ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କଲେ ସିଡ଼ିଏମଓ
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ,ଶେଷଦେବ ସାହୁ ): ଗଂଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ାକ୍ତର ବିଜୟ କୁମାର ପାଣିଗ୍ରାହୀ ମଙ୍ଗଳବାର ହିଂଜିଳିକାଟୁ ଗ୍ରସ୍ତରେ ଆସି ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ବୁଲି ଦେଖିଥିଲେ । ଚିକିତ୍ସାଳୟର ସ୍ୱଛତା ବୁଲି ଦେଖିବା ସହ ଚିକିତ୍ସା ସେବା ବିଷୟରେ ରୋଗୀ ମାନଙ୍କୁ ପଚାରି ବୁଝିଥିଲେ । ନିରାମୟ ଯୋଜନାରେ ୧୮୩ ପ୍ରଜାତିର ଔଷଧ ଉପଲବ୍ଧ ଅଛି କି ନାହିଁ ପଚାରି ବୁଝିବା ସହ ସଠିକ୍ ସମୟରେ ନିରାମୟ ଔଷଧ ବିତରଣ କେନ୍ଦ୍ର ଖୋଲାଯାଉଛି କି ନାହିଁ, ରୋଗ ନିଦାନ କେନ୍ଦ୍ରରେ ରକ୍ତ, ମଳ, ମୂତ୍ର, କଫ, ଗର୍ଭ ସଠିକ ଭାବେ ପରୀକ୍ଷା କରାଯାଉଛି କି ନାହିଁ ପଚାରି ବୁଝିବା ସହ ଚିକିତ୍ସାଳୟ ପରିସର ବୁଲି ଦେଖିଥିଲେ । ରୋଗୀଙ୍କୁ ଉନ୍ନତ ମାନର ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ପରାମର୍ଶ ଦେଇଥିଲେ । ଚିକିତ୍ସାଳୟରେ କାର୍ଯ୍ୟରତ ୭ ଜଣ ଚିକିତ୍ସକଙ୍କ ମଧ୍ୟରୁ ୩ ଚିକିତ୍ସକଙ୍କ ପଦୋନ୍ନତି ପାଇଁ ଅନ୍ୟତ୍ର ସ୍ଥାନାନ୍ତରିତ ହେଉଥିବା ଯୋଗୁଁ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସକ ନିଯୁକ୍ତି ସକାଶେ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ାକ୍ତର ପ୍ରତିଭା ପାତ୍ର, ସିଡ଼ିଏମଓ ପାଣିଗ୍ରାହୀଙ୍କୁ ଅନୁରୋଧ କରିଥିଲେ । ସିଡ଼ିଏମଓ ପାଣିଗ୍ରାହୀଙ୍କ ଗ୍ରସ୍ତ ସମୟରେ ଡ଼ାକ୍ତର ମାଧବ କୁମାର ସାହୁ, ଡ଼ାକ୍ତର ଦୁର୍ଗା ପ୍ରସାଦ ପଣ୍ଡା, ଡ଼ାକ୍ତର ଶେଖ ଅନସାରୀ ଅଲ୍ଲୀ, ଡ଼ାକ୍ତର ପାର୍ଥସାରଥୀ ନାୟକ, ଫାର୍ମାସିଷ୍ଟ କାର୍ତିକେଶ୍ୱର ସାହୁ, ସତ୍ୟ ପଟ୍ଟନାୟକ, ରଶ୍ମିତା ସ୍ୱାଇଁ, ପ୍ରଜ୍ଞା ବରଡ଼ଙ୍କ ସମେତ ଚିକିତ୍ସାଳୟର ବହୁ କର୍ମଚାରୀ ଉପସ୍ଥିତ ଥିଲେ ।