ଉପନିର୍ବାଚନରେ ମତଦାନ ପାଇଁ କର୍ମଚାରୀଙ୍କୁ ସବୈତନିକ ଛୁଟି
ବାଲେଶ୍ୱର,(ୱାଇଏନ୍ଏସ୍): ବିଭିନ୍ନ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀ ଯେଉଁମାନେ ଉପନିର୍ବାଚନରେ ମତଦାନ ପାଇଁ ଯୋଗ୍ୟ ଭୋଟର ଭାବେ ପଞ୍ଜୀକୃତ ହୋଇଥିବେ ସେମାନେ ଭୋଟଗ୍ରହଣ ଦିନ ସବୈତନିକ ଛୁଟି ପାଇବେ । ଜନ ପ୍ରତିନିଧିତ୍ୱ ଅଧିନିୟମ, ୧୯୫୧ର ଧାରା ୧୩୫(ଖ) ଅନୁଯାୟୀ ଯେ କୌଣସି ସଂସ୍ଥା, ଶିଳ୍ପାନୁଷ୍ଠାନ କିମ୍ବା ବାଣିଜ୍ୟିକ ଅନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀମାନେ ଏହି ସୁବିଧା ଲାଭ କରିପାରିବେ ବୋଲି ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି । ଆସନ୍ତା ନଭେମ୍ବର ୩ ତାରିଖରେ ବାଲେଶ୍ୱର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ମତ ସାବ୍ୟସ୍ତ ପାଇଁ ଯୋଗ୍ୟ ଭୋଟରମାନଙ୍କୁ ନିଯୁକ୍ତିଦାତାମାନେ ଛୁଟି ମଞ୍ଜୁର କରିବେ । ଏଥିପାଇଁ ସେମାନେ ସେହିଦିନ କର୍ମଚାରୀଙ୍କ ଦରମା / ମଜୁରୀ କାଟିପାରିବେ ନାହିଁ । ଯଦି ନିଯୁକ୍ତିଦାତା ଏହାର ଉଲ୍ଲଙ୍ଘନ କରନ୍ତି ତେବେ ଧାରା ୧୩୫(ଖ)ର ଉପଧାରା ‘୧’ ଏବଂ ‘୨’ ଅନୁଯାୟୀ ସେମାନଙ୍କୁ ୫ଶହ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯିବ । ତେବେ ଏହା ସେଭଳି ମତଦାତାଙ୍କ କ୍ଷେତ୍ରରେ ଲାଗୁ ହେବ ନାହିଁ, ଯେଉଁମାନଙ୍କ ଅନୁପସ୍ଥିତି ଯୋଗୁଁ ବଡ ବିପଦ କିମ୍ବା କ୍ଷତି ହେବାର ଆଶଙ୍କା ରହିଛି । ନିୟମାନୁଯାୟୀ ଯେଉଁ ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହେଉଛି ସେଠାରେ ସମସ୍ତ ଦୋକାନ, ବଜାର, ବାଣିଜ୍ୟିକ ଅନୁଷ୍ଠାନ ଏପରିକି ସିଫ୍ଟରେ କାମ କରୁଥିବା ଅନୁଷ୍ଠାନଗୁଡିକ ମଧ୍ୟ ବନ୍ଦ ରହିବ । ଯେଉଁ ଯୋଗ୍ୟ ମତଦାତା ନିଜ ନିର୍ବାଚନ ମଣ୍ଡଳୀରେ ନ ରହି କର୍ମସଂସ୍ଥାନ ପାଇଁ ବାହାରେ ଅବସ୍ଥାନ କରୁଥାନ୍ତି, ସେମାନେ ମଧ୍ୟ ଏହି ସୁବିଧା ଲାଭ କରିପାରିବେ । ଜନ ପ୍ରତିନିଧିତ୍ୱ ଅଧିନିୟମ, ୧୯୫୧ର ଧାରା ୧୩୫(ଖ) ଅନୁଯାୟୀ ଦିନ ମଜୁରିଆ, ଅନିୟମିତ କର୍ମଚାରୀଙ୍କ କ୍ଷେତ୍ରରେ ମଧ୍ୟ ଏହା ଲାଗୁ ହେବ ଏବଂ ସେମାନେ ମଧ୍ୟ ସବୈତନିକ ଛୁଟିର ସୁବିଧା ପାଇପାରିବେ । ତେଣୁ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସଂସ୍ଥା, ବେସରକାରୀ ଓ ବାଣିଜ୍ୟିକ ଅନୁଷ୍ଠାନମାନଙ୍କୁ ଅନୁରୋଧ କରାଯାଇଛି ।


