ଉମିଦ ସେବା ସଂଗଠନ ପକ୍ଷରୁ ପ୍ରତିଭା ସମ୍ମାନ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଦୀର୍ଘ ଦୁଇମାସ ହେବ କ୍ରମାଗତ ଭାବେ ଅସହାୟ, ସ୍ୱାସ୍ଥ୍ୟଗତ ସମସ୍ୟାରେ ଜଡିତ ଥିବା ବ୍ୟକ୍ତି ଓ ଦୈବଦୁର୍ଘଟଣା ଯୋଗୁ କ୍ଷତିଗ୍ରସ୍ଥ ହେଉଥିବା ପରିବାରକୁ ସାହାଯ୍ୟ ପ୍ରଦାନ କରାଯାଉଛି । ଏହାଛଡା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଥିବାବେଳେ ଗ୍ରାମାଞ୍ଚଳ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧନା କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ପ୍ରଥମାଷ୍ଟମୀ ଉପଲକ୍ଷେ ଷୋଳମପୁର ପଞ୍ଚାୟତ ମଣିନାଥପୁର ଗ୍ରାମର ଭିନ୍ନକ୍ଷମ ବିଦ୍ୟାର୍ଥୀ ତଥା ନୃତ୍ୟଶିଳ୍ପୀ ଧରିତ୍ରୀ ବାରିକଙ୍କୁ ଉମିଦ ସେବା ସଂଗଠନର ସଦସ୍ୟାମାନେ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । ତତସଂଗେ ସଂଗେ ପ୍ରଥମାଷ୍ଟମୀ ପାଇଁ କୁନି ନୃତ୍ୟଶିଳ୍ପୀକୁ ମଧ୍ୟ ନୂତନ ବସ୍ତ୍ର ଉପହାର ଦେଇଛନ୍ତି । ସେହିଭଳି ସଂଗଠନ ପକ୍ଷରୁ ଦକ୍ଷିଣବାଡ ପଞ୍ଚାୟତ ବାହାଦଲପୁର ଗ୍ରାମର କ୍ୟାନସର ପୀଡିତ ସନାତନ ପଲାଇଙ୍କ ଘରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରିବୁଝିବା ସହ ଅତ୍ୟବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିଛନ୍ତି । ସନାତନଙ୍କ ଭିନ୍ନକ୍ଷମ ପୁଅ ବଳରାମଙ୍କୁ କେଉଁଭଳି କିଛି ସରକାରୀ ସାହାଯ୍ୟ ମିଳିପାରିବ ସେ ଦିଗରେ ସଂଗଠନ ଚିନ୍ତା କରିବ ବୋଲି ସଦସ୍ୟମାନେ ପ୍ରତିଶୃତି ଦେଇଛନ୍ତି ।


