ଋଷିକୂଲ୍ୟାରେ ବ୍ୟାରେଜ ନିର୍ମାଣ ଅନୁମୋଦନ ହେତୁ ଚାଷୀକୂଳ ଉତ୍ସାହିତ
ଛତ୍ରପୁର, (ଦେବଦତ୍ତ ମହାରଣା) :ଋଷିକୁଲ୍ୟା ନଦୀର କଂସାରୀଗଣ୍ଡ ଠାରେ ବ୍ୟାରେଜ ନିର୍ମାଣ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ହୋଇଛି । ଏହି ବ୍ୟାରେଜ ନିର୍ମାଣ ହେଲେ ଛତ୍ରପୁର ଓ ଗଞ୍ଜାମ ବ୍ଲକର ୩୧ ଟି ଗ୍ରାମର ଲୋକେ ଉପକୃତ ହେବେ । ଏଥି ସହ ସ୍ଥାନୀୟ ଚାଷୀଙ୍କ ଜମିକୁ ଜଳସେଚନ ସୁବିଧା ହେବା ସହ ମତ୍ସ୍ୟଜିବୀ ମାନେ ଉପକୃତ ହୋଇପାରିବେ । ଏହି ବ୍ୟାରେଜ ନର୍ମାଣ ଲାଗି ୧୪୯.୬୦ କୋଟି ଖର୍ଚ୍ଚ କରାଯିବ । ଗଞ୍ଜାମ ଜିଲ୍ଲାର ଜୀବନ ଜିବିକା ମୁନିସିପେଣ୍ଠ ନିକଟସ୍ଥ ପ୍ରାକୃତିକ କଂସାରୀଗଣ୍ଡ ଋଷିକୁଲ୍ୟା ଠାରେ ସରକାର ବ୍ୟାରେଜ ନିର୍ମାଣ ଆୟୋଜନ କରିଥିବାରୁ କୃଷକ, ମତ୍ସ୍ୟଜିବୀ ସମେତ ଜନସାଧାରଣ ବହୁତ ଆନନ୍ଦିତ ହୋଇଛନ୍ତି । ଉକ୍ତ ପ୍ରକଳ୍ପ ଦ୍ୱାରା ପୋଟ୍ଟଲାମପୁର, ବଡମାଧପୁର, ମଲାଡ,ୟୁଡିଏସପୁର ଓ ପୋଇରାଶି ପ୍ରଭୃତି ଛତ୍ରପୁର ଏବଂ ଗଞ୍ଜାମ ବ୍ଲକର ଶତାଧିକ ଗ୍ରାମ ଉପକୃତ ହେବା ସହ ଏହି ଅଂଚଳ ପନିପରିବାର ହବ୍ ହେବାକୁ ଯାଉଅଛି । ୧୪୯.୬୦ କୋଟି ଟଙ୍କାର ଏହି ବ୍ୟାରେଜ ନିର୍ମାଣ ହେଲେ ଭୁତଳ ଜଳସ୍ତର ବୃଦ୍ଧି ଘଟିବ । ଯଦ୍ୱାରା ବ୍ରହ୍ମପୁର, ଛତ୍ରପୁର ଏବଂ ଗୋପାଳପୁର ବ୍ରହ୍ମଗିରି ନିମନ୍ତେ ନିର୍ମାଣ ହୋଇଥିବା ଗଭୀର କୂପ ଗୁଡିକ ଜଳ ସଂଗ୍ରହରେ ବାଧା ଉପୁଜିବ ନାହିଁ । ସୂଚନା ଯୋଗ୍ୟ ଯେ ପୋଟ୍ଟଲାମପୁର କୃଷକ ମଣ୍ଡଳ ତରଫରୁ ପୂର୍ବତନ ସରପଂଚ ତଥା କୃଷକ ନେତା ସ୍ୱର୍ଗୀୟ ପଦ୍ମନାଭ ସାହୁ ଏବଂ ପୂର୍ବତନ ଛତ୍ରପୁର ବିଧାୟକ ତଥା ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ୧୯୮୬ ରେ ଏକ ଐତିହାସିକ ଆନ୍ଦୋଳନ ହୋଇଥିଲା, କଂସାରୀଗଣ୍ଡ ଠାରେ ନଦୀବନ୍ଧ ନିର୍ମାଣ କରି ଜଳ ସେଚନ ଓ ପାନୀୟ ଜଳ ନିମନ୍ତେ ଋଷିକୁଲ୍ୟା ଜଳକୁ ବ୍ୟବହାର କରିବା ପାଇଁ ସୁପ୍ରିମକୋର୍ଟ ରେ ଏକ ଜନହିତ ମାମଲା ଦାୟର କରାଯାଇଥିଲା । ଯାହା ଜନ ନାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଏହାକୁ ସମର୍ଥନ କରିଥିଲେ । ତିନି ବର୍ଷ ପୂର୍ବେ ରାମ ଚନ୍ଦ୍ର ପଣ୍ଡା ଯେତେବେଳେ ରାଜ୍ୟ ଯୋଜନା ବର୍ଡର ସଦସ୍ୟ ରହିଥିଲେ, ତାଙ୍କରି ପ୍ରଚେଷ୍ଟାରେ ପୁନଶ୍ଚ ଏହା ସରକାରଙ୍କ ଦୃଷ୍ଟିକୋଣକୁ ଆଣିଥିଲେ । ଋଷିକୁଲ୍ୟା ନଦୀ ଉପରେ ନିର୍ଭରଶୀଳ ଅନେକ ପଂଚାୟତ ଚାଷୀ ମାନଙ୍କ ଦୀର୍ଘ ଦିନର ଆଶା ପୂରଣ ହେବାକୁ ଯାଉଥିବାରୁ ଚାଷୀକୂଳ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଏହି ପ୍ରକଳ୍ପ ନିମନ୍ତେ ପୂର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡାଙ୍କୁ ଭୁୟସୀ ପ୍ରଶଂସା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଏକ ପ୍ରେସ ବିବୃତ୍ତି ରେ ପୋଟ୍ଟଲାମପୁର ପଂଚାୟତର ସରପଂଚ ନିରଞ୍ଜନ ପ୍ରଧାନ, ପୋଇରାଶି ସରପଂଚ ରବିନ୍ଦ୍ର ବେହେରା, ୟୁଡିଏସପୁର ପଂଚାୟତ ପୂର୍ବତନ ସମିତିସଭ୍ୟ ଶତୃଘନ ମହାଙ୍କୁଡ, ପୂର୍ବତନ ଛତ୍ରପୁର ପଂଚାୟତ ସମିତି ଅଧ୍ୟକ୍ଷା ଗୀତାଞ୍ଜଳୀ ସ୍ୱାଇଁ ଙ୍କସମେତ ଅନେକ ନିର୍ବାଚିତ ପ୍ରତିନିଧି ପୂର୍ବତନ ଉପବାଚସ୍ପତି ଶ୍ରୀ ପଣ୍ଡା ଙ୍କ ଦୀର୍ଘ ବର୍ଷ ବ୍ୟାପୀ ପ୍ରଚେଷ୍ଟା ପାଇଁ ଧନ୍ୟବାଦ ଅର୍ପଣ କରିଛନ୍ତି ଏବଂ ପ୍ରକଳ୍ପ ଅନୁମୋଦନ କରିଥିବାରୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁୟସୀ ପ୍ରଶଂସା କରାଯାଇଛି ।


