ଏକକାଳୀନ ନିର୍ବାଚନ
କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏର ତୃତୀୟ ପାଳି ସରକାରର ପ୍ରମୁଖ୍ୟ ଏଜେଂଟା ଭାବେ ପରିଚିତ ଏକ ଦେଶ-ଏକ ନିର୍ବାଚନ (ଏକକ ନିର୍ବାଚନ) ବିଲ୍ ଲୋକସଭାରେ ବିରୋଧି ଦଳର ଦୃଢ ବିରୋଧ ମଧ୍ୟରେ ଆଗତ ହେବାର କିଛି ସମୟ ମଧ୍ୟରେ ବିଲକୁ ଯୁଗ୍ମ ସଂସଦୀୟ କମିଟି(ଜେପିସି) ତର୍ଜମା ପାଇଁ ପଠାଯିବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କୁହାଯାଇପାରିବ । ଏହି ବିଲରେ ଥିବା ବ୍ୟବସ୍ଥା ଅନୁଯାୟୀ ଲୋକସଭା ସହ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକରେ ଏକ ସମୟରେ ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି ଲୋକସଭା ଓ ବିଧାନସଭାଗୁଡିକ ପରେ ସ୍ୱାୟତ ଶାସନ ସଂସ୍ଥା ଓ ପଂଚାୟତରାଜ ନିର୍ବାଚନ ମଧ୍ୟ ଏକ ସମୟରେ ଅନୁଷ୍ଠିତ କରାଇବା ବ୍ୟବସ୍ଥା ରହିଛି । ତେବେ ଏହାକୁ ଆଇନରେ ପରିଣତ କରାଇବା ପାଇଁ କେନ୍ଦ୍ର ଆଇନ ମନ୍ତ୍ରୀ ସମ୍ବିଧାନ (୧୨୯ତମ ସଂଶୋଧନ) ବିଲ ଏବଂ କେନ୍ଦ୍ରଶାସିତ ଅଂଚଳ(ସଂଶୋଧନ) ବିଲ୍ ଆଗତ କରିଛନ୍ତି ଏହି ବିଲରେ କେନ୍ଦ୍ରଶାସିତ ଅଂଚଳ ଦିଲ୍ଲୀ, ପୁଡୁଚେରୀ ଏବଂ ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ଏକ ସମୟରେ କରିବା ଲାଗି ବ୍ୟବସ୍ଥା ରହିଛି । ଏହା ନିସନ୍ଦେହ ଯେ, ଏହି ପ୍ରସଙ୍ଗ ଏକ ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଏହାର ଉପକାରିତା ଏବଂ ଅପକାରିତା ନେଇ ପାର୍ଲିଆମେଂଟ ଭିତରେ ଏବଂ ବାହାରେ ବ୍ୟାପକ ବିର୍ତକର ଆବଶ୍ୟକତା ରହିଛି । ବିଲ୍ ସପକ୍ଷରେ ବିଜେପି ଏବଂ ଏହାର ସହଯୋଗୀ ଦଳଗୁଡିକ ଦାବି କରନ୍ତି ଯେ, ଏହା କେବଳ ସମୟ ଓ ମାନବ ସମ୍ବଳ ସଂଚୟ କରିବ ନାହିଁ, ଦେଶରେ ବାରମ୍ବାର ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି ଲାଗୁ ଯୋଗୁଁ ଉନ୍ନୟନ କାର୍ଯ୍ୟ ବ୍ୟାହତକୁ ରୋକାଯାଇପାରିବ । ସେହିପରି କଂଗ୍ରେସ ସମେତ ବହୁ ବିରୋଧି ଦଳ ଏହି ପଦକ୍ଷେପ ଦ୍ୱାରା ଦେଶର ସଂଘୀୟ ବ୍ୟବସ୍ଥା ପ୍ରତି ଧମକ ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ କରନ୍ତି । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ର ପ୍ରସଙ୍ଗ ହେଉଛି ଏକ ସମୟରେ ନିର୍ବାଚନ ହେଲେ, ଭୋଟଦାତା ଗୋଟିଏ ଦଳ ସପକ୍ଷରେ ଭୋଟ ଦେବା ସମ୍ଭାବନା ରହିଛି । ଏଭଳି ଆଶଙ୍କାକୁ ଅଣଦେଖା କରାଯାଇନପାରେ । ଉଲ୍ଲେଖଯୋଗ୍ୟ ଯେ, ଆମ ଦେଶରେ ଏକ ସମୟରେ ଲୋକସଭା ସହ ବିଧାନସଭା ନିର୍ବାଚନ ନୂଆ ନୁହେଁ । ଦେଶ ସ୍ୱାଧୀନ ହେବା ପରେ ୧୯୫୧ ମସିହାରୁ ୧୯୬୭ ମସିହା ପର୍ଯ୍ୟନ୍ତ ଦେଶରେ ଏକକାଳୀନ ନିର୍ବାଚନ ହେଉଥିଲା । କେତେକ ରାଜ୍ୟରେ ପାଂଚ ବର୍ଷିଆ କାର୍ଯ୍ୟକାଳ ପୁରିବା ପୂର୍ବରୁ କିମ୍ବା ସମ୍ବିଧାନର ୩୫୬ ଧାରା ପ୍ରୟୋଗ ଯୋଗୁଁ ସରକାରର ପତନ ଯୋଗୁଁ ସାମ୍ବିଧାନିକ ନିର୍ଦ୍ଦେଶ ଅନୁଯାୟୀ ୬ମାସ ମଧ୍ୟରେ ନିର୍ବାଚନ ବାଧ୍ୟତାମୂଳକ ଥିବା କାରଣରୁ ଏକ ସମୟରେ ନିର୍ବାଚନ ୬ମାସ ମଧ୍ୟରେ ନିର୍ବାଚନ ବାଧ୍ୟତାମୂଳକ ଥିବା କାରଣରୁ ଏକ ସମୟରେ ନିର୍ବାଚନ ପ୍ରକ୍ରୀୟା ବ୍ୟାହତ ହୋଇଥିଲା । ସେହିପରି କେନ୍ଦ୍ରରେ କୌଣସି ଦଳ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ ନକରିପାରିବା ଏବଂ ମିଳିତ ସରକାରର ପତନ ଯୋଗୁଁ ସାନି ନିର୍ବାଚନ କରାଇବାକୁ ପଡିଥିଲା । ଉଲ୍ଲେଖଯୋଗ୍ୟ ଯେ, ରାଜନୈତିକ ହଟ୍ଟଚମଟ ଯୋଗୁଁ ସତୁରୀ ଦଶକରୁ ଅଶୀ ଦଶକ ପର୍ଯ୍ୟନ୍ତ କେନ୍ଦ୍ର ସରକାରରେ କ୍ଷଣ ସ୍ଥାୟିତ୍ୱ ଯୋଗୁଁ ରାଜନୈତିକ ଅସ୍ଥରତା ଲାଗି ରହିଥିଲା । ଶେଷ ଥର ପାଇଁ ଅଶୀ ଦଶକରୁ ୯୦ ଦଶକ ପର୍ଯ୍ୟନ୍ତ କେନ୍ଦ୍ରରେ ଗୋଟିଏ ଦଳ ପୂର୍ଣ୍ଣ ସଂଖ୍ୟାଗରିତା ହାସଲ କରି କାର୍ଯ୍ୟକାଳ ପୁରଣ କରିଥିବାବେଳେ ନବେ ଦଶକରୁ ୨୦୧୪ ପର୍ଯ୍ୟନ୍ତ ମେଂଟ ସରକାର ଯୋଗୁଁ ସରକାରର ସ୍ଥାୟିତ୍ୱରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ୨୦୧୪ ଠାରୁ ୨୦୨୪ ପର୍ଯ୍ୟନ୍ତ ବିଜେପି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିଥିବାବେଳେ ୨୦୨୪ ନିର୍ବାଚନ କୌଣସି ଦଳ ମ୍ୟାଜି ଅଙ୍କ ଛୁଇଁ ପାରିନାହିଁ ପୁଣି ଥରେ ଦେଶରେ ମେଂଟ ସରକାର କ୍ଷମତାସୀନ ରହିଛି । ଦେଶରେ ଏକକ ନିର୍ବାଚନ ହେଲେ, ଯଦି କୌଣସି ଦଳ ସଂଖ୍ୟା ଗରିଷ୍ଠତା ହାସଲ ନକରନ୍ତି, କିମ୍ବା ମିଳିତ ସରକାର ସମ୍ଭବ ନହୁଏ, ତେବେ ପୁଣି କ’ଣ ସାନି ନିର୍ବାଚନ ହେବ, ଏହା ହିଁ ପ୍ରଶ୍ନବାଚୀ ସୃଷ୍ଟି କରିବା ସ୍ୱାଭାବିକ । ଅନୁଷ୍ଠିତ ହୋଇଥିବା ଜାମ୍ମୁ-କାଶ୍ମୀର, ହରିଆନା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଏକ ସମୟରେ ହେବ ନେଇ ଆଶା କରାଯାଉଥିଲା । ମାତ୍ର ସୁରକ୍ଷା ବ୍ୟବସ୍ଥା ଓ ମାନବ ସମ୍ବଳ ନେଇ ଭାରତର ନିର୍ବାଚନ କମିଶନ ଜାମ୍ମୁ-କାଶ୍ମୀର ଓ ହରିଆନା ବିଧାନସଭା ନିର୍ବାଚନ ଏକ ସମୟରେ ହୋଇଥିଲା, ମହାରାଷ୍ଟ୍ର ନିର୍ବାଚନ ପୃଥକ ଭାବେ ହୋଇଥିଲା । ମାତ୍ର ୩ଟି ବିଧାନସଭାର ନିର୍ବାଚନ ଏକ ସମୟରେ କରିବାକୁ ନିର୍ବାଚନ କମିଶନ ଅସମର୍ଥ ଥିବାବେଳେ ୫୪୩ ଲୋକସଭା ଆସନ ସହ ୩୦ଟି ରାଜ୍ୟ ଓ ୩ଟି କେନ୍ଦ୍ରଶାସିତ ଅଂଚଳରେ ବିଧାନସଭା ନିର୍ବାଚନ ଏକକାଳୀନ କରାଇବା ପ୍ରଶ୍ନବାଚୀ ସୃଷ୍ଟି କରିବା ସ୍ୱାଭାବିକ । ଏକ ଦେଶ ଏକ ନିର୍ବାଚନ ବିଲ୍ ଯୁଗ୍ମ ସଂସଦୀୟ କମିଟିକୁ ପଠାଯାଇଥିବାବେଳେ ଚଳିତ ଅଧିବେଶନରେ ଏହା ପାର୍ଲିଆମେଂଟର ଅନୁମୋଦନ ଲାଭ କରିପାରିବ ନାହିଁ । ଆଗାମୀ ଅଧିବେଶନରେ ଯଦି ବିଲଟି ଗୃହୀତ ହୁଏ ତେବେ ଆଗାମୀ ଏକ ଦଶନ୍ଧି ପର୍ଯ୍ରନ୍ତ ଏହା ଦେଶର ଲାଗୁ ହେବା ସମ୍ଭାବନା କ୍ଷୀଣ । ୨୦୩୪ ସାଧାରଣ ନିର୍ବାଚନରେ ଲାଗୁ ହେବା ସମ୍ଭାବନା ରହିଥିବା କୁହାଯାଏ । ଏହା ନିସନ୍ଦେହ ଯେ, ଦେଶରେ ନିର୍ବାଚନ ଏବେ ବ୍ୟୟ ବହୁଳ ହୋଇପଡିଛି । ଗତ ୨୦୨୪ ସାଧାରଣ ନିର୍ବାଚନରେ ଦେଢଲକ୍ଷ କୋଟିରୁ ଅଧିକ ବ୍ୟୟ ହୋଇଥିବା କୁହାଯାଏ । ଏକକ ନିର୍ବାଚନରେ ଅର୍ଥ, ସମୟ ଏବଂ ମାନବ ସମ୍ବଳ ସଂଚୟ ହୋଇପାରିବ ସତ । କିନ୍ତୁ କୌଣସି ଦଳ ସରକାର ଗଢିବାରେ ସମର୍ଥ ନହେଲେ କିମ୍ବା ଅଧାରୁ ସରକାର ଭାଙ୍ଗି କଲେ କ’ଣ ହେବ? ଏବେ ବିଲ୍ଟି ଜେପିସି ନିଲ୍ଟରେ । ଏହା ଉପରେ ସର୍ବସମ୍ମତ ନିଷ୍ପତି ପାଇଁ ଉଦ୍ୟମ ସହ ସଂସଦ ଭିତରେ, ବାହାରେ ବ୍ୟାପକ ବିତର୍କ ଜରୁରୀ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା)
ସମ୍ମାନ ଭବନ