ଉହାନରୁ ବିପଦ ଟଳିଲା: କମ୍ ବିପଦପୂର୍ଣ୍ଣ ଅଞ୍ଚଳ ଘୋଷିତ
ବେଜିଂ: କୋରୋନା ଭାଇରସର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚୀନର ଉହାନ ସହରକୁ ଏକ କମ୍ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏହି ସହରରେ ମହାମାରୀ କୋରୋନା କାରଣରୁ ପୂର୍ବ ଘୋଷିତ ମ୍ତ୍ୟୁସଂଖ୍ୟାକୁ ପରବର୍ତ୍ତୀ ସମୟରେ ୫୦ ପ୍ରତିଶତ ବଢାଇବା ପରେ ସେଠାକାର ସରକାର ଏବେ ଏବେ ଏହି ଅଞ୍ଚଳକୁ କମ୍ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି। ଚୀନର ଷ୍ଟେଟ କାଉନସିଲ ପକ୍ଷରୁ ଧାର୍ଯ୍ୟ ମାନଦଣ୍ଡ ଅନୁସାରେ, ଗତ ୧୪ ଦିନ ମଧ୍ୟରେ କୌଣସି କୋରୋନା ସଂକ୍ରମଣ ମାମଲା ଆସି ନ ଥିବା ସହର, ଜିଲା ଆଦିକୁ କମ୍ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ବର୍ଗୀକୃତ କରାଯାଇଛି । ସେହିପରି ୫୦ରୁ କମ୍ ମାମଲା ଥିବା ଅଞ୍ଚଳ ଏବଂ ୫୦ରୁ ଅଧିକ ମାମଲା ଥିବା ସତ୍ତ୍ବେ ସେହି ଅନୁପାତରେ ଅଧିକ ସଂକ୍ରମିତ ହୋଇ ନ ଥିବା ସହରକୁ ମଧ୍ୟ-ବିପଦପୂର୍ଣ୍ଣ ଅଞ୍ଚଳ ବର୍ଗରେ ରଖାଯାଇଛି। ସେହିପରି ୫୦ରୁ ଅଧିକ ମାମଲା ଥିବା ଏବଂ ସଂକ୍ରମଣ ଅଧିକ ହେଉଥିବା କିମ୍ବା ଆଶଙ୍କା ଥିବା ଅଞ୍ଚଳଗୁଡିକୁ ହାଇରିସ୍କ ଏରିଆ ବା ବିପଦପୂର୍ଣ୍ଣ ବର୍ଗରେ ରଖାଯାଇଛି। ଗତ ଶନିବାର ଦେଶରେ ୧୬ଟି ନୂଆ କୋଭିଡ-୧୯ ମାମଲା ଆସିଥିବା ଚୀନ ଜାତୀୟ ସ୍ବାସ୍ଥ୍ୟ ଆୟୋଗ (ଏନଏଚସି) ପକ୍ଷରୁ ଏକ ରିପୋର୍ଟରେ ପ୍ରକାଶ ପାଇଛି । ଯେଉଁଥିରେ ୯ ଜଣ ସଂକ୍ରମିତ ବାହାର ଅଞ୍ଚଳର ହୋଇଥିବାବେଳେ ୭ ଜଣ ସ୍ଥାନୀୟ ଅଞ୍ଚଳର ସଂକ୍ରମିତ ରହିଥିବା ଜଣାପଡ଼ିଛି। ଶନିବାର କୌଣସି ନୂଆ ଆକ୍ରାନ୍ତଙ୍କ ମୃତ୍ୟୁ ଘଟି ନ ଥିବାରୁ ମୃତ୍ୟୁ ସଂଖ୍ୟା ୪,୬୩୨ ରହିଥିବା ଏହି ରିପୋର୍ଟରେ କୁହାଯାଇଛି।


