ଉର୍ଦ୍ଦୁଶିକ୍ଷା ପ୍ରତି ସରକାରୀ ଉଦାସୀନତା ବିରୋଧରେ ସ୍ମାରକପତ୍ର

ବାଲେଶ୍ୱର, (ସରୋଜ ପଣ୍ଡା) :-ରାଜ୍ୟରେ ଉର୍ଦ୍ଦୁଶିକ୍ଷା ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ବାଲେଶ୍ୱର ସଂଖ୍ୟାଲଘୁ ସୁରକ୍ଷା ମଞ୍ଚ । ସଂଗଠନର କର୍ମକର୍ତ୍ତାଙ୍କ ଅଭିଯୋଗ ଅନୁସାରେ କଟକର ଉର୍ଦ୍ଦୁ ସିଟି ଟ୍ରେନିଂ ସେଣ୍ଟର ବନ୍ଦ ପାଇଁ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଆଗାମୀ ଦିନରେ ଉର୍ଦ୍ଦୁ ଶିକ୍ଷାର୍ଥୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ବିଶେଷ କରି ବିଦ୍ୟାଳୟରେ ଉର୍ଦ୍ଦୁକୁ ନିଜର ମାତୃଭାଷା ଭାବେ ଗ୍ରହଣ କରୁଥିବା ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣରୁ ବଞ୍ଚିତ ହେବେ ବୋଲି କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି । ଚଳିତ ଶିକ୍ଷାବର୍ଷ ପାଇଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଅନ୍ୟାନ୍ୟ ସବୁ ବିଷୟର ବହି ବଣ୍ଟନ ଶେଷ ହୋଇଥିବା ବେଳେ ଉର୍ଦ୍ଦୁ ସାହିତ୍ୟ ବହି ଦିଆଯାଇନାହିଁ । ଏହା ବ୍ୟତୀତ ପୂର୍ବରୁ ଫାଜିଲ ପାସ କରିଥିବା ଶିକ୍ଷକମାନେ ହାଇସ୍କୁଲରେ ଉର୍ଦ୍ଦୁ ଭାଷାରେ ପାଠ ପଢ଼ାଉଥିବା ବେଳେ ରାଜ୍ୟ ସରକାର ଉର୍ଦ୍ଦୁ ଶିକ୍ଷକଙ୍କ ପାଇଁ ଫାଜିଲ ସହିତ ବି.ଏଡ. ବାଧ୍ୟତାମୁଳକ ବୋଲି ଘୋଷଣା କରିଛନ୍ତି । ଓଡ଼ିଶାରେ ଉର୍ଦ୍ଦୁ ଭାଷାରେ ବି.ଏଡ. ପାଇଁ କୌଣସି ସୁଯୋଗ ନିଥିବା ବେଳେ ଏପରି ଘୋଷଣାକୁ ନେଇ ମଞ୍ଚର କର୍ମକର୍ତ୍ତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସରକାରଙ୍କ ଏହି ଭଳି ପଦକ୍ଷେପ ମୁସଲିମ ସମାଜ ବିରୋଧୀ ବୋଲି ସେମାନେ କହିଛନ୍ତି । ସରକାର ତୁରନ୍ତ ଉଚିତ ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ଉର୍ଦ୍ଦୁ ଶିକ୍ଷାର୍ଥୀଙ୍କ ପାଇଁ ଉଚିତ ପଦକ୍ଷେପ ନେବାକୁ ମଞ୍ଚ ପକ୍ଷରୁ ଦାବି ହୋଇଛି । ଏନେଇ ମଞ୍ଚ ପକ୍ଷରୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ସ୍ମାରକପତ୍ର ବାଲେଶ୍ୱର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ସ୍ମାରକପତ୍ର ପ୍ରଦାନ ବେଳେ ଆଇନଜୀବୀ ଶେଖ ଅବଦୁଲ ରଫିକ, ଶେଖ ଅଜଗର ଅଲ୍ଲି, ମହମ୍ମଦ ଇନାୟତ ଅଲ୍ଲି ଖାନ, ଅବଦୁଲ ସକିଲ ଖାନ୍‌, ଶେଖ ସରଦୁଲ୍ଲା, ମହମ୍ମଦ ଇକବାଲ, ଶେଖ ନାସିରୁଦ୍ଦିନ, ଶେଖ ନିଜାମୁଦ୍ଦିନ, ଶେଖ ଅଫସର, ଶେଖ ବୁରହାନ, ଅବଦୁଲ ବସିର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ