ଋଣ ପ୍ରଦାନ ଦାବିରେ ବ୍ୟାଙ୍କ ଘେରାଉ କଲେ ୪ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ
ଛତ୍ରପୁର,(ଦେବଦତ୍ତ ମହାରଣା) : ଋଣ ପ୍ରଦାନରେ ଜାଣିଶୁଣି ହଇରାଣ କରାଯାଉଥିବା ନେଇ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ ପକ୍ଷରୁ ଛତ୍ରପୁର ବ୍ଲକ ବିପୁଳିଙ୍ଗି ଗ୍ରାମ ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାକୁ ଘେରାଉ କରାଯାଇଛି । ଏହି ବ୍ୟାଙ୍କରୁ ପ୍ରାୟ ୩ଥର ହେଲା ମହିଳା ସଂଘ ପକ୍ଷରୁ ଋଣ ନେଇ ସଠିକ୍ ସମୟରେ ସୁଧ ସହ ପୈଠ କରାଯାଇଛି । ପୁଣି ଥରେ ମହିଳା ସଂଘ ପକ୍ଷରୁ ଋଣ ଆବେଦନ କରିଥିବାରୁ ବ୍ୟାଙ୍କ ପକ୍ଷରୁ ନାହିଁ ନଥିବା ହଇରାଣ କରାଯାଉଛି । ରାଜ୍ୟ ସରକାର ମହିଳା ଗୋଷ୍ଠୀଙ୍କୁ ସ୍ୱାବଲମ୍ବୀ ହୋଇ ଆତ୍ମନିର୍ଭରଶୀଳ ହେବା ଲାଗି ବିଭିନ୍ନ ଯୋଜନା ସହ ବ୍ୟାଙ୍କ ଋଣ ସହୟତାରେ ପଦକ୍ଷେପ ନେଉଥିବା ବେଳେ ଜିଲ୍ଲା ସଦର ମହକୁମା ଛତ୍ରପୁର ବ୍ଲକ ବିପୁଳିଙ୍ଗି ଗ୍ରାମ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ପକ୍ଷରୁ ଏହାକୁ ଖୋଲାଖୋଲି ବ୍ୟତିକ୍ରମ କରାଯାଉଛି ବୋଲି ହୋଇଛି ଅଭିଯୋଗ । କତୁରୁ ଗ୍ରାମର ଶିବ ଶଙ୍କର ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ , ରାଜନାପଲ୍ଲୀ ଗ୍ରାମର ମା’ ସରସ୍ୱତୀ (ଏ), ମା’ ମହାମାୟୀ (ଏ) ଏବଂ ମା’ ବୀରସିଙ୍ଗି ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀର ସମସ୍ତ ସଦସ୍ୟମାନେ ବ୍ୟାଙ୍କକୁ ଧାଇଁ ଧାଇଁ ନିରାଶ ହୋଇଥିଲେ । ଆଜି ଶେଷରେ ବାଧ୍ୟ ହୋଇ ବିପୁଳିଙ୍ଗି ପଞ୍ଚାୟତ ସରପଞ୍ଚ ଟି.ନରସିଂହ ରେଡ୍ଡୀ, ସମିତି ସଭ୍ୟ ଜୟଦେବ ଲେଙ୍କାଙ୍କ ନେତୃତ୍ୱରେ ମହିଳା ଗୋଷ୍ଠୀର ସମସ୍ତ ସଦସ୍ୟମାନେ ବ୍ୟାଙ୍କ ସମ୍ମୁଖରେ ଆନ୍ଦୋଳନ କରିଥିଲେ । ବହୁ ବାଦ ବିବାଦ ପରେ ଶିବ ଶଙ୍କର ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀକୁ ଋଣ ଅନୁମୋଦିତ ହୋଇଛି । ୨ଦିନ ମଧ୍ୟରେ ସେମାନଙ୍କ ଜମାଖାତାରେ ଋଣ ଟଙ୍କା ପୈଠ ହେବ । ରାଜନାପଲ୍ଲୀ ଗ୍ରାମର ବାକି ତିନୋଟି ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀର ଋଣ ବାବଦରେ କିଛି ସମସ୍ୟା ରହିଛି ତାହାକୁ ଏରିଆ ମ୍ୟାନଜରଙ୍କ ପାଖକୁ ପଠାଯିବ ବୋଲି କହିଥିଲେ । ହିତାଧିକାରୀମାନେ ବିଭିନ୍ନ ଯୋଜନାରେ ଆତ୍ମନିର୍ଭରଶୀଳ ହେବା ଲାଗି ଋଣ ସକାଶେ ଆବେଦନ କରୁଛନ୍ତି । କିନ୍ତୁ ସେହି ଅନୁପାତରେ ସେମାନଙ୍କୁ ଋଣ ପ୍ରଦାନ କରାଯାଇପାରୁନି । ଯଦି ବ୍ୟାଙ୍କ ଗୁଡିକ ଋଣ ପ୍ରଦାନ ଦିଗରେ ତତ୍ପରତା ଦେଖାଇବେନି ତାହାହେଲେ ପ୍ରଶାସନ ତରଫରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତି ୩ମାସ ଅନ୍ତରରେ ବ୍ୟାଙ୍କ ସମୂହ ପରାମର୍ଶଦାତା ବୈଠକରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କଡା ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ବୈଠକ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ କର୍ଣ୍ଣପାତ ନ କରି ହିତାଧିକାରୀଙ୍କୁ ଦୌଡାଉଥିବା ବେଳେ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀଙ୍କୁ ହଇରାଣ କରାଯାଉଛି ବୋଲି ବିପୁଳିଙ୍ଗି ପଞ୍ଚାୟତର ୪ଟି ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀର ସଦସ୍ୟମାନେ ଅଭିଯୋଗ କରିଛନ୍ତି ।