ଏଆଇଟିୟୁସିର ମହାସମାବେଶକୁ ସଫଳ ପାଇଁ ଉଠାଜଳସେଚନ କର୍ମଚାରୀଙ୍କ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଶ୍ରମଜୀବୀ ଜନଗଣ ବିରୋଧୀ ନୀତିର ପ୍ରତିବାଦରେ ଆସନ୍ତା ଶନିବାର ଦିନ ରାଜ୍ୟ ଏଆଇଟିୟୁସି ଆହ୍ୱାନରେ ଭୁବନେଶ୍ୱରରେ ମହାସମାବେଶ ଓ ଗଣଧାରଣାରେ ଯୋଗଦେବାକୁ ଉଠାଜଳସେଚନ କର୍ମଚାରୀମାନଙ୍କ ବୈଠକ ଗୁରୁବାର ଦିନ ସଂଘର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ତଥା ଏଆଇଟିୟୁସିର ରାଜ୍ୟ ଉପସଭାପତି ଗୌରାଙ୍ଗ ପାଣିଗ୍ରାହୀ ବୈଠକରେ ଅଧ୍ୟକ୍ଷତା କରିଥିଲେ । ସାଧାରଣ ସଂପାଦକ ଶ୍ୟାମସୁନ୍ଦର ଜେନା ଦାବିଗୁଡ଼ିକ ଉପସ୍ଥାପିତ କରି ଆସନ୍ତା ୧୬ ତାରିଖ ଶନିବାର ଦିନ ଭୁବନେଶ୍ୱର ସମାବେଶରେ ସମସ୍ତ ସାଥୀ ଯୋଗଦେବାକୁ ଆହ୍ୱାନ ଦେଇଥିଲେ । ଉଠାଜଳସେଚନ ନିଗମରୁ ଅବସର ନେଇଥିବା କର୍ମଚାରୀମାନଙ୍କୁ କେନ୍ଦ୍ରସରକାରଙ୍କ ଦ୍ୱାରା ପରିଚାଳିତ ଇପିଏଫ୍ ସଂସ୍ଥା ମାସିକ ମାତ୍ର ୧ହଜାର ଟଙ୍କା କିମ୍ବା ତହିଁରୁ କମ୍ ଟଙ୍କା ପେନ୍‌ସନ୍ ପ୍ରଦାନ କରୁଛନ୍ତି । ରାଜ୍ୟ ଓ କେନ୍ଦ୍ର ସ୍ତରରେ ଇପିଏôଫ ପେନ୍‌ସନ୍ ଭୋଗୀ ଆସୋସିଏସନ୍‌ର ଦାବି ଓ ଆନ୍ଦୋଳନ ପ୍ରତି ସରକାର ଗୁରୁତ୍ୱ ଦେଉନାହାନ୍ତି । ତେଣୁ ମାସିକ ପେନସନ୍ ସର୍ବନିମ୍ନ ୯ହଜାର ଟଙ୍କା ଓ ମହଙ୍ଗାଭତ୍ତା ପ୍ରଦାନ ଦାବିରେ ଉଠାଜଳସେଚନ କର୍ମଚାରୀମାନେ ଭୁବନେଶ୍ୱର ସମାବେଶରେ ଯୋଗଦେବା ଜରୁରୀ ବୋଲି ଶ୍ରୀ ଜେନା ମତ ପ୍ରଦାନ କରିଥିଲେ । ସଂଘର ସହ ସଂପାଦକ ଶରତ ଚନ୍ଦ୍ର ଦଳାଇ ଓ କୋଷାଧ୍ୟକ୍ଷ ଶଶଧର ପରିଡ଼ା ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମନୀତିକୁ ଦୃଢ଼ ସମାଲୋଚନା କରିଥିଲେ ।ସର୍ବଶ୍ରୀ ସଂଗ୍ରାମ ମହାପାତ୍ର, ଭାସ୍କର ପାଣିଗ୍ରାହୀ, ହରେକୃଷ୍ଣ ବେହେରା, ପୂର୍ଣ୍ଣଚନ୍ଦ୍ର ପାତ୍ର, ଦିଲ୍ଲୀପ ନାୟକ ଓ ଉମାକାନ୍ତ ସାହୁ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଇପିଏଫ୍ ପେନ୍‌ସନ୍ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ । ଶେଷରେ ସଂଘର ପ୍ରତିଷ୍ଠାତା ସଭ୍ୟ ସନାତନ ଜଳଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ