ଏକତରଫା ପ୍ରେମର କରୁଣ ପରିଣତି ଅଶ୍ଳୀଳ ଫଟୋ ଭାଇରାଲ କରି ଜେଲ ଗଲେ ଯୁବକ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ଥାନା ଅଂଚଳରେ ଜଣେ ଯୁବକ ଏକତରଫା ପ୍ରେମ କରି ଜେଲ ଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ବାଲିପୋଖରୀ ଅଞ୍ଚଳର ଜଣେ ଯୁବକ ପଡୋଶୀ ଗ୍ରାମର ଜଣେ ନାବାଳିକା ଯୁବତୀକୁ ପ୍ରେମ ନିବେଦନ କରିଥିଲେ। ଯୁବତୀ ଜଣକ ଯାଜପୁର ସହରର ଏକ କଲେଜରେ ଅଧ୍ୟୟନ କରୁଥିବାବେଳେ ଯୁବକ ଜଣକ ତାଙ୍କ ସହିତ ସମ୍ପର୍କରେ ଯୋଡି ହୋଇ ପ୍ରେମ ନିବେଦନ କରିଥିଲେ। ଏପରିକି ତାଙ୍କୁ ବାହା ହେବା ପାଇଁ ଜିଦ ଧରି ବିଭିନ୍ନ ଧମକ ଚମକ ଦେଇଥିଲେ। ଏଥିରେ ଯୁବତୀ ଜଣକ ରାଜି ନହେବାରୁ ପ୍ରେମିକ ପ୍ରବର ଉତକ୍ଷିପ୍ତ ହୋଇ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ନାବାଳିକାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓ ଭାଇରାଲ କରିଥିଲେ। ଯୁବତୀଙ୍କ ମାଆ ବାପାଙ୍କୁ ମଧ୍ୟ ଯୁବକ ଜଣକ ହତ୍ୟା ଧମକ ଦେଇଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି। ସମସ୍ତ ଘଟଣାକ୍ରମକୁ ନେଇ ପୁଲିସ ନିକଟରେ ଲିଖିତ ଭାବେ ଅଭିଯୋଗ ହେବାପରେ ଅଭିଯୁକ୍ତ ଯୁବକକୁ ଥାନା ପକ୍ଷରୁ ଗିରଫ କରାଯାଇଛି। ଆଜି ଅଭିଯୁକ୍ତ ଯୁବକର ଡ଼ାକ୍ତରୀମାଇନା ହୋଇଥିବା ବେଳେ ତାକୁ କୋର୍ଟ ଚାଲାଣ କରାଯାଇ ୨୮୫/୨୧ରେ ପୁଲିସ ଏକ ମାମଲା ରୁଜ୍ଜୁ କରିଛି।


