ଉପନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି
ବାଲେଶ୍ୱର,(ଓ୍ବାଇଏନ୍ଏସ୍): ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ଉପ-ନିର୍ବାଚନ ଲାଗି ତାରିଖ ଘୋଷଣା ହେବା ସହିତ ସମଗ୍ର ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଏହି ଆଦର୍ଶ ଆଚରଣ ବିଧି ପାଳନ ସଂକ୍ରାନ୍ତରେ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଛନ୍ତି । ଆଦର୍ଶ ଆଚରଣ ବିଧି କେବଳ ୩୮- ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ପାଇଁ ନୁହେଁ ବରଂ ସମଗ୍ର ଜିଲ୍ଲା ପାଇଁ ବୋଲି ଜିଲ୍ଲାପାଳ ସେମାନଙ୍କୁ ସୂଚିତ କରିଛନ୍ତି । ସେହିପରି ରାଜନୈତିକ ଦଳମାନେ ସେମାନଙ୍କର ପୋଲିଂ ଏଜେଂଟ ଏବଂ କାଉଂଟିଂ ଏଜେଂଟମାନଙ୍କୁ ନିର୍ବାଚନ ଆଚରଣ ବିଧି ଏବଂ ଅନ୍ୟାନ୍ୟ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ଆବଶ୍ୟକୀୟ ପ୍ରଶିକ୍ଷଣ ଦେବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ପରାମର୍ଶ ଦେଇଛନ୍ତି । ଏଥି ସହିତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଜିଲ୍ଲାପାଳ ସଂଶୟ/ଚିନ୍ତା ସୂଚୀ (Worry list) ବାବଦରେ ବୁଝାଇଥିଲେ । ରାଜନୈତିକ ଦଳମାନେ ଯଦି ନିର୍ବାଚନ ପ୍ରକ୍ରିୟାରେ ବାଧା ଉପୁଜିବା ଭଳି କୌଣସି ଘଟଣା ଘଟିବାରେ ଆଶଙ୍କା କରୁଥାଆନ୍ତି, ତାହା ହେଲେ ସେମାନେ ସେ ସମ୍ପର୍କରେ ସଂଶୟ/ଚିନ୍ତା ସୂଚୀ (Worry list) ପ୍ରସ୍ତୁତ କରି ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିପାରିବେ । କୌଣସି ସ୍ଥାନ, ବୁଥ୍ ବା ବ୍ୟକ୍ତିବିଶେଷଙ୍କ ସମ୍ପର୍କିତ ସୂଚନା ସେମାନେ ଏଥିରେ ଉଲ୍ଲେଖ କରିପାରିବେ । ଏହା ଦ୍ୱାରା ସେ ଦିଗରେ ପଦକ୍ଷେପ ନିଆଯାଇପାରିବ ଏବଂ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରାଯାଇପାରିବ । ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟରେ କୌଣସି ପାର୍ଟି କିମ୍ବା ପ୍ରାର୍ଥୀ ସରକାରୀ ସମ୍ପତିର ବିକୃତିକରଣ କିମ୍ବା ନଷ୍ଟ କରିପାରିବେ ନାହିଁ । କୌଣସି ଘରୋଇ ବା ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ ପ୍ରାଚୀରପତ୍ର/ବ୍ୟାନର ଇତ୍ୟାଦି ଲଗାଇବା ପୂର୍ବରୁ ସମ୍ପୃକ୍ତ ଘର ମାଲିକଙ୍କ ଅନୁମତି ନେବାକୁ ପଡିବ । ଅନୁମତି ପତ୍ରର ଏକ ନକଲ ରିଟର୍ଣ୍ଣିଂ ଅଫିସରଙ୍କ ଗୋଚରାର୍ଥେ ତାଙ୍କ ନିକଟରେ ଦାଖଲ କରିବା ପାଇଁ ଜିଲ୍ଲାପାଳ ରାଜନୈତିକ ଦଳ ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଥିଲେ । ଏ ସମ୍ପର୍କିତ ଆଚରଣ ବିଧି ଉଲ୍ଲଙ୍ଘନ ସ୍ଥଳେ ନିୟମାନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିନିଧିମାନଙ୍କୁ କୁହାଯାଇଥିଲା । କୌଣସି ପ୍ରକାର ସଭାସମିତି କୋଭିଡ ନିୟମାବଳୀ ମଧ୍ୟରେ କରାଯିବାକୁ ଅନୁମତି ଦିଆଯିବ । ଗୋଟିଏ ଥରରେ ୫ରୁ ଉର୍ଦ୍ଧ୍ୱ ଗାଡି “ରୋଡ ସୋ” ବା ନିର୍ବାଚନ ପ୍ରଚାର ଗସ୍ତରେ ବାହାରିପାରିବେ ନାହିଁ । ସିଙ୍ଗଲ ଓି୍ୱଣ୍ଡୋ ମାଧ୍ୟମରେ ରାଜନୈତିକ ଦଳମାନଙ୍କୁ ବିଭିନ୍ନ ଅନୁମତି ପତ୍ର ପ୍ରଦାନ କରାଯିବ । ସମସ୍ତ ପଞ୍ଜୀକୃତ ରାଜନୈତିକ ଦଳ, ଯେଉଁମାନେ ସେମାନଙ୍କର ରାଜନୈତିକ ବିଜ୍ଞାପନର ପ୍ରଚାର ଓ ପ୍ରସାର ଚାହାଁନ୍ତି ସେମାନେ ଜିଲ୍ଲାସ୍ତରରେ ଥିହା ମିଡିଆ ସାର୍ଟିଫିକେସନ ଏଣ୍ଡ ମନିଟରିଂ କମିଟି-“ଏମ.ସି.ଏମ.ସି.” (ଗଣମାଧ୍ୟମ ପ୍ରମାଣୀକରଣ ଓ ତଦାରଖ କମିଟି) ସହିତ ଯୋଗାଯୋଗ କରି ଆଗୁଆ ଆବଶ୍ୟକୀୟ ପ୍ରମାଣପତ୍ର ହାସଲ କରିବେ । ପ୍ରାର୍ଥୀପତ୍ର ଦାଖଲ ନିମନ୍ତେ ଆସନ୍ତା ଅକ୍ଟୋବର ୯ତାରିଖ ଦିନ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବା ବେଳେ ଅକ୍ଟୋବର ୧୬ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିପାରିବେ । ୧୭ ତାରିଖ ଦିନ ପ୍ରାର୍ଥୀପତ୍ରର ଯାଂଚ କରାଯିବା କାର୍ଯ୍ୟକ୍ରମ ରହିଛି । ଅକ୍ଟୋବର ୧୯ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଥିବା ବେଳେ ନଭେମ୍ବର ୩ତାରିଖ ଦିନ ଉପ-ନିର୍ବାଚନ ଅନୁଷ୍ଠିତ ହେବ ଏବଂ ନଭେମ୍ବର ୧୦ତାରିଖ ଦିନ ଭୋଟ ଗଣତି ହେବ । ରାଜନୈତିକ ଦଳର ପ୍ରତିନିଧିମାନଙ୍କ ବ୍ୟତୀତ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଆଦର୍ଶ ଆଚରଣ ବିଧି ଅନୁଯାୟୀ ବିଭିନ୍ନ ବିଧି ବ୍ୟବସ୍ଥା ପାଳନ ସହ ନିରପେକ୍ଷ ଭାବେ ଦାୟିତ୍ୱ ତୁଲାଇବାକୁ ଜିଲ୍ଲାପାଳ ଅଧିକାରୀମାନଙ୍କୁ କହିଛନ୍ତି । କୋଭିଡ ନିୟମାବଳୀ ଅନୁଯାୟୀ ମତଦାନ କେନ୍ଦ୍ରରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ । ସେଠାରେ ସାନିଟାଇଜର, ସାବୁନ ଇତ୍ୟାଦି ରଖାଯିବ । ମତଦାତାମାନେ ମତଦାନ କରିବାକୁ ଗଲା ବେଳେ ମାସ୍କ ପିନ୍ଧି ଯିବେ ଏବଂ ଭୋଟ ଦେବା ପୂର୍ବରୁ ସେମାନଙ୍କ ଶରୀରର ତାପମାତ୍ର ଯାଂଚ କରାଯିବ । ପ୍ରଥମ ଥର ଯାଂଚରେ ଯଦି ତାପମାତ୍ରା ଅଧିକ ଆସେ ତେବେ ସେମାନଙ୍କର ଦ୍ୱିତୀୟ ଥର ଯାଂଚ କରାଯିବ । ଦ୍ୱିତୀୟ ଥର ମଧ୍ୟ ତାହା ଅଧିକ ଆସିଲେ ଭୋଟରଙ୍କୁ ସ୍ୱତନ୍ତ୍ର ବିଶ୍ରାମଗୃହରେ ଅପେକ୍ଷା କରାଯିବାକୁ କୁହାଯିବ ଏବଂ ଭୋଟଦାନ ସମୟସୀମାର ଅନ୍ତିମ ୧ ଘଂଟା ମଧ୍ୟରେ ସେମାନଙ୍କୁ ଭୋଟ ଦାନ କରିବାକୁ ଅନୁମତି ଦିଆଯିବ । ସେହିପରି ଭୋଟରଙ୍କୁ ଚିହ୍ନଟ କରିବା ପାଇଁ ଭୋଟଦାନ କକ୍ଷରେ ଅତି ଅଳ୍ପ ସମୟ ପାଇଁ ସେମାନଙ୍କୁ ମାସ୍କ କାଢିବାକୁ ଏବଂ ଚିହ୍ନଟ ପରେ ତୁରନ୍ତ ପିନ୍ଧିବାକୁ କୁହାଯିବ । ଦିବ୍ୟାଙ୍ଗ, ୮୦ ବର୍ଷରୁ ଉର୍ଦ୍ଧ୍ୱ ଓ କୋଭିଡ ପଜିଟିଭ ବ୍ୟକ୍ତି ପୋଷ୍ଟାଲ ବାଲଟ୍ ମାଧ୍ୟମରେ ମତଦାନ କରିପାରିବେ । ଏଥି ପାଇଁ ସେମାନେ ରିଟର୍ଣ୍ଣିଂ ଅଫିସରମାନଙ୍କ ନିକଟରେ ଆବେଦନ କରିପାରିବେ । ନିର୍ବାଚନୀ ଖର୍ଚ୍ଚ ଉପରେ କମିଶନଙ୍କ ମାର୍ଗଦର୍ଶିକା ଅନୁଯାୟୀ କିପରି ଅଙ୍କୁଶ ଲଗାଯାଇପାରିବ ସେ ନେଇ ଆଲୋଚନା ହୋଇଛି । ଏଥିପାଇଁ ସହ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି । ଏଥି ସହିତ ବିଭିନ୍ନ ଟିମ ତାଙ୍କର କାର୍ଯ୍ୟକ୍ରମର ପ୍ରତିଦିନ ରିପୋର୍ଟ ପ୍ରଦାନ, ସମସ୍ତ କାର୍ଯ୍ୟକ୍ରମରେ ତୀକ୍ଷଣ ନଜର ରଖିବା, ଅନ୍ୟ ଟିମ୍ ଗୁଡିକ ସହ ସମନ୍ୱୟ ରକ୍ଷା କରିବା, ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଟିକିନିଖି ଭିଡିଓ ରେକର୍ଡିଂ କରିବା, ସମ୍ମିଳିତ ଲୋକଙ୍କ ସଂଖ୍ୟା, ବ୍ୟବହୃତ ଯାନ, ସାଜସଜ୍ଜା, ଡାକବାଜି ଯନ୍ତ୍ର ବ୍ୟବହାର ଇତ୍ୟାଦିର ବିବରଣୀ ରେକର୍ଡ କରାଯିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି ।