ଋତୁସ୍ରାବ : ସମସ୍ୟା ଓ ତା’ର ପ୍ରତିକାର
ଡାକ୍ତର ଶୁଭଶ୍ରୀ ମିଶ୍ର
ପିଲାଦିନର ମୋ ପଡ଼ୋଶୀ ସାଙ୍ଗ କାଞ୍ଚନ ଏକ ଭୋଜିରେ ଦେଖାହୋଇଗଲା । ବହୁଦିନ ପରେ ତା ଭିତରେ ହସଖୁସି ତ କିଛି ଦେଖିଲି କିନ୍ତୁ କେଜାଣି କାହିଁକି ତା ଭିତରେ କିଛି ଅସ୍ୱାଭାବିକ ଭାବ ମୋତେ ଲାଗିଲା । ନିରୋଳାରେ ଡାକି କଥା ହେଲା ପରେ ମୋ କ୍ଳିନିକକୁ ଆସିବା ପାଇଁ ପ୍ରସ୍ତାବ ଦେଇଥିଲି । ମୋ କଥାମାନି ସେ ଆସି ବାସ୍ତବିକତା ସମସ୍ୟା କଥା କହିଲା । ବୟସକୁ ନେଇ ତାର ଋତୁସ୍ରାବ ସମସ୍ୟାର ଅସ୍ୱାଭାବିକତା ଓ ଏହା କ୍ରମାଗତ ବେଳେ ବେଳେ ଲାଗି ରହୁଥିବାରୁ ସେ ମୋତେ କହିବା ପରେ ମୁଁ ତାକୁ କହିଲି ମାସିକ ଋତୁସ୍ରାବ ନାରୀ ଶରୀରର ଏକ ସ୍ୱାଭାବିକ ପ୍ରକ୍ରିୟା । କେତେକଙ୍କ ଠାରେ ଏହାର ଅନିୟମିତତା ଦେଖାଯିବା ଯୋଗୁଁ ସେମାନେ କେତେକ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି । ଋତୁସ୍ରାବ ସମୟରେ ତଳିପେଟରେ ପୀଡ଼ା, ଅଧିକ ରକ୍ତସ୍ରାବ ତଥା ଯୌନାଙ୍ଗରୁ ଅସ୍ୱାଭାବିକ ସ୍ରାବ ଆଦି ଅନେକ ସମସ୍ୟା ଦେଖିବାକୁ ମିଳେ । ଏହାର ଠିକ୍ ସମୟରେ ଚିକିତ୍ସା ନିହାତି ଆବଶ୍ୟକ । ସାଧାରଣତଃ ଏଗାରରୁ ଚଉଦ ବର୍ଷ ବୟସ ମଧ୍ୟରେ ମାସିକ ଋତୁସ୍ରାବ ଆରମ୍ଭ ହୋଇଥାଏ । ଗର୍ଭାବସ୍ଥା ଏବଂ ସ୍ତନ୍ୟପାନ କରାଉଥିବା ଅବସ୍ଥାକୁ ଛାଡ଼ିଦେଲେ ଏହା ପ୍ରାୟ ନିଶ୍ଚିତ ସମୟରେ ହୋଇଥାଏ । ମାସିକ ଋତୁସ୍ରାବ ପ୍ରତି ୨୮ ଦିନରେ ଥରେ ହୁଏ । ଏହି ଚକ୍ରର ସମୟ ସମସ୍ତଙ୍କଠାରେ ସମାନ ହୋଇ ନଥାଏ । ତେଣୁ ଏହାର ୨୨ ରୁ ୩୫ ଦିନ ପର୍ଯ୍ୟନ୍ତ ଧରାଯାଇଥାଏ । ପ୍ରାୟତଃ ୧୦ ରୁ ୨୦ ଭାଗ ମହିଳାଙ୍କଠାରେ ଋତୁସ୍ରାବ ଜନିତ ସମସ୍ୟା ଦେଖାଯାଏ । ଏହି ସମସ୍ୟାକୁ ଚିକିତ୍ସା ଦ୍ୱାରା ଦୂର କରାଯାଇପାରେ ମାତ୍ର ଅବହେଳା କଲେ ଏହା ଗୁରୁତର ହୋଇଥାଏ । ପ୍ରାୟ ୩୦ ଭାଗ କିଶୋରୀ ମାସିକ ଋତୁସ୍ରାବ ସମୟରେ ତଳି ପେଟରେ ପୀଡ଼ା ଅନୁଭବ କରନ୍ତି ଯାହା ବର୍ଷ ବର୍ଷ ଲାଗିରହେ । ୨୦ ବର୍ଷ ହେବା ପରେ ବା ବିବାହ ପରେ ଏହା ଆପେ ଆପେ ଠିକ୍ ହୋଇଯାଏ । ଅନେକ କ୍ଷେତ୍ରରେ ତଳି ପେଟର ବେଦନା ଅସହ୍ୟ ହୋଇଥାଏ । ଏହି କ୍ଷେତ୍ରରେ ନିୟମିତ ଔଷଧ ସେବନ କରିବାକୁ ପଡ଼ିଥାଏ ।
କିଶୋରୀ ଅବସ୍ଥାରେ ଅନ୍ୟ ଏକ ସମସ୍ୟା ହେଲା ସ୍ରାବ ଆରମ୍ଭ ହେବାର ବର୍ଷେ ଦୁଇ ବର୍ଷ ପର୍ଯ୍ୟନ୍ତ ଅତ୍ୟଧିକ ଋତୁସ୍ରାବ ହେବା । ଏହା ବଂଶଗତ ମଧ୍ୟ ହୋଇପାରେ । ଏପରି କ୍ଷେତ୍ରରେ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରିବା ଉଚିତ । ଏଥିପାଇଁ ସ୍ୱାସ୍ଥ୍ୟପରୀକ୍ଷା କରିବା ସହିତ ଅଲ୍ଟ୍ରାସାଉଣ୍ଡ ମଧ୍ୟ କରିବାକୁ ପଡ଼ିଥାଏ । ତିନିରୁ ଛଅ ମାସ ପର୍ଯ୍ୟନ୍ତ ହର୍ମୋନ ବଟିକା ଖାଇବା ଦ୍ୱାରା ଏହି ସମସ୍ୟା ଠିକ୍ ହୋଇଥାଏ । ଚିକିତ୍ସାରେ ଅବହେଳା କଲେ ରୋଗୀ ରକ୍ତହୀନତାର ଶିକାର ହୁଏ । କେତେକ ଅବିବାହିତ ଝିଅଙ୍କ କ୍ଷେତ୍ରରେ ମାସିକ ସ୍ରାବ ୪୫ କିମ୍ବା ୬୦ ଦିନରେ ହୋଇଥାଏ । କେବେ କେବେ ୩-୪ ମାସ ବିଳମ୍ବରେ ମଧ୍ୟ ସ୍ରାବ ହୁଏ । ଏପରି ସମସ୍ୟା କିଛି ବର୍ଷ ଲାଗି ରହେ ଓ ବିବାହ ପରେ ଠିକ୍ ହୋଇଯାଏ । ଏହା ଡ଼ିମ୍ବାଶୟରେ ଶୋଥ ହେବା କାରଣରୁ ହୋଇଥାଏ । ଡାକ୍ତରୀ ଭାଷାରେ ଏହାକୁ ପଲିସିଷ୍ଟିକ୍ ଓଭାରୀ କୁହାଯାଏ । ଏହାର ନିଦାନ ରକ୍ତ ପରୀକ୍ଷା ତଥା ଅଲ୍ଟ୍ରାସାଉଣ୍ଡ ଦ୍ୱାରା କରାଯାଏ । ଏହାର ଚିକିତ୍ସା ପାଇଁ ୬ରୁ ୯ ମାସ ଯାଏ ନିୟମିତ ଔଷଧ ଖାଇବାକୁ ପଡ଼େ । ସମୟେ ସମୟେ ଔଷଧ ଖାଇବା ସତ୍ତ୍ୱେ ଏହା ଠିକ୍ ହୁଏ ନାହିଁ । ତେଣୁ ବିବାହ ପରେ ମାଆ ହେବାର ସମସ୍ୟା ଉପୁଜିବ ବୋଲି ଅନେକ ଚିନ୍ତିତ ହୋଇପଡ଼ନ୍ତି । କିନ୍ତୁ ଏଥିରେ ଚିନ୍ତା କରିବାର କୌଣସି କାରଣ ନାହିଁ । ବାହାଘର ପରେ ଏହା ସତ୍ତଃ ଠିକ୍ ନହେଲେ ମଧ୍ୟ ଚିକିତ୍ସା ଦ୍ୱାରା ଗର୍ଭଧାରଣ ସମ୍ଭବ ହୋଇଥାଏ ଓ ଥରେ ଗର୍ଭବତୀ ହେବା ପରେ ଏହି ସମସ୍ୟା ଆଉ ରହେନାହିଁ । ତେବେ ଅତ୍ୟଧିକ ଧଳାସ୍ରାବ ହେବା ସହିତ ଯଦି ଯୌନାଙ୍ଗ କୁଣ୍ଡେଇ ହୁଏ ତେବେ ତାହା ସଂକ୍ରମଣ ଜନିତ ରୋଗ ବୋଲି ଜାଣି ତୁରନ୍ତ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ୍ । ଅନେକ କ୍ଷେତ୍ରରେ ଦେଖାଯାଏ ଋତୁସ୍ରାବ ସମସ୍ୟାକୁ ନେଇ କେହି କେହି ଅତ୍ୟଧିକ ଭୟଭୀତ ହୋଇପଡ଼ନ୍ତି । ସେହିପରି ଡାକ୍ତରଙ୍କୁ ନ ଦେଖାଇ ଘରୋଇ ଉପଚାର ବା କାହାର କାନକୁହା କଥା ଶୁଣି ଏହି ସମସ୍ୟାର ନିରାକରଣ ପାଇଁ ଚେଷ୍ଟା କଲେ ଏହା ବିପଜ୍ଜନକ ହୋଇଥାଏ । ମହିଳାଙ୍କ ଶରୀରରେ ଋତୁସ୍ରାବ ଏକ ପ୍ରକୃତିଗତ ପ୍ରକ୍ରିୟା । ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ । ଆଜିକାଲି ସରକାରୀ ଡାକ୍ତରଖାନାରେ ଅଭିଜ୍ଞ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ରହୁଥିବାରୁ ସେମାନଙ୍କ ପରାମର୍ଶ ନିଅନ୍ତୁ । ଆବଶ୍ୟକ ପଡ଼ିଲେ ରକ୍ତ ପରୀକ୍ଷା ବା ମୂତ୍ର ପରୀକ୍ଷା ବା ଅନ୍ୟ ପରୀକ୍ଷା କରାଇ ନିଅନ୍ତୁ । ଋତୁସ୍ରାବ ସମୟରେ ଡାକ୍ତରଙ୍କ ପରାମର୍ଶ ନେଇ ଭିଟାମିନ ଟନିକ୍ ବା ଟାବଲେଟ ତ ଖାଇବେ, ଫଳ, ତଟକା ପନିପରିବା, ଶାଗ, ସାଲାଡ଼, କ୍ଷୀର ଇତ୍ୟାଦି ବହୁତ ଭଲ । କୌଣସି ଗରିଷ୍ଠ ଖାଦ୍ୟ ନଖାଇ ସୁଷମ ଖାଦ୍ୟକୁ ଗୁରୁତ୍ୱ ଦିଅନ୍ତୁ । ଫାଷ୍ଟଫୁଡ଼୍ ନଖାଇବା ଭଲ । ଖାଦ୍ୟରେ ଯେତେ ସମ୍ଭବ କମ୍ ତେଲ, ମସଲା, ଲଙ୍କା ଆଦିର ପରିମାଣ କମ୍ ରଖନ୍ତୁ । ପ୍ରଚୁର ବିଶୋଧିତ ପାଣି ପିଅନ୍ତୁ ଓ ଶାରୀରିକ ବ୍ୟାୟାମ ଡାକ୍ତରଙ୍କ ପରାମର୍ଶ ନେଇ ଅଭ୍ୟାସ କଲେ ଭଲ । ଋତୁସ୍ରାବ ପାଇଁ ଆବଶ୍ୟକ ହେଉଥିବା ନାପ୍କିନ୍ ବା ସମ୍ପୂର୍ଣ୍ଣ ଔଷଧୀୟ ବିଶୋଧିତ ଗଜକୁ ଗୁରୁତ୍ୱ ଦିଅନ୍ତୁ । ନଚେତ୍ ସଂକ୍ରମଣର ସମସ୍ୟା ଉପୁଜିପାରେ । ଏହି ସମୟରେ ସହବାସ ଠାରୁ ଦୂରେଇ ରହିବା ବାଞ୍ଛନୀୟ । ଋତୁସ୍ରାବକୁ ନେଇ ମନ ଭିତରୁ ସମ୍ପୂର୍ଣ୍ଣ ରୂପେ ଭୟକୁ କାଢ଼ି ଦିଅନ୍ତୁ । ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ, ନାମସ୍କରଣ କରନ୍ତୁ ଏବଂ ଆଧ୍ୟାତ୍ମିକ ପୁସ୍ତକ ପଢ଼ୁନ୍ତୁ ।
ସହକାରୀ ପ୍ରଫେସର, ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଭାଗ, ପୁରୀଘାଟ ରୋଡ଼, କଟକ, ଦୂରଭାଷ : ୯୮୬୧୪୬୩୪୦୬