ଏଆରସିଏସଙ୍କୁ ଭେଟିଲେ ଚାଷୀନେତା
ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍) : ବଡ଼ମାଧପୁର ଗ୍ରାମର ପ୍ରାଥମିକ କୃଷି ସେବା ସମବାୟ ସମିତି ଦୀର୍ଘ ୨୦ ବର୍ଷ ହେଲା ଅଚଳ ହୋଇ ପଡ଼ିଥିବା ହେତୁ ସେହି ଅଂଚଳର ଚାଷୀମାନେ ବିଭିନ୍ନ ପ୍ରକାର ସରକାରୀ ସୁବିଧା ପାଇ ପାରୁନାହାନ୍ତି । ଯଥା କୃଷି ଋଣ, ବିହନ, ପିଡ଼ିଆ ସାର, ଧାନ କିଣା ପ୍ରଭୃତିର ବଂଚିତ ରହୁଛନ୍ତି । ଏନେଇ ଆଜି ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସିମାଂଚଳ ନାହାକଙ୍କ ନେତୃତ୍ୱରେ ବଡ଼ମାଧପୁର ସରପଂଚ ଶରତ ଖୁଂଟିଆ, ସମିତି ସଭ୍ୟ ଏନ୍. କ୍ରିଷ୍ଣା ରେଡ୍ଡି, ଯୁବ ନେତା ସପନ ନାହାକ, ଚାଷୀ ନେତା ଅବନୀ ମହାପାତ୍ର, ଯୁବ ସଂଗଠନ ଇଜୁ ଆମିନ୍ ଖାନ୍ ଓ ହରି ଚନ୍ଦନ ପରିଡ଼ା ପ୍ରମୁଖ ଆଜି ସ୍ଥାନୀୟ ଏଆରସିଏସ ଆର. ଚନ୍ଦ୍ରଶେଖର ରେଡ୍ଡିଙ୍କୁ ଭେଟି ବଡ଼ମାଧପୁର ଗ୍ରାମର ପ୍ରାଥମିକ କୃଷି ସମବାୟ ସମିତିକୁ ପୁନଃ କାର୍ଯ୍ୟକ୍ଷମ କରିବା ନିମନ୍ତେ ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ଏହା ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ଦାବି କରିଥିଲେ । ଅପର ପକ୍ଷରେ ଏଆରସିଏସ ଶ୍ରୀ ରେଡ୍ଡି କହିଥିଲେ ଯେ ଏହାକୁ ମୁଁ ସରକାରଙ୍କ ନିକଟକୁ ପଠାଇବି ବର୍ତମାନ ଗୋବା ସମବାୟ ସମିତି ଆନୁକୂଲ୍ୟରେ ଚାଷୀମାନେ ସଭ୍ୟ ହୋଇ ସବୁ ସୁବିଧା ପାଇପାରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସୂଚନାଯୋଗ୍ୟ ଯେ ବଡ଼ମାଧପୁର ଗ୍ରାମରେ ପ୍ରାଥମିକ କୃଷି ସମବାୟ ସମିତି ଅଚଳ ହୋଇପଡ଼ିଥିବାରୁ ପ୍ରାୟ ୨ହଜାରରୁ ଉଦ୍ଧ୍ୱର୍ ଚାଷୀ ପରିବାର ବିଭିନ୍ନ ସରକାରୀ ସହାୟତାରୁ ବଂଚିତ ରହିଥିବା ଜଣାପଡ଼ିଛି ।