ଉପନିର୍ବାଚନ ନିମନ୍ତେ ଶିକ୍ଷକ ମାନଙ୍କ ପଦବୀକୁ ନେଇ ଅସନ୍ତୋଷ
ଜଗତସିଂହପୁର,(ଅନସୂୟା ରାଉତ): ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଆଗାମୀ ନଭେମ୍ବର ମାସରେ ଉପନିର୍ବାଚନ ହେବାକୁ ଯାଉଛି । ଏହି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ସରିଛି। ନିର୍ବାଚନକୁ ନିରପେକ୍ଷ ଭାବେ ଶେଷ କରିବା ପାଇଁ ଶିକ୍ଷକ ମାନଙ୍କୁ ଜଗତସିଂହପୁର ସ୍ବାମୀ ବିବେକାନନ୍ଦ ସ୍ମାରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ପ୍ରଥମ ପର୍ଯ୍ୟାୟରେ ତାଲିମ ପ୍ରଦାନ କରାଯାଇଛି। ଆସନ୍ତା କାଲି ଠାରୁ ଦ୍ୱତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପାଇଁ ତାଲିମ ପ୍ରଦାନ କରାଯିବ। କିନ୍ତୁ ଶିକ୍ଷକ ମାନଙ୍କ ମଧ୍ୟରେ ଏକ ଅଶାନ୍ତି କୁହୁଳୁ ଥିବାର ମୃଦ୍ଯୁ ଗୁଞ୍ଜରଣ ପଦାକୁ ଆସୁଛି । ଏହି ନିର୍ବାଚନ ପାଇଁ ଜଗତସିଂହପୁରର ବାଲିକୁଦା ଓ ଏରସମା ବ୍ଲକର ଅଧିକାଂଶ ଶିକ୍ଷକ ନିର୍ବାଚନ କାର୍ଯରେ ନିୟୋଜିତ ହୋଇଛନ୍ତି । ବାଲିକୁଦା ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କୁ ଫାଷ୍ଟ ପୋଲିଙ୍ଗ୍ ଅଫିସର ଭାବେ ନିୟୋଜିତ କରାଯାଇଛି । ଏପରିକି ବରିଷ୍ଠ ପ୍ରଧାନ ଶିକ୍ଷକ ଓ ବରିଷ୍ଠ ସହକାରୀ ଶିକ୍ଷକ ମାନଙ୍କୁ ସେହି ପଦବୀ ମିଳିଛି । କିନ୍ତୁ ଏରସମା ଅଞ୍ଚଳର ବହୁ ଶିକ୍ଷକ ଯେଉଁ ମାନଙ୍କ ନିଯୁକ୍ତି ଓ ବୟସ ସୀମା କମ୍ ଅଛି ସେମାନଙ୍କୁ ପ୍ରିଜାଇଡିଙ୍ଗ୍ ଭାବେ ଉପନିର୍ବାଚନରେ ନିୟୋଜିତ କରାଯାଇଛି । ଏପରିକି ଜଣେ ଓଇଏସ୍ କ୍ୟାଡର ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ସେକେଣ୍ଡ ପୋଲିଙ୍ଗ୍ ଅଫିସର ଭାବେ ନିଯୁକ୍ତି ପାଇଥିବା ଆଶ୍ଚର୍ଯ୍ୟ ଆମ ଜିଲ୍ଲାର ଆଲୋଚ୍ଯ ବିଷୟ ପାଲଟିଛି । ଏବେ ସବୁଆଡେ ଚର୍ଚ୍ଚା ଶିକ୍ଷକ ମାନଙ୍କ ତାଲିକା ପ୍ରସ୍ତୁତ କେଉଁ ମାନେ କରିଛନ୍ତି । କେଉଁ ଆଧାରରେ ଏପରି ପଦବୀ ପ୍ରଦାନ କରାଯାଇଛି । କେତେକ ସ୍ୱାଭିମାନୀ ଶିକ୍ଷକ ଏହିଘଟଣାକୁ ସହଜରେ ହଜମ୍ କରିପାରୁ ନାହାନ୍ତି । କେତେକ ଉଦାର ଶିକ୍ଷକ ଏହା ଦିନ କେଇଟାର କାମ କହି ସବୁ କଥା ଭୁଲିଯାଇଛନ୍ତି ।


