ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଦାବିପତ୍ର 

ଛତ୍ରପୁର, (ଦେବଦତ୍ତ ମହାରଣା) :-ଚଳିତ ବର୍ଷ କମ ବର୍ଷା ଯୋଗୁଁ ଧାନ ଚାଷ କାମ ବିଳମ୍ବ ହେଉଛି । ଏଣୁ କୃଷି ବିଭାଗ ସହିତ ସଂପୃକ୍ତ ଥିବା ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ନେଇ ଏକ ସମନ୍ୱୟ କମିଟି ଗଠନ କରି ପ୍ରତି ମାସରେ ସମୀକ୍ଷା କରି ଚାଷୀଙ୍କ ସମସ୍ୟାର ସମାଧାନ କରାଯିବା, ଭୂତଳ ଜଳସ୍ତର କମିଯିବାରୁ ବୋରୱେଲରେ ପାଣି କମ ବାହାରୁଚି । ଏଣୁ ବର୍ଷା ଜଳକୁ ସଂରକ୍ଷଣ କରି ଭୁତଳ ଜଳସ୍ତର ବଢେଇବା ପାଇଁ ନିର୍ଦ୍ଦେଶ ଦିଆଯିବା, ଗଞ୍ଜାମ ଜିଲ୍ଲାରେ ମାତ୍ର ୪୦ ଭାଗ ଜମିକୁ ଜଳସେଚନର ସୁବିଧା ଥିବାରୁ ଦୋ ଫସଲି ଚାଷ ହୋଇପାରୁନାହିଁ । ଏଣୁ ସବୁ ଚାଷ ଜମିକୁ ଜଳସେଚନର ସୁବିଧା କରିବା ପାଇଁ ମାଷ୍ଟର ପ୍ଲାନ କରାଯାଇ କାର୍ଯ୍ୟକାରୀ କରାଯିବା, ଧାନ ଅମଳ ପରେ ଚାଷୀ ମାନେ ସବୁ ପାଳ ପୋଡି ଦେଉଥିବାରୁ ପରିବେଶ ନଷ୍ଟ ହେଉଛି । ଏଣୁ ସେହି ପାଳ ଦ୍ୱାରା ଜୈବିକ ଖତ କରିବା ପାଇଁ ନିର୍ଦ୍ଦେଶ ଦିଆଯିବା, ଜୈବିକ ଚାଷକୁ ପ୍ରୋତ୍ସାହନ ଦେଇ ମାଟିର ଉର୍ବରତା ବଢେଇବା ପାଇଁ ନିର୍ଦ୍ଦେଶ ଦିଆଯିବା, ରାସାୟନିକ ସାରର କଳା ବଜାରି ରୋକାଯିବା, ଜିଲ୍ଲାରେ ୫୦ ଭାଗରୁ ଅଧିକ ଜମି ଭାଗ ଚାଷୀ ମାନେ ଚାଷ କରନ୍ତି, ସେମାନେ ପ୍ରକୃତ ଚାଷୀ ଅଟନ୍ତି । ଏଣୁ ତାଙ୍କୁ ଚାଷୀର ମାନ୍ୟତା ଦେଇ ସବୁ ପ୍ରକାର ସରକାରୀ ସହାୟତା ପ୍ରଦାନ କରାଯିବା, ବଳରାମ ଯୋଜନାରେ ଭାଗ ଚାଷୀଙ୍କୁ ତୁରନ୍ତ କୃଷି ଋଣ ପ୍ରଦାନ କରାଯିବା, ପ୍ରତି ପଂଚାୟତରେ କୃଷି ସହାୟକ କେନ୍ଦ୍ର ଖୋଲି ଚାଷୀଙ୍କୁ ବିହନ ଜୈବିକ ସାର, କୃଷି ଯନ୍ତ୍ରପାତି ଆଦି ରିହାତିରେ ଯୋଗାଇ ଦିଆଯିବା. ସମସ୍ତ କୃଷିଜାତ ପଦାର୍ଥର ମାର୍କେଟିଙ୍ଗର ସୁବିଧା ନିମନ୍ତେ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର, ଗୋଦାମ ଗୃହ ନିର୍ମାଣ କରି ସିସାଇଟି/ଆରଏମସି ଜରିଆରେ ଚାଷୀଙ୍କ ଠାରୁ ସିଧାସଳଖ କିଣିବାର ବ୍ୟବସ୍ଥା କରିବା ଭଳି ବିଭିନ୍ନ ଦାବି ନେଇ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଏକ ଦାବିପତ୍ର ରାଜ୍ୟ କୃଷି ନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଏହା ସହ ଏହି ଦାବିପତ୍ର ର ଏକ ନକଲ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରାଯାଇଥିବା ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସିମାଂଚଳ ନାହାକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ