକୁ ସ୍ୱେଚ୍ଛାସେବୀମାନେ ପରିଷ୍କାର ପରିଚ୍ଛନ୍ନ କରିଥିଲେ । ଏଭଳି ଐତିହ୍ୟ ସମ୍ପନ୍ନ ମନ୍ଦିର ପରିସରରେ ଆପତ୍ତିଜନକ ଦ୍ରବ୍ୟର ପ୍ରବେଶକୁ ନେଇ ସ୍ୱେଚ୍ଛାସେବୀମାନେ ଉଦ୍ବେଗ ପ୍ରକାଶ କରିବା ସଙ୍ଗେ ଏ ଦିଗରେ ସ୍ଥାନୀୟ ପ୍ରଶାସନ କର୍ତ୍ତୃପକ୍ଷ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଦାବି କରିଥିଲେ । କାର୍ଯ୍ୟକ୍ରମକୁ ‘ମୋ ଭାରତ’ର ଯୁବ ଅଧିକାରୀ ବିପିନ୍ କୁମାର, ସାମାଜିକ କର୍ମୀ ପ୍ରକାଶ କୁମାର ଗୁମାନ ସିଂ, କୁଳମଣି ମଲ୍ଲିକ, ଶୁଭେନ୍ଦ୍ରନାଥ ସାହୁ ଏବଂ ସାମାଜିକ ଅନୁଷ୍ଠାନର ସଦସ୍ୟ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।