ଉଭୟ ଭାରତ ଏବଂ ପାକିସ୍ତାନ ପାଇଁ ଖେଳିଛନ୍ତି ତିନି କ୍ରିକେଟର

ସାଧାରଣତଃ ଯିଏ ଯେଉଁ ଦେଶର ନାଗରିକ, ସେ ସେହି ଦେଶ ପାଇଁ ହିଁ ଖେଳିଥାନ୍ତି । ହେଲେ ଅଦ୍ୟାବଧି କ୍ରିକେଟରେ ୧୫ ଜଣ ଟେଷ୍ଟ ଖେଳାଳି ରହିଛନ୍ତି ଯିଏ କି ଅନ୍ୟ ଦେଶ ପାଇଁ ମଧ୍ୟ ଖେଳିଛନ୍ତି । ସେହିପରି ଭାରତ ଓ ପାକିସ୍ତାନ କଥା ଯଦି ଦେଖିବା, ତା’ହେଲେ ଏପରି ୩ ଜଣ କ୍ରିକେଟର ଅଛନ୍ତି ଯିଏ ଉଭୟ ଭାରତ ଓ ପାକିସ୍ତାନ ପାଇଁ କ୍ରିକେଟ ଖେଳିଛନ୍ତି । ଆସନ୍ତୁ ଜାଣିବା ଏହି ତିନି କ୍ରିକେଟର କିଏ ।
ଅବଦୁଲ ହାଫିଜ କରଦାର
୧୭ ଜାନୁଆରି ୧୯୨୫ରେ ଅବିଭାଜିତ ଭାରତର ଲାହୋରରେ ଜନ୍ମଗ୍ରହଣ କରିଥିଲେ ଏଏଚ କରଦାର । ଇଏ ହେଉଛନ୍ତି ସେଇ ତିନି କ୍ରିକେଟରଙ୍କ ମଧ୍ୟରୁ ଜଣେ ଯିଏକି ଉଭୟ ଭାରତ ଓ ପାକିସ୍ତାନରୁ ଖେଳିଛନ୍ତି । କରଦାର ଭାରତର ବିଭିନ୍ନ ଟିମ୍ରୁ ଘରୋଇ କ୍ରିକେଟ ଖେଳିଥିଲେ । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ, ଉତ୍ତର ଇଣ୍ଡିଆ ଏବଂ ମୁସଲିମ୍ ଆଦି ଦଳରୁ ମ୍ୟାଚରେ ଖେଳିଥିଲେ କରଦାର । ଏହାପରେ ଇଂଲଣ୍ଡ ବିପକ୍ଷରେ ଭାରତ ପାଇଁ ଟେଷ୍ଟ କ୍ରିକେଟ ଖେଳିଥିଲେ କରଦାର । ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ବଡ଼ ସମର୍ଥକ କରଦାର ଭାରତ ପାକିସ୍ତାନ ବିଭାଜନ ବେଳେ ପାକିସ୍ତାନ ଚାଲିଯାଇଥିଲେ । ଏହାପରେ ୧୯୫୨-୫୩ରେ ଯେତେବେଳେ ପାକିସ୍ତାନ ଟେଷ୍ଟ୍ କ୍ରିକେଟ୍ ଟିମ୍ ଘୋଷଣା ହେଲା ସେତେବେଳେ କରଦଳର ଟିମରେ ଅଧିନାୟକ ଭାବରେ କ୍ଷଯାଗ ଦେଇଥିଲେ । ପାକିସ୍ତାନ ପାଇଁ କରଦାର ୫ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ବାମ ହାତରେ କରଦାର ବ୍ୟାଟିଂ କରୁଥିବାବେଳେ ମଧ୍ୟ ମିଡିୟମ ପେସ୍ ବୋଲିଂ କରୁଥିଲେ ।
ଆମିର ଇଲାହି
୧୯୦୮ ସେପ୍ଟେମ୍ବର ୧ରେ ଅବିଭାଜିତ ଭାରତର ଲାହୋରରେ ଜନ୍ମଗ୍ରହଣ କରିଥିଲେ ଆମିର ଇଲାହି । ଦେଶ ସ୍ୱାଧୀନ ହେବା ପୂର୍ବରୁ ଭାରତ ପାଇଁ ଆମିର ଇଲାହି କ୍ରିକେଟ ମ୍ୟାଚ ଖେଳିଥିଲେ । ହେଲେ ଭାରତ-ପାକିସ୍ତାନ ବିଭାଜନ ବେଳେ ଆମିର ଇଲାହି ବି ପାକିସ୍ତାନ ପଳାଇଥିଲେ । ପରେ ୧୯୫୨-୫୩ରେ ସେ ପାକିସ୍ତାନ ଟିମରେ ସ୍ଥାନ ପାଇଥିଲେ । ପାକିସ୍ତାନ ପାଇଁ ଆମିର ଇଲାହି ୫ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଲେଗ ବ୍ରେକ୍ ଓ ଗୁଗଲି ବୋଲିଂ କରିବାରେ ମାହିର ଥିଲେ ଏହି କ୍ରିକେଟର ।
ଗୁଲ୍ ମହମ୍ମଦ
୧୫ ଅକ୍ଟୋବର ୧୯୨୧ରେ ଅବିଭାଜିତ ଭାରତର ଲାହୋରରେ ଗୁଲ ମହମ୍ମଦ ଜନ୍ମଗ୍ରହଣ କରିଥିଲେ । ଏହି ଖେଳାଳିଙ୍କ ଉଚ୍ଚତା ୫ ଫୁଟ୍ ୫ ଇଞ୍ଚ ରହିଥିଲେ ମଧ୍ୟ ବାମ ହାତରେ ବ୍ୟାଟିଂ କରିବାରେ ମାହିର ଥିଲେ । ଏଥିସହ ସେ କଭରରେ ଭଲ ଫିଲ୍ଡିଂ କରୁଥିଲେ । ୧୯୪୬ରେ ଇଂଲଣ୍ଡ ଏବଂ ୧୯୪୭-୪୮ରେ ଅଷ୍ଟ୍ରେଲିଆ ଗସ୍ତବେଳେ ଗୁଲ ଭାରତ ପକ୍ଷରୁ ମ୍ୟାଚ ଖେଳିଥିଲେ । ଏହାପରେ ୧୯୫୨-୫୩ରେ ମଧ୍ୟ ପାକିସ୍ତାନ ବିପକ୍ଷରେ ଭାରତ ପକ୍ଷରୁ ଟେଷ୍ଟ ସିରିଜ୍ ଖଳିଥିଲେ । ହେଲେ ୧୯୫୫ରେ ଗୁଲ୍ ପାକିସ୍ତାନର ନାଗରିକତା ଗ୍ରହଣ କରିଥିଲେ । ପରେ ୧୯୫୬-୫୭ରେ ଗୁଲ୍ ଅଷ୍ଟ୍ରେଲିଆ ବିପକ୍ଷରେ ପାକିସ୍ତାନ ପକ୍ଷରୁ ଖେଳିଥିଲେ । ପାକିସ୍ତାନ ପକ୍ଷରୁ ମାତ୍ର ଗୋଟିଏ ଟେଷ୍ଟ ମ୍ୟାଚ ଖେଳିଥିଲେ ଏହି ଖେଳାଳି । ପରେ ପାକିସ୍ତାନ କ୍ରିକେଟ ପ୍ରଶାସନରେ ସାମିଲ ହୋଇଥିଲେ ଗୁଲ୍ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ