ଉପନିର୍ବାଚନ ପରିଚାଳନା ଲାଗି ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବାଲେଶ୍ୱର,(ୱାଇଏନ୍ଏସ୍): ଆସନ୍ତା ଉପ ନିର୍ବାଚନର ଉପଯୁକ୍ତ ପରିଚାଳନା ନିମନ୍ତେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଏକ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇଦିନିଆ ଶିବିରରେ ଜିଲ୍ଲାସ୍ତରୀୟ ମାଷ୍ଟର ଟ୍ରେନର ଏବଂ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ମାଷ୍ଟର ଟ୍ରେନରମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ୧୦ଜଣ ରାଜ୍ୟସ୍ତରୀୟ ମାଷ୍ଟର ଟ୍ରେନରମାନେ ଏହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଅକ୍ଟୋବର ୩ ତାରିଖ ଦିନ ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ବି.ପି.ରାୟ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶତ୍ରୁଘ୍ନ କର, ସଫ୍ଟୱେର ଇଞ୍ଜିନିୟର ଶ୍ରୀ ଇଦରିସ ପ୍ରମୁଖ ଭାଗ ନେଇଥିବା ବେଳେ ଅକ୍ଟୋବର ୪ ତାରିଖ ଦିନର ପ୍ରଶିକ୍ଷଣରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ରଘୁରାମ ଆୟାର, ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ସାହୁ, କ୍ରୀଡା ଓ ଯୁବ ସେବା ବିଭାଗ ଉପସଚିବ ଶ୍ରୀ ଶୈଳେନ୍ଦ୍ର କୁମାର ଜେନା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ଶ୍ରୀ ରାମକୃଷ୍ଣ ଟୁଙ୍ଗ ପ୍ରମୁଖ ଅଂଶଗ୍ରହଣ କରି ନିର୍ବାଚନ ପରିଚାଳନାର ବିଭିନ୍ନ ଦିଗ ସମ୍ପର୍କରେ ଉପସ୍ଥିତ ଅଧିକାରୀମାନଙ୍କୁ ବୁଝାଇଥିଲେ । ବିଶେଷ କରି ଉପ-ନିର୍ବାଚନର ଉତମ ପରିଚାଳନା ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ, ନିର୍ବାଚନୀ ଖର୍ଚ୍ଚ, ଆଇନଶୃଙ୍ଖଳା, ଇଭିଏମ-ଭିଭିପାଟ୍‌ର ବ୍ୟବହାର, ସମ୍ବେଦନଶୀଳ ବୁଥ ପାଇଁ ବ୍ୟବସ୍ଥା, ବୁଥ୍ ପରିଚାଳନା, କୋଭିଡ୍ କଟକଣା ଅନୁଯାୟୀ ନିର୍ବାଚନ ପରିଚାଳନା ଇତ୍ୟାଦି ଉପରେ ଏହି କାର୍ଯ୍ୟକ୍ରମ କେନ୍ଦ୍ରୀତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାୟ ୩୫ ଜଣ ଜିଲ୍ଲାସ୍ତରୀୟ ଓ ବିଧାନସଭା ନିର୍ବାଚନମଣ୍ଡଳସ୍ତରୀୟ ମାଷ୍ଟର ଟ୍ରେନର ଅଂଶଗ୍ରହଣ କରିଥିଲେ । ପ୍ରଶିକ୍ଷଣ ପରେ ସେମାନେ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସର ମାନଙ୍କୁ ଆବଶ୍ୟକୀୟ ପ୍ରଶିକ୍ଷଣ ପ୍ରଦାନ ସହିତ ନିର୍ବାଚନର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରାଇବେ । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିର୍ବାଚନ ସମ୍ପର୍କରେ ସେମାନଙ୍କର ସମସ୍ତ ଦ୍ୱନ୍ଦ୍ୱ ଦୂର କରିବାକୁ ପ୍ରଶିକ୍ଷାର୍ଥୀମାନଙ୍କୁ କହିଥିଲେ । ଏହି ଦୁଇଦିନିଆ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ନାୟକ, ପିଡି-ଡିଆରଡିଏ ଶ୍ରୀ ରବୀନ୍ଦ୍ର କୁମାର ସାହୁ, ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ଶ୍ରୀ ଆଶିଷ ଈଶ୍ୱର ପାଟିଲଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ