ଉପନ୍ୟାସ ଅନେକ ସାମାଜିକ ଜୀବନ ଓ କଥାବସ୍ତୁର ପରିପ୍ରକାଶ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସୁଭଦ୍ରା ଯୋଗମାୟା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ସମ୍ବାଦର ସମ୍ପାଦକ ତଥା ଖଣ୍ଡପଡ଼ାର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ସମାଜସେବୀ ତଥା ବୁଦ୍ଧିଜୀବୀ ଡଃ ଶ୍ରୀକାନ୍ତ ମିଶ୍ରଙ୍କ ଉପନ୍ୟାସ ‘କେହି ନୁହେଁ କିଛି ନୁହେଁ’ ପୁସ୍ତକକୁ ଲୋକାର୍ପଣ କରି କହିଲେ ଯେ, ଉପନ୍ୟାସନରେ ଅନେକ ସମୟରେ ସମାଜର ସମସାମୟିକ ଅବସ୍ଥା ଓ ବ୍ୟକ୍ତିର ଜୀବନ ଚରିତ୍ରର ପରିପ୍ରକାଶ ଘଟିଥାଏ । ଲେଖକ ନିଜର ବ୍ୟକ୍ତିଗତ ଜୀବନ ସହ ବର୍ତ୍ତମାନ ସମୟର ରାଜନୀତିକୁ ନେଇ ତାଙ୍କର ବକ୍ତବ୍ୟକୁ ତାଙ୍କ ଉପନ୍ୟାସର ମୁଖ୍ୟ ନାୟକ ମୁହଁରେ କୁହାଇବାକୁ ପ୍ରଚେଷ୍ଟା କରିଛନ୍ତି ।ବିଶିଷ୍ଟ ଅତିଥି ନ୍ୟାୟଧୀଶ ବୀର କିଶୋର ମିଶ୍ର, ଲେଖକଙ୍କୁ ପ୍ରଶଂସା କରିବା ସହ ସୁଭଦ୍ରା ଯୋଗମାୟା ଫାଉଣ୍ଡେସନ ପକ୍ଷରୁ ଗତ କରୋନା ସମୟରେ କରାଯାଇଥିବା ରିଲିଫ କାର୍ଯ୍ୟର ପ୍ରଶଂସା କରିଥିଲେ । ଡଃ ମିଶ୍ରଙ୍କ ଜୀବନ ଏକ ଘଟଣା ବହୁଳ ଜୀବନ । ଏଣୁ ଏଭଳି ଏକ ଉପନ୍ୟାସ ଲେଖିବାକୁ ପ୍ରେରଣା ଦେଇଥିବା ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ସୁଭଦ୍ରା ମିଶ୍ରଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଅନ୍ୟତମ ବିଶିଷ୍ଟ ଅତିଥି ଓଡ଼ିଆ ସାହିତ୍ୟର ଅନ୍ୟତମ ପ୍ରତିଭା ଡଃ ଶାନ୍ତନୁ କୁମାର ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଡଃ ମିଶ୍ର ଶିକ୍ଷା ଓ ସାହିତ୍ୟ କ୍ଷେତ୍ରକୁ ଆସିଥିଲେ, ଓଡ଼ିଶାର ଜନସାଧାରଣ ଆହୁରି ଉପକୃତ ହୋଇଥାନ୍ତେ । ଅନ୍ୟତମ ଅତିଥି ଓ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ ଡଃ ମିଶ୍ରଙ୍କୁ ଜଣେ ନିର୍ଭୀକ ବ୍ୟକ୍ତିତ୍ୱ ବୋଲି କହିଥିଲେ । ପ୍ରାରମ୍ଭରେ ବିଶିଷ୍ଟ ବେଦ୍ବିତ୍ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ବେଦପାଠ କରିବା ପରେ ଟ୍ରଷ୍ଟି ଅନୁଭବ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ଓ ପୁସ୍ତକର ପ୍ରକାଶକ ଧନ୍ୟବାଦ ଅର୍ପଣ କରିଥିଲେ ।ସୁଶ୍ରୀ ରଥ ଶ୍ରୀ ଜଗନ୍ନାଥଙ୍କ ଭଜନ ଗାନ କରିଥିଲେ । ବିଶିଷ୍ଟ ପ୍ରବକ୍ତା ଡଃ ମୃତ୍ୟୁଞ୍ଜୟ ରଥ ମଞ୍ଚ ପରିଚାଳନା କରିଥିଲେ । ସମାଜର ବିଭିନ୍ନ ବର୍ଗର ୧୦ଜଣ ସାହିତ୍ୟିକ, ସମାଜସେବୀ ଓ ଚିକିତ୍ସା ବିଜ୍ଞାନର ଡାକ୍ତରଙ୍କୁ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ଉତ୍ତରୀୟ, ସମ୍ବର୍ଦ୍ଧନା ଫଳକ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।