ଉପଖଣ୍ଡ ଚିକିତ୍ସାଳୟ ବିଶୋଧିତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ଗୁରୁବାର ସାନିଟାଇଜ୍ କରାଯାଇଛି । ଉପଖଣ୍ଡ ଚିକିତ୍ସାଳୟର ସମସ୍ତ ଡ଼ାକ୍ତର ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଚିକିତ୍ସାଳୟର ଭାରପ୍ରାପ୍ତ ଚିକିତ୍ସାଧିକାରିଣୀ ଡ଼ାକ୍ତର ପ୍ରତିଭା ପାତ୍ର କହିଛନ୍ତି । ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ଆଟେଣ୍ଡାଂଟଙ୍କ କରୋନା ପଜିଟିଭ ଚିହ୍ନଟ ହେବା ପରେ ସ୍ଥାନୀୟ ପ୍ରଶାସନ ଏଭଳି ପଦକ୍ଷେପ ଗ୍ରହଣ କରିଛି । ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ଅଗ୍ନିଶମ ବାହିନୀ ଭାରପ୍ରାପ୍ତ ଅଧିକାରୀ ପ୍ରମୋଦ କୁମାର ଭୁୟାଁଙ୍କ ତତ୍ୱାବଧାନରେ କର୍ମଚାରୀ ମାନେ ଉପଖଣ୍ଡ ଚିକିତ୍ସାଳୟ ପରିସର ସାନିଟାଇଜ୍ କରିଛନ୍ତି । ଏହି ଘଟଣା ପରେ ଚିକିତ୍ସାଳୟକୁ ରୋଗୀ ମାନେ ଚିକିତ୍ସା ସକାଶେ ଆସିବାକୁ ଭୟ କରୁଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ଉପରେ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଗ୍ରାମାଂଚଳର ଜନ ସାଧାରର ନିର୍ଭର କରିବା ସହ ଚିକିତ୍ସାଳୟରେ ସଦା ସର୍ବଦା ରୋଗୀଙ୍କ ଭିଡ଼ ପରିଲିକ୍ଷିତ ହେଉଥିବା ବେଳେ ଚିକିତ୍ସାଳୟର ଜୈନିକ କର୍ମଚାରୀ କରୋନା ଚିହ୍ନଟ ହେବା ପରେ ପୂର୍ବପରି ରୋଗୀଙ୍କ ଭିଡ଼ ଦେଖିବାକୁ ମିଳୁନାହିଁ । ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କ ପଜିଟିଭ ଜଣାପଡ଼ିବା ପରେ ଚିକିତ୍ସା ସକାଶେ ତାଙ୍କୁ ସ୍ଥାନୀୟ କୋଭିଡ଼-୧୯ ହସପିଟାଲରେ ଭର୍ତି କରାଯାଇଛି । ସଂପୃକ୍ତ ଆକ୍ରାନ୍ତ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ମେଡ଼ିକାଲ ନୋଡ଼ାଲ ଅଧିକାରୀ ଡ଼ାକ୍ତର ଦୁର୍ଗା ପ୍ରସାଦ ପଣ୍ଡାଙ୍କ ସୁତ୍ରରୁ ପ୍ରକାଶ ।