ଉପସ୍ଥାପିତ ହେଲା ଯୋଗୀ ସରକାରଙ୍କ ଚତୁର୍ଥ ବଜେଟ୍‌

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଆଜି ଚତୁର୍ଥ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ସୁରେଶ ଖନ୍ନା ବିଧାନସଭାରେ ୨୦୨୦ ଆର୍ଥିକ ବର୍ଷ ପାଇଁ ଏହି ବଜେଟ୍‌ ଉପସ୍ଥାପିତ କରିଛନ୍ତି। ମୋଟ ୫,୧୨,୮୬୦ କୋଟି ୭୨ ଲକ୍ଷ ଟଙ୍କାର ବଜେଟ ଉପସ୍ଥାପିତ ହୋଇଛି। ବଜେଟରେ ୧୦ ହଜାର ୯୬୭ କୋଟି ୮୭ ଲକ୍ଷର ନୂତନ ଯୋଜନାକୁ ସାମିଲ୍‌ କରାଯାଇଛି। ୟୁପି ଇତିହାସରେ ପ୍ରଥମ ଥର ପାଇଁ ବଡ଼ ବଜେଟ୍‌କୁ ଉପସ୍ଥାପନ କରାଯାଇଛି। ଯୋଗୀ ସରକାର ଚଳିତ ବଜେଟ୍‌ରେ ପର୍ଯ୍ୟଟନ, ସଂସ୍କୃତି ତଥା ଧାର୍ମିକ କାର୍ଯ୍ୟ ପାଇଁ ବଜେଟ୍‌ରେ ଭିନ୍ନ ଭିନ୍ନ ବ୍ୟୟ ବରାଦ ରଖିଛନ୍ତି। ଅଯୋଧ୍ୟାକୁ ସ୍ମାର୍ଟ ସିଟି ରୂପରେ ବିକଶିତ କରିବା ପାଇଁ ଏଥିରେ ଯୋଜନା ରହିଛି। ଅଯୋଧ୍ୟାରେ ଉଚ୍ଚସ୍ତରୀୟ ସୁବିଧା ପାଇଁ ୮୫ କୋଟିର ବ୍ୟବସ୍ଥା କରାଯାଇଛି। ସେହିପରି ତୁଳସୀ ସ୍ମାରକ ଭବନ ପାଇଁ ୧୦ କୋଟିର ବ୍ୟୟ ବରାଦ ରହିଛି। ବାରଣାସୀରେ ସାଂସ୍କୃତିକ କେନ୍ଦ୍ର ପାଇଁ ୧୮୦ କୋଟି, କାଶୀ ବିଶ୍ବନାଥ ମନ୍ଦିରର ବିସ୍ତାରୀକରଣ ପାଇଁ ୨୦୦ କୋଟିର ବ୍ୟୟବରାଦ ରହିଛି। ସେହିପରି ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳା ଯୋଜନା ପାଇଁ ୧ ହଜାର ୨୦୦ କୋଟି ବ୍ୟୟ ବରାଦ ରଖାଯାଇଛି। ସେହିପରି ନିରାଶ୍ରିତ ମହିଳା ପେନ୍‌ସନ୍‌ ଯୋଜନା ଅନ୍ତର୍ଗତ ନିରାଶ୍ରୟ ମହିଳା ଓ ତାଙ୍କ ପିଲାଙ୍କ ଭରଣପୋଷଣ ପାଇଁ ୫୦୦ କୋଟିର ବ୍ୟୟ ବରାଦ କରାଯାଇଛି । ଗୋରଖପୁର, କାନପୁର ଏବଂ ଆଗ୍ରା ମେଟ୍ରୋ ବିକାଶ ପାଇଁ ୮୦୦ କୋଟିର ବ୍ୟୟ ଅଟକଳ ଉପସ୍ଥାପନା କରାଯାଇଛି। ଅଯୋଧ୍ୟାରେ ବିମାନ ବନ୍ଦରର ବିକାଶ ଲାଗି ୫୦୦ କୋଟିର ବ୍ୟୟ ବରାଦ କରାଯାଇଛି। ଯୁବକ ତଥା ରୋଜଗାର ସୃଜନ ଓ ନିଯୁକ୍ତି ହବ୍‌ ପାଇଁ ୧୨୦୦ କୋଟିର ବ୍ୟୟ ବରାଦ ରହିଛି। ଅଟଳ ଆବାସୀୟ ବିଦ୍ୟାଳୟ ପାଇଁ ୨୭୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବାବେଳେ ଗ୍ରାମୀଣ କ୍ଷେତ୍ରରେ ସିଏଚ୍‌ସିର ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍‌ ପାଇଁ ୫୦ କୋଟିର ବ୍ୟୟବରାଦ ରହିଛି। ସେହିପରି ରାଜ୍ୟର ଗ୍ରାମୀଣ ଅଞ୍ଚଳରେ ଜଳ ଜୀବନ ମିଶନ ଲାଗି ୩୦୦୦ କୋଟିର ବ୍ୟୟ ଅଟକଳ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ