ଋକ୍ଷା ପାଇବା ନିମନ୍ତେ ଆଦିବାସୀ ଏସପି ଓ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ଛତ୍ରପୁର ( ଯୁଗାବ୍ଦ ନ୍ୟୁଜ୍) : ଭଂଜନଗର ଥାନା ଅଧିକାରୀଙ୍କ ବର୍ବର ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ଓ ଥାନା ଆଇ ଆଇ ସି ଏବଂ ସେକେଣ୍ଡ ଅଫିସରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀରେ ଆଜି ଶହ ଶହ ମହିଳା /ପୁରୁଷ ଆଦିବାସୀ ମାନେ ନେତାଜୀ ଛକ ଠାରୁ ବିଶାଳ ଶୋଭାଯାତ୍ରାରେ ବାହାରି ଗଂଜାମ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ସମ୍ବଳିତ ଦାବୀ ପତ୍ର ଗଂଜାମ ଏସପିଙ୍କ ଅନୁପସ୍ଥିତରେ ଅତିରିକ୍ତ ଏସପି ପତିତପାବନ ଚୈାଧୂରୀଙ୍କୁ ସାକ୍ଷାତ କରି ପ୍ରଦାନ କରିଥିଲେ । ଏହି ଦାବୀ ପତ୍ରରେ ଦର୍ଶାଯାଇଛି ଯେ ଗତ ୧୩ତାରିଖ ସନ୍ଧ୍ୟା୬.୩୦ମିନିଟ ଭଂଜନଗର ଥାନା ଅଧିକାରୀ ତାଙ୍କ ସହଯୋଗୀ ସହ ଆସି କସାକେନ୍ଦୁପଲ୍ଲୀ ଗ୍ରାମରେ ଚୋରା ମଦ ରାନ୍ଧୁଛ କହି ଘର ଘର ଚଢାଉ କଲେ । ହେଲେ କାହା ଘରୁ ମଦ କିମ୍ବା ମଦ ରନ୍ଧା ସାମଗ୍ରୀ ମିଳିଲା ନାହିଁ । ଏହା ବାଦେ ବି ଗ୍ରାମବାସୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କଲେ । ହରିବନ୍ଧୁ ମଳିକ, ଦିବାକର ମଳିକଙ୍କୁ ବହୁତ ଅଶ୍ରାବ୍ୟ ଭାଷାରେ ଗାଳି କରି ମାଡ ମାରି ଜବରଦସ୍ତ ଗାଡିରେ ବସାଇଲେ । ଅପସରି ମଳିକକୁ ଲଙ୍ଗଳା ବୁତୁଲା କରି ଭିଡି ଭିଡି ଆଣି ତାକୁ ମଧ୍ୟ ଗାଡିରେ ବସାଇଲେ । ଏହି ସମୟରେ ଅପସରି ମଳିକର ଛୋଟ ଛୋଟ ତିନୋଟି ପିଲା ବିକଳରେ କାନ୍ଦ ବୋବାଳି ହେଲେ । ଏଣୁ ଗ୍ରାମବାସୀ ଓ ଲପତଇଲା ଗ୍ରାମରୁ ତା ମାମୁ ଘରକୁ କୁଣିଆ ଆସିଥିବା କାହ୍ନୁ ମଳିକ ଏଭଳି ଅନ୍ୟାୟ ନକରିବାକୁ ପୁଲିସକୁ ଗୁହାରୀ କରିବାରୁ ଗୁହାରୀ ଶୁଣିବା ପରିବର୍ତ୍ତେ ଆଶ୍ରବ୍ୟ ଭାଷାରେ ଗାଳି କରି ମାଡମାରିଲେ ଏବଂ ଘୋଷାରି ଘୋଷାରି ନେଇଁ ଗାଡିରେ ବସାଇ ଥାନାକୁ ନେଲେ । ଥାନାକୁ ଉଠାଇ ନିଆଯାଇଥିବା ଚାରିଜଣ ନିରୀହ ଆଦିବାସୀ ହୋଇଥିବାରୁ ସେମାନଙ୍କୁ ଛାଡି ଦେବା ପାଇଁ ଗ୍ରାମବାସୀ ଥାନାକୁ ଯାଇ ଗୁହାରୀ କଲେ । ହେଲେ ଭଂଜନଗର ଥାନା ଆଇଆଇସି ଗୁହାରୀ ଶୁଣିବା ପରିବର୍ତ୍ତେ ଗ୍ରାମବାସୀଙ୍କୁ ସେଠାରେ ବହୁତ ଗାଳିଗୁଲଜ କଲେ । ଆକ୍ରୋଶ ମୂଳକ ଭାବେ ଥାନା ଅଧିକାରୀ ନିରୀହ ଆଦିବାସୀ ମାନଙ୍କୁ ମିଥ୍ୟା କେସ୍ ରେ ଜେଲ ପଠାଇଥିଲେ । ଏଣୁ ଘଟଣା ର ପୁଙ୍ଖାନୁପୁଙ୍ଖ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନିମନ୍ତେ ଆଦିବାସୀ ମହିଳା ଓ ପୁରୁଷ ମାନେ ଦାବୀ କରିଛନ୍ତି ଅତିରିକ୍ତ ଏସପି ଶ୍ରୀ ଚୈାଧୂରୀଙ୍କ ନିକଟରେ । ଅପରପକ୍ଷରେ ସାକ୍ଷାତ କରିବାକୁ ଆସିଥିବା ସମସ୍ତ ଅଭିଯୋଗକାରୀ ମାନଙ୍କ ସହ ଅତିରିକ୍ତ ଏସପି ଶ୍ରୀ ଚୈାଧୂରୀ ଘଟଣା ସଂପର୍କରେ ପଚାରିବୁଝିଥିଲେ । ଏହି ଘଟଣାର ତଦନ୍ତ ଜଣେ ସିନିୟର ପୁଲିସ ଅଧିକାରୀ କରିବେ ବୋଲି ସେମାନଙ୍କୁ କହିଥିଲେ । ପରେ ଆଦିବାସୀ ମହିଳା ଓ ପୁରୁଷ ମାନେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖ ନିକଟରୁ ବାହାରି ଏକ ଶୋଭାଯାତ୍ରାରେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ । ସେଠାରେ କୁଇ ସମାଜର ରାଜ୍ୟସଭାପତି ଲମ୍ବୋଦର କହଁରଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗଂଜାମ ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାରସାହୁଙ୍କ ଏକ ପ୍ରତିନିଧୀ ଦଳ ଭେଟି ଦାବୀ ପତ୍ର ପ୍ରଦାନ କରିଥିଲେ । ପୂର୍ବରୁ ଏହି ଘଟଣା ସଂପର୍କରେ ଆଜି ମଧ୍ୟାହ୍ନରେ କୁଇ ସମାଜର ରାଜ୍ୟ ସଭାପତି ଲମ୍ବୋଦର କହଁର ଗଂଜାମ ଏସପିଙ୍କୁ ଭେଟି ଆଲୋଚନା କରିଥିବା ଆନ୍ଦୋଳନ କାରୀ ମାନଙ୍କ ଠାରୁ ସୂଚନା ମିଳିଛି ।