ଏଆଇସିସିଟିୟୁ ଓ ସିପିଆଇ (ଏମ୍ଏଲ୍) ଲିବରେସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଧର୍ମଘଟ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକମାରଣ ନୀତି ବିରୁଦ୍ଧରେ ଏଆଇସିସିଟିୟୁ ଓ ସିପିଆଇ (ଏମ୍ଏଲ୍) ଲିବରେସନ ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ୧୦ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସ୍ଥାନୀୟ ରେଳଷ୍ଟେସନ, ଶ୍ରମ କମିଶନର ଅଫିସ୍, ଆଇସିଆଇସିଆଇ ବ୍ୟାଙ୍କ, ଏଚ୍ଡ଼ିଏଫ୍ସି ବ୍ୟାଙ୍କ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି କାର୍ଯ୍ୟାଳୟକୁ ବନ୍ଦ କରାଯାଇଥିବା ବେଳେ ମାଷ୍ଟର କ୍ୟାଣ୍ଟିନ, ରାଜମହଲ, ରାମ ମନ୍ଦିର ଓ ରିଜର୍ଭ ବ୍ୟାଙ୍କ ଆଗରେ ବିକ୍ଷୋଭ କରାଯାଇଥିଲା । ଏଥିରେ ଇଷ୍ଟକୋଷ୍ଟ ସଫାଇ କର୍ମଚାରୀ ସଂଘର ସମ୍ପାଦକ ବିଜୟ ବେହେରା, ଶଙ୍କର ନାୟକ, ବନବିହାରୀ ଦାସ, ନିର୍ମାଣ ଶ୍ରମିକ ସଂଘର ନେତା ମାନସ ରଞ୍ଜନ ପ୍ରଧାନ, ଉପେନ୍ଦ୍ର ସାହୁ, ଏଆଇସିସିଟିୟୁର ଉପସଭାପତି ବଂଶୀଧର ପରିଡ଼ା, କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ସେଠୀ, ରାଜ୍ୟ ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡ଼ା, ସିପିଆଇ(ଏମ୍ଏଲ) ଲିବରେସନର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ । ମାଷ୍ଟର କ୍ୟାଣ୍ଟିନ ଛକରେ ଏଆଇସିସିଟିୟୁର ୫୦ରୁ ଉର୍ଦ୍ଧ୍ୱ କର୍ମୀଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ରାଜମହଲ ଛକରୁ ବିଧାନସଭା ଆଡ଼କୁ ମିଳିତ ଶ୍ରମିକ ସଂଗଠନମାନଙ୍କର ରାଲି ଶୋଭାଯାତ୍ରା ଆସୁଥିବା ବେଳେ ପିଏମ୍ଜି ଛକରେ ଏଆଇସିସିଟିୟୁର ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡ଼ା, ଶଙ୍କର ନାୟକ ଆଦି ୩୦ରୁ ଉର୍ଦ୍ଧ୍ୱ କର୍ମୀଙ୍କୁ ପୋଲିସ୍ ଗିରଫ କରିଥିଲା । ଏଆଇସିସିଟିୟୁର ରାଜ୍ୟ ସମ୍ପାଦକ ମହେନ୍ଦ୍ର ପରିଡ଼ା କହିଛନ୍ତି ଯେ, ଗିରଫଦାରୀ କରି ଏହି ଆନ୍ଦୋଳନକୁ ଦମନ କରାଯାଇପାରିବ ନାହିଁ । ଯେପର୍ଯ୍ୟନ୍ତ କେନ୍ଦ୍ର ସରକାର ଶ୍ରମ କୋଡ଼ ଓ କୃଷକ ବିରୋଧୀ ଆଇନ୍କୁ ପରିବର୍ତ୍ତନ କରିନାହାଁନ୍ତି, ସେପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ ଚାଲୁ ରହିବ ।