ଋଷଭଙ୍କ ଶତକ, ଭାରତ ୭ ୱିକେଟରେ ୨୫୯ ରନ
ଅହମଦାବାଦ, (ୱାଇଏନ୍ଏସ୍) : ନରେନ୍ଦ୍ର ମୋଦୀ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ୪ର୍ଥ ଟେଷ୍ଟର ୨ୟ ଦିନରେ ଭାରତ ନିଜର ସ୍ଥିତିକୁ ସୁଦୃଢ କରିଛି । ଋଷଭ ପନ୍ତଙ୍କ ଲଢୁଆ ଶତକ ଯୋଗୁଁ ଭାରତୀୟ ଦଳ ଇଂଲଣ୍ଡ ଠାରୁ ସୁବିଧାଜନକ ସ୍ଥିତିରେ ରହିଛି । ଭାରତ ୭ ଓ୍ବିକେଟ ହରାଇ ୨୫୯ ରନ କରିବା ସହ ଇଂଲଣ୍ଡଠାରୁ ୫୪ରନରେ ଆଗୁଆ ରହିଛି ।ଭାରତର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିପାରିନଥିବାବେଳେ ପନ୍ତ ଦ୍ରୁତ ବ୍ୟାଟିଂ କରି ମାତ୍ର ୧୧୭ ବଲରେ ଶତକ ହାସଲ କରିଛନ୍ତି । ସେ ୧୧୭ଟି ବଲ ଖେଳି ୨ ଛକା, ୧୩ ଚୌକା ସହ ୧୦୧ ରନ କରି ଜେମ୍ସ ଆଣ୍ଡରସନଙ୍କ ବଲରେ ଜୋ ରୁଟଙ୍କ ହାତରେ ଧରା ପଡ଼ିଛନ୍ତି । କ୍ରିଜର ଅନ୍ୟପଟେ ଓ୍ବାସିଂଟନ ସୁନ୍ଦର ୪୦ ରନ କରି ଅପରାଜିତ ଅଛନ୍ତି । ଏହା ପୂର୍ବରୁ ଆଜି ରୋହିତ ଶର୍ମା ୪୯ ରନ କରି ଆଉଟ ହୋଇଥିଲେ । ଅଧିନାୟକ ବିରାଟ କୋହଲି ନିଜର ଖାତା ଖୋଲିବା ପୂର୍ବରୁ ବେନ ଷ୍ଟୋକ୍ସଙ୍କ ବଲରେ ଆଉଟ ହୋଇଥିଲେ । ଇଂଲଣ୍ଡ ପକ୍ଷରୁ ଆଣ୍ଡରସନ ୩ଟି ଓ୍ବିକେଟ ନେଇଥିବାବେଳେ ଷ୍ଟୋକ୍ସ ଓ ଜାକ ଲିଚ୍ ୨ଟି ଲେଖାଏଁ ଓ୍ବିକେଟ ପାଇଛନ୍ତି ।


