ଉଷୁ ଖେଳାଳିଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ
ଯୋଡା, (ସମୀର କୁମାର ଦାସ): ଯୋଡା ସହରସ୍ଥିତ ସିଆଳିଯୋଡାଠାରେ ଜେଏସପିଏଲ ଫାଉଣ୍ଡେସନ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଉଚ୍ଚମାନର ସ୍ପୋର୍ଟ କମ୍ଲେକ୍ସରେ କୋଭିଡ୍ ନିୟମକୁ ମାନି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ଜେଏସପିଏଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ ଉପସ୍ଥିତ ଥିଲେ । ଏବଂ ଉଷୁ ଖେଳାଳୀଙ୍କୁ ଭେଟି ସେମାନଙ୍କୁ ସର୍ବଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବା ପାଇଁ ଉତ୍ସାହର ବାର୍ତା ଦେଇଥିଲେ । ସେ ଖେଳାଳୀମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ଜିତିବା ଏବଂ ହାରିବା ଖେଳର ଏକ ପରିମାଣ ମାତ୍ର । କିନ୍ତୁ ସବୁ ଖେଳରେ ସବୁବେଳେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କର, କାରଣ ସର୍ବ ଶେଷରେ ନିଜେ ଖେଳାଳୀ ହିଁ ନିଜ ପ୍ରଦର୍ଶନକୁ ପରଖି ଖେଳର ପରିମାଣ ବିଚାର କରି ପାରିପାରିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜିତିବାର ଅଦମ୍ୟ ଇଚ୍ଛା ଆଗକୁ ବଢିବାର ଦୃଢ ମନ ଏବଂ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାର ପ୍ରଗାଢତା ହିଁ ଏକ ସଫଳ ଖେଳାଳି ସୃଷ୍ଟି କରିପାରେ । ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ଉଷୁ ପଦକ ବିଜେତା ବବଲୁ ମୁଣ୍ଡାଙ୍କ ସହ ସାକ୍ଷାତ କରି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ବବଲୁ ତାଙ୍କ ଆନ୍ତର୍ଜାତୀୟ ଖେଳର ଅନୁଭବ ସମସ୍ତ ଉତ୍କଣ୍ଠିତ ଖେଳାଳିଙ୍କ ସହ ବାଣ୍ଟିଥିଲେ । ଶ୍ରୀମତୀ ଜିନ୍ଦଲ ଜାତୀୟ ପଦକ ବିଜେତା ମଞ୍ଜୁ ମୁଣ୍ଡାଙ୍କୁ ଖେଳ ସହ ପାଠପଢା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବାଲାଗି ଉପଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କିଛି ଖେଳାଳି ପଙ୍କଜ କୁମାର ମହାନ୍ତଙ୍କ ତତ୍ୱାବଧାନରେ ସେମାନଙ୍କ ଚିତାକର୍ଷକ ସମର କଳା ପ୍ରଦର୍ଶନ କରିଥିଲେ, ଯାହାକି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦ଜଣ ଉଷୁ ଖେଳାଳୀଙ୍କ ସହ ପ୍ରଶିକ୍ଷକ ପଙ୍କଜ କୁମାର ମହାନ୍ତ ଉପସ୍ଥିତ ଥିଲେ । ଶ୍ରୀମତୀ ଜିନ୍ଦଲ ପରବର୍ତୀ ପର୍ଯ୍ୟାୟରେ ଜିନ୍ଦଲ ସ୍କୁଲ ବୁଲି ଦେଖିଥିଲେ ଏବଂ ଉତମ ଶିକ୍ଷା ପାଇଁ ଆବଶ୍ୟକୀୟ ଭିତିଭୂମିକୁ ସୁଦୃଢ କରିବା ଲାଗି ପ୍ରସ୍ତାବ ଦେଇଥିଲେ । ଏହାପରେ ସେ ମହିଳା କ୍ଲବ ସଦସ୍ୟାମାନଙ୍କୁ ଭେଟି ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ ।