‘ଏଏସଆଇ’ ପକ୍ଷରୁ ଲେଜର ପ୍ରୋକ୍ଟୋଲୋଜି ଅସ୍ତ୍ରପୋଚାର ସମ୍ପର୍କିତ କର୍ମଶାଳା

ବାଲେଶ୍ୱର, (ସରୋଜ ପଣ୍ଡା) :-‘ଭାରତୀୟ ଶଲ୍ୟ ଚିକିତ୍ସକ ସଂଘ’ (ଏଏସଆଇ) ଓଡ଼ିଶା ଶାଖା ପକ୍ଷରୁ ଲେଜର ପ୍ରୋକ୍ଟୋଲୋଜି ଅସ୍ତ୍ରପୋଚାର ସମ୍ପର୍କିତ କର୍ମଶାଳା ଫକୀର ମୋହନ ଭେଷଜ ମହାବିଦ୍ୟାଳୟ ଡାକ୍ତରଖାନାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ସଂଘର ରାଜ୍ୟ ଶାଖା ସାଂଗଠନିକ ଅଧ୍ୟକ୍ଷ ତଥା ଫକୀର ମୋହନ ମେଡିକାଲ କଲେଜ ହସପିଟାଲର ଶଲ୍ୟ ବିଭାଗ ମୁଖ୍ୟ ଡାକ୍ତର ସୁଶୀଲ ପଟ୍ଟନାୟକ ଓ ସାଂଗଠନିକ ସମ୍ପାଦକ ଡାକ୍ତର ସରୋଜ ରାଜଙ୍କ ଆବାହକତ୍ୱରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା । ଏହି କର୍ମଶାଳାକୁ ଭାରତୀୟ ଶଲ୍ୟ ଚିକିତ୍ସକ ସଂଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର ବନବିହାରୀ ମିଶ୍ର, ଓଡିଶା ଶାଖା ସଭାପତି ଡାକ୍ତର ପ୍ରତାପ ରଥ, ଉପ-ସଭାପତି ଡାକ୍ତର ଗୋପବନ୍ଧୁ ବଳ, ସମ୍ପାଦକ ଡାକ୍ତର ସୁଧାଂଶୁ ସୂତାର ଓ କୋଲକାତାର ବିଶଷ୍ଟ ଲେଜର ଅସ୍ତ୍ରପୋଚାର ବିଶେଷଜ୍ଞ ଡାକ୍ତର କଲ୍ୟାଣ କର ପ୍ରମୁଖ ମିଳିତ ଭାବେ ଉଦଘାଟନ କରିଥିଲେ । ଦେଶ ବିଦେଶରେ ଲେଜର ପ୍ରୋକ୍ଟୋଲୋଜି ପ୍ରଣାଳୀ ଅସ୍ତ୍ରପୋଚାର ବେଶ ଆଦୃତ ଲାଭ କରିଥିବା ବେଳେ ବାଲେଶ୍ୱରରେ ଡାକ୍ତରଙ୍କ ପାଇଁ ଏହି ଭଳି ଅସ୍ତ୍ରପୋଚାର ଏକ ନୂଆ ଅଭିଜ୍ଞତା ତଥା ଅନୁଭୁତି ଆଣିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଫକୀର ମୋହନ ମେଡିକାଲ କଲେଜ ହସପିଟାଲରେ ଏହି ପଦ୍ଧତି ପ୍ରଥମ ଥର ପାଇଁ ବ୍ୟବହାର ହେବାକୁ ଯାଉଥିବା ବେଳେ ଅଗାମୀ ଦିନରେ ବାଲେଶ୍ୱରବାସୀଙ୍କୁ ଅତ୍ୟାଧୁନିକ ଚିକିତ୍ସାସେବା ପ୍ରଦାନରେଏହା ସହାୟକ ହେବ ବୋଲି ଅତିଥିମାନେ ଆଶା ପ୍ରକାଶ କରିଥିଲେ । ମେଡିକାଲ କଲେଜର ଶଲ୍ୟ ବିଭାଗ ଆସୋସିଏଟ ପ୍ରଫେସର ଡାକ୍ତର ନିରଞ୍ଜନ ସାହୁ ଓ କୋଲକାତାର ଡାକ୍ତର କର ଲେଜର ପ୍ରୋକ୍ଟୋଲୋଜି ଅସ୍ତ୍ରପୋଚାରର ଉପାଦେୟତା ସମ୍ପର୍କରେ ସୂଚନା ଦେଇଥିଲେ । ବିଶେଷ କରି ଅର୍ଶ, ଭଗନ୍ଦର, ମଳକଣ୍ଟକ, ପାଇଲୋନିଡାଲ ପ୍ରଭୃତି ରୋଗୀଙ୍କୁ ଏହି ପ୍ରଣାଳୀରେ ସହଜ ଓ ସଫଳ ଅସ୍ତ୍ରୋପଚାର କରାଯାଇ ପାରିବ ବୋଲି ସେମାନେ କହିଥିଲେ । ଏଥିରେ ସ୍ୱଳ୍ପ ସମୟରେ ସୁରକ୍ଷିତ ଅସ୍ତ୍ରପୋଚାର ହେଉଥିବା ବେଳେ ମାତ୍ର କେଇ ଘଣ୍ଟା ମଧ୍ୟରେ ରୋଗୀଙ୍କୁ ଡିସଚାର୍ଜ କରାଯିବା ସହ ସେମାନେ ୩/୪ ଦିନ ମଧ୍ୟରେ ସେମାନେ ସ୍ୱାଭାବିକ ଜୀନଚର୍ଯ୍ୟାକୁ ଫେରି ପାରିବେ । ଏଥିରେ ରୋଗୀଙ୍କୁ ନଶ୍ଚେତକ ଦିଆଯାଏ ନାହିଁ କିମ୍ବା ଶରୀରରେ କୌଣସି ପ୍ରକାର କଟାକଟି ମଧ୍ୟ ହୁଏ ନାହିଁ । ରୋଗୀ ଖୁବ କମ ଦିନରେ ସୁସ୍ଥତା ଲାଭ କରନ୍ତି ଏବଂ ଏହିଭଳି ଅସ୍ତ୍ରପୋଚାରର ସଫଳତା ହାର ମଧ୍ୟ ଅଧିକ ବୋଲି ବିଶେଷଜ୍ଞ ଡାକ୍ତରମାନେ କହିଥିଲେ । ସଭାପରେ ହସପିଟାଲର ଅସ୍ତ୍ରପୋଚାର ଗୃହରେ ଡାକ୍ତର କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମଳଦ୍ୱାର ଜନିତ ରୋଗ ପୀଡିତ ୬ଜଣଙ୍କର ଲେଜର ଅସ୍ତ୍ରପୋଚାର କରାଯାଇଥିଲା । ଏହାର ସିଧା ପ୍ରସାରଣକୁ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶଲ୍ୟ ବିଭାଗ ଡାକ୍ତରମାନେ ଦେଖିବା ସହିତ ଏହି ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀ ସମ୍ପର୍କରେ ଜ୍ଞାନ ଆରୋହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ