ଋଣ ସଂଯୋଗୀକରଣ ଉତ୍ସବରେ ୭୧.୬ କୋଟିର ଋଣ ପ୍ରଦାନ

ବାଲେଶ୍ୱର, (ସରୋଜ ପଣ୍ଡା) : ଆଜାଦିକା ଅମୃତ ମହୋତ୍ସବ ପାଳନ ଅବସରରେ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟ ନିର୍ଦ୍ଦେଶ କ୍ରମେ ବ୍ୟାଙ୍କ ସମୂହଙ୍କ ପକ୍ଷରୁ ଚଳିତ ମାସ ୬ ତାରିଖରୁ ଆରମ୍ଭ ଆଇକନିକ ସପ୍ତାହ । ଏହି ପରିପ୍ରେକ୍ଷୀରେ ୟୁକୋ ବ୍ୟାଙ୍କ ତଥା ବାଲେଶ୍ୱରର ଅନ୍ୟାନ୍ୟ ପକ୍ଷରୁ ଏକ ମିଳିତ ଋଣ ସଂଯୋଗୀକରଣ କାର୍ଯ୍ୟକ୍ରମ ସ୍ଥାନୀୟ ଜିଲା ପରିଷଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ସାମ୍ପ୍ରତିକ ସ୍ଥିତିରେ ଜିଲାରେ ବ୍ୟାଙ୍କ ସେବାର ଆଶାତୀତ ଅଗ୍ରଗତିକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ । ତେବେ ଋଣ ଆବେଦନ ଓ ପ୍ରଦାନ ପ୍ରକ୍ରିୟାକୁ ଅଧିକ ସହଜ କରିବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ବିଶେଷ କରି ଆବଶ୍ୟକତା ଅନୁଯାୟୀ ଜିଲାରେ କୃଷିଋଣ, ଶିଳ୍ପଋଣ ଓ ଶିକ୍ଷାଋଣ ପ୍ରଦାନକୁ ଗୁରୁତ୍ୱ ଦେବା ପାଇଁ ସେ କହିଥିଲେ । ନାବାର୍ଡ଼ ଜିଲା ଉନ୍ନୟନ ଅଧିକାରୀ ତାପସ ପ୍ରଧାନ, ୟୁକୋ ବ୍ୟାଙ୍କ କ୍ଷେତ୍ରୀୟ ଉପ-ପ୍ରବନ୍ଧକ ନିଶିକାନ୍ତ ସିଂ, ୟୁନିୟନ ବ୍ୟାଙ୍କ କ୍ଷେତ୍ରୀୟ ଉପ-ପ୍ରବନ୍ଧକ ଗଜେନ୍ଦ୍ର ଦାସ, ଜିଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ବିଶ୍ୱଜିତ ଶତପଥୀ ପ୍ରମୁଖ ଏଥିରେ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରିତା ବ୍ୟାଙ୍କମାନଙ୍କ ସହଯୋଗ ଓ ଋଣପ୍ରଦାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଅଧିକାରୀମାନେ ଆଲୋଚନା କରିଥିଲେ । ଏହି ଅବସରରେ ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଜିଲାର ୩୭୯୯ ଜଣ ହିତାଧିକାରୀଙ୍କୁ ୭୧.୬୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା । ଏଥି ସହିତ ବ୍ୟାଙ୍କ ସେବା କ୍ଷେତ୍ରରେ ବିଭିନ୍ନ ଯୋଜନା ସମ୍ପର୍କିତ ସୂଚନା ବାବଦରେ ଉପସ୍ଥିତ ଲୋକଙ୍କୁ ଅବଗତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ