ଉପରାଷ୍ଟ୍ରପତିଙ୍କ ତିନିବର୍ଷର କାର୍ଯ୍ୟକାଳ ଉପରେ ଆଧାରିତ ଇ-ପୁସ୍ତକ ଉନ୍ମୋଚନ
ନୂଆଦିଲ୍ଲୀ:କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡୁଙ୍କ ତିନି ବର୍ଷର କାର୍ଯ୍ୟକାଳ ଉପରେ ଆଧାରିତ ପୁସ୍ତକ ର ଇ-ଭର୍ସନକୁ ଆଜି ନୂଆଦିଲ୍ଲୀଠାରେ ଉନ୍ମୋଚନ କରିଛନ୍ତି । ଏହା ସହିତ ଅନ୍ୟ ଏକ ପୁସ୍ତକ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂଙ୍କ ଦ୍ଵାରା ଉନ୍ମୋଚିତ ହୋଇଛି । ନୂଆଦିଲ୍ଲୀର ଉପରାଷ୍ଟ୍ରପତି ଭବନରେ ଏହି କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା । ୨୫୦ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ପବ୍ଲିକେଶନ ଡିଭିଜନ ଦ୍ଵାରା ପ୍ରକାଶିତ ହୋଇଛି । ଏଥିରେ ଉପରାଷ୍ଟ୍ରପତିଙ୍କ ଦେଶ ବିଦେଶ ଭ୍ରମଣ କାହାଣୀ ସହ ଅନ୍ୟାନ୍ୟ କାର୍ଯ୍ୟକଳାପ ସମ୍ପର୍କରେ ସଚିତ୍ର ପ୍ରକାଶ କରାଯାଇଛି । ଏଥିରେ ଉପରାଷ୍ଟ୍ରପତିଙ୍କ କୃଷକ, ବୈଜ୍ଞାନିକ, ଡାକ୍ତର ଓ ଯୁବକ, ପ୍ରଶାସକ, ଶିଳ୍ପୋଦ୍ୟୋଗୀ ଓ କଳାକାରମାନଙ୍କ ସହିତ କଥାବାର୍ତ୍ତା ବା ସାକ୍ଷାତର ଝଲକ ମଧ୍ୟ ସ୍ଥାନ ପାଇଛି ।
ଏଥିରେ ଉପରାଷ୍ଟ୍ରପତିଙ୍କ ବିଦେଶ ଗସ୍ତ ଓ ବିଭିନ୍ନ ନେତାମାନଙ୍କ ସହ ମତ ବିନିମୟ ଓ ବିଭିନ୍ନ ଦେଶରେ ପ୍ରବାସୀ ଭାରତୀୟମାନଙ୍କୁ ଉଦବୋଧନ ଦେଉଥିବାର ବିଷୟ ମଧ୍ୟ ପ୍ରକାଶିତ ହୋଇଛି ।
ପୁସ୍ତକଟିକୁ ଉନ୍ମୋଚନ କରି ଶ୍ରୀ ଜାଭଡେକର କହିଲେ ଯେ, ଭାରତର ପରିବର୍ତ୍ତନ ପାଇଁ ଗଣଯୋଗାଯୋଗ ଦ୍ଵାରା ଜନସାଧାରଣଙ୍କ ସହିତ ସମ୍ପର୍କ ସ୍ଥାପନ ନେଇ ଏଥିରେ ବର୍ଣ୍ଣନା କରାଯାଇଛି । ଉପରାଷ୍ଟ୍ରପତିଙ୍କ ଭାଷଣ ସମ୍ପର୍କରେ ଜାଣିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ପୁସ୍ତକ ଏକ ଅମୂଲ୍ୟ ସମ୍ପଦ ସଦୃଶ୍ୟ । ଏଥିରେ ଉନ୍ନତ ଭାଷା ପ୍ରବାହ ସହ ବୌଦ୍ଧିକ ଚିନ୍ତନ ମଧ୍ୟ ରହିଛି । ମନ୍ତ୍ରୀ ଏହାର ଇ-ଭର୍ସନ ଓ କପି ଟେବୁଲ ବୁକ ପାଇ ପବ୍ଲିକେଶନ ଡିଭିଜନକୁ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂ କହିଲେ ଯେ, ଭାଷଣ ଦେବା ଏକ କଳା ଏବଂ ଉପରାଷ୍ଟ୍ରପତିଙ୍କ ଚିନ୍ତନରେ ଏହା ପ୍ରତିଫଳିତ । ଗୋଟିଏ ଭଲ ବହି ଗୋଟିଏ ପିଢି ନିମନ୍ତେ ଏକ ମହାନ ଉପହାର ଓ ଏହା ପିଢି ପଟେ ପିଢି ଲୋକଙ୍କୁ ଜାଣିବାର ସୁଯୋଗ ଦେଇଥାଏ । ଶ୍ରୀ ରାଜନାଥ ସିଂ ସୂଚନା ଓ ପ୍ରସାରଣ ବିଭାଗକୁ ଏହି ପୁସ୍ତକ ସଂକଳନ ପାଇଁ ଧନ୍ୟବାଦ ଦେବା ସହ ଉପରାଷ୍ଟ୍ରପତିଙ୍କ ଦ୍ଵାରା ଅନୁସ୍ତୃତ ୩-ସି ଯଥା କନେକ୍ଟିଙ୍ଗ, କମ୍ୟୁନିକେଟିଙ୍ଗ ଓ ଚେଞ୍ଜିଙ୍ଗ ଏଥିରେ ଯଥାର୍ଥ ପ୍ରତିଫଳିତ ହୋଇଛି ବୋଲି କହିଥିଲେ । ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡୁ ଏହି ଅବସରେ ଉଦ୍ବୋଧନ ଦେଇ କହିଥିଲେ ଯେ, ପ୍ରକାଶନରେ ତାଙ୍କର ବିଭିନ୍ନ ଗନ୍ତବ୍ୟସ୍ଥଳ, ଯାତ୍ରା ଓ ଏହାର ଉପଲବ୍ଧି ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଗତ ବର୍ଷକ ମଧ୍ୟରେ ତାଙ୍କର କାର୍ୟ୍ୟସୂଚୀ ଯଥେଷ୍ଟ ଅଧିକ ଥିବା ବେଳେ କରୋନା ଯୋଗୁଁ ଏହା ସାମାନ୍ୟ ହ୍ରାସ ପାଇଛି । ପ୍ରଥମ ପର୍ୟ୍ୟାୟରେ ତାଙ୍କର ପ୍ରାୟ ମାସକୁ ପ୍ରାୟ ୨୦ଟି ଗସ୍ତ କାର୍ୟ୍ୟକ୍ରମ ରହୁଥିବା ବେଳେ ସେ ୧୪ଟି ସମାବର୍ତ୍ତନ ଓ ୭୦ଟି ଅନ୍ୟ କାର୍ୟ୍ୟକ୍ରମରେ ଭାଷଣ ଦେଇଛନ୍ତି । ସେ ସାଧାରଣତଃ ଚାଷୀ, ଯୁବଗୋଷ୍ଠୀ, ବୈଜ୍ଞାନିକ, ପ୍ରଶାସକ, ଶିଳ୍ପଦ୍ୟୋଗୀ, ଚିକିତ୍ସକ ଓ ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିଥାନ୍ତି ।
ଏଥିରେ ଧନ୍ୟବାଦ ଅର୍ପଣ କରି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଶ୍ରୀ ଅମିତ ଖାରେ କହିଲେ ଯେ, ଏହି ପୁସ୍ତକ ସମାଜର ସବୁ ବର୍ଗର ଲୋକଙ୍କୁ ପ୍ରଭାବିତ କରିବ । ପ୍ରକାଶନ ବିଭାଗ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମସ୍ତ ଭାଷଣ ସଂଗ୍ରହ କରି ଏହା ଭବିଷ୍ୟତ ଉତ୍ତର ପିଢିମାନଙ୍କ ପାଇଁ ଅନଲାଇନ ଓ ଅଫଲାଇନ ଜରିଆରେ ଉପଲବ୍ଧ କରାଇବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି । କପି ଟେବୁଲ ବୁକର ପ୍ରକାଶନ ପାଇଁ ଶ୍ରୀ ଖାରେ ପ୍ରକାଶନ ବିଭାଗକୁ ଅଭିନନ୍ଦନ ଜଣାଇଥିଲେ ।
ଏହି ପୁସ୍ତକ ଉଭୟ ଅନଲାଇନ ଓ ସିଧାସଳଖ କିଣିବା ପାଇଁ ଉପଲବ୍ଧ ହେବ । ଇ-ପୁସ୍ତକର ମୂଲ୍ୟ ୧୫୦୦ ଟଙ୍କା ରଖାଯାଇଥିବା ବେଳେ ଏହା ପ୍ରକାଶନ ବିଭାଗର ବିକ୍ରୟ କେନ୍ଦ୍ର କିମ୍ବା ଏହାର ଅଧିସ୍ଵୀକୃତ ଦେଶର ବିଭିନ୍ନ ସ୍ଥାନରେ ଥିବା ଏଜେଣ୍ଟ ବା ଅନଲାଇନରେ ଭାରତକୋଷ ପୋର୍ଟାଲ ଏବଂ ପ୍ରକାଶନ ବିଭାଗ ୱେବସାଇଟରେ ଉପଲବ୍ଧ ହେଉଛି । ଏହି ଇ-ବୁକ ଶତକଡା ୨୫ ପ୍ରତିଶତ ରିହାତିରେ ଅଗ୍ରଣୀ ଇ-କମର୍ସ ପ୍ଲାଟଫର୍ମ ଯଥା ଆମାଜନ.ଇନ ଏବଂ ଗୁଗୁଲ ପ୍ଲେ ବୁକ୍ସ ଜରିଆରେ ମିଳିପାରିବ ।