ଉପଖଣ୍ଡସ୍ତରୀୟ ଭୋଟର ତାଲିକା ପ୍ରାଥମିକ ସଂଶୋଧନ ପ୍ରସ୍ତୁତି ବୈଠକ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଛତ୍ରପୁର ଉପଖଣ୍ଡସ୍ତରୀୟ ଭୋଟର ତାଲିକା ପ୍ରାଥମିକ ସଂଶୋଧନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର ଏହି ବୈଠକରେ ଅଧ୍ୟକ୍ଷତା କରି ଉପଖଣ୍ଡ ଅଧିନରେ ଥିବା ଭୋଟର ତାଲିକା କିପରି ସଂଶୋଧିତ ଭୋଟର ତାଲିକା ପ୍ରସ୍ତୁତି କରାଯାଇପାରିବ ସେଥିପ୍ରତି ଉପଖଣ୍ଡସ୍ତରର ବିଡିଓ, ତହସଲିଦାର, ଜିପିଇଓ ଓ ବୈଷୟିକ ବ୍ୟକ୍ତି ବିଶେଷଙ୍କୁ ପରାମର୍ଶ ଦେଇଛନ୍ତି । ଏଥିଲାଗି ଘରକୁ ଘର ବୁଲି ନୂତନ ଭୋଟରମାନଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ କୁହାଯାଇଛି । ଉପଖଣ୍ଡସ୍ତରରେ ମହିଳା ଭୋଟରଙ୍କ ସଂଖ୍ୟା କମ୍ ରହିଥିବା ବେଳେ ଅଧିକରୁ ଅଧିକ ମହିଳା ଭୋଟରମାନଙ୍କୁ ଅନ୍ତର୍ଭୁକ୍ତ କରିବାକୁ ହେବ । ଉପଖଣ୍ଡରେ ୧୦୦୦ ପୁରୁଷ ଭୋଟର ତୁଳନାରେ ମହିଳା ଭୋଟର ୮୧୪ ଅନୁପାତ ରହିଛି । ଏଣୁ ମହିଳା ଭୋଟରଙ୍କୁ ସାମିଲ କରିବା ପାଇଁ ଗୁରୁତ୍ୱ ଦିଆଯିବ । ସେହିପରି ବିଭିନ୍ନ ସ୍କୁଲ, କଲେଜ ଏବଂ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ଇଲେକ୍ଟ୍ରିଆଲ୍ ଲିଟେରେସି କ୍ଲବ୍ ଖୋଲାଯିବ । ସେହି ଅଞ୍ଚଳର ଭୋଟରମାନଙ୍କ ନାମ ସଂଯୋଗ, ସ୍ଥାନାନ୍ତର ଏବଂ ତ୍ରୁଟି ସମାଧାନ କରାଯିବ । ଅକ୍ଟୋବର ୧୭ ତାରିଖରେ ଭୋଟର ତାଲିକା ପ୍ରସ୍ତୁତ ପାଇବ । ଏଥିରେ କାହାରି କିଛି ଆପତ୍ତି ଅଭିଯୋଗ ଥିଲେ ତାହାକୁ ସାମାଧାନ କରାଯାଇପାରିବ । ୨୦୨୪ ଜାନୁଆରି ୫ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଏଣୁ ଏହି ସମୟସୀମା ମଧ୍ୟରେ ନୂତନ ଭୋଟରମାନଙ୍କୁ କିପରି ନୂତନ ଭୋଟର ତାଲିକାରେ ସ୍ଥାନ ପାଇବେ ଏବଂ ଯେଉଁ ଭୋଟରମାନଙ୍କ ତାଲିକାରେ ତ୍ରୁଟି ରହିଥିବ ସେଗୁଡିକୁ ସଂଶୋଧିତ କରି ଏକ ଶୁଦ୍ଧ ଚୂଡାନ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ପଦକ୍ଷେପ ନେବାକୁ ଉପଜିଲ୍ଲାପାଳ ଶ୍ରୀ ପାତ୍ର ପରାମର୍ଶ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିର୍ବାଚନ ବିଭାଗର କନିଷ୍ଠ ରାଜସ୍ୱ ସହାୟକ ଦୁର୍ଗାପ୍ରସାଦ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଉପଖଣ୍ଡର ସମସ୍ତ ବିଡିଓ, ତହସିଲଦାର, ଜିପିଇଓ ଓ ବୈଷୟକି ପରାମର୍ଶଦାତାମାନେ ଉପସ୍ଥିତ ଥିଲେ ।