ଏକତ୍ରିତ ହୋଇ କଲେଜର ଉନ୍ନତି ଚିନ୍ତା କରିବା:ମନ୍ତ୍ରୀ ଗୋକୁଳାନନ୍ଦ
ବୁଗୁଡା,(ୱାଏନଏସ): ସ୍ଥାନୀୟ ପିପୁଲ୍ସ କଲେଜ ପକ୍ଷରୁ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଲେଜ ପରିସରରେ ଏନସିସି ଛାତ୍ରଛାତ୍ରୀଙ୍କ ଦ୍ଵାରା ମନ୍ତ୍ରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ ସହ ସମ୍ମିଳନୀ କକ୍ଷକୁ ପାଛୋଟି ନିଆଯାଇଥିଲା। ସେଠାରେ କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ଯରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସମେତ ପରିଚାଳନା ସମିତି ସଭାପତି ରଜନୀକାନ୍ତ ଭଟ୍ଟ, ଆଇକ୍ୟୁଏସି ସଂଯୋଜକ ଅଧ୍ୟାପକ ଅକ୍ଷୟ କୁମାର ସାହୁ,କଲେଜର ପ୍ରତିଷ୍ଠାତା ସଦସ୍ୟ ରାମନାରାୟଣ ସାହୁ ଓ ଘୁମୁସର ସାଂଗଠନିକ ଜିଲ୍ଲା ବିଜେପି ଉପସଭାପତି ପ୍ରଭାକର ପଣ୍ଡା ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏ ଅବସରରେ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ ପୂର୍ବକ ମନ୍ତ୍ରୀଙ୍କୁ ଭବ୍ଯ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ଏବଂ ମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ କଲେଜର ଉତ୍ତରୋତ୍ତର ଉନ୍ନତି କାମନା କରି ସେ ଆଜି ଏହି କଲେଜକୁ ଆସି ଛାତ୍ରଛାତ୍ରୀଙ୍କ ଉତ୍ସାହ ଓ ଉଦ୍ଦୀପନାକୁ ଦେଖି ମୋ ଛାତ୍ର ଜୀବନ କଥା ମନେ ପଡୁଛି। ଆଗାମୀ ଦିନରେ ଏହି କଲେଜର ସମସ୍ତ ସମସ୍ୟାକୁ ଗୁରୁତ୍ବର ସହ ନେଇ ତାର ସମାଧାନ ପାଇଁ ଚେଷ୍ଟା କରିବି। ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମଧ୍ୟରେ ଗୁରୁ ଶିଷ୍ୟ ପରମ୍ପରା ବଜାୟ ରହିଲେ ନିଶ୍ଚିତ ଭାବରେ ଏହି ମହାବିଦ୍ୟାଳୟ ରାଜ୍ୟରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବ। ଏବଂ ନିଜକୁ ଜନ୍ମ ଦେଇଥିବା ମା’ ଓ ବାପାଙ୍କୁ କେବେବି କଷ୍ଟ ଦିଆନ୍ତୁ ନାହିଁ ବୋଲି କହି ଭାବ ବିଭୋର ହୋଇ ଥିଲେ ମନ୍ତ୍ରୀ।ଏହି ମହାବିଦ୍ୟାଳୟ ଇତିହାସ ଯଦି ମନେ ପକାଇବି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନୀଳମଣି ରାଉତରାୟ, ଜଗନ୍ନାଥ ପ୍ରସାଦର ପୂର୍ବତନ ବିଧାୟକ ଉଦୟ ନାଥ ନାୟକ ଏବଂ ସର୍ବୋପରି ମୁଖ୍ୟ କର୍ଣ୍ଣଧାର ସମାଜସେବୀ କାଳୁ ଚରଣ ନାୟକଙ୍କ ଅବଦାନ ଅତୁଳନୀୟ। ଆସନ୍ତୁ ସମସ୍ତେ ଏକତ୍ରିତ ହୋଇ କଲେଜର ବିକାଶ ପାଇଁ କାର୍ଯ୍ୟ କରିବା ଓ ନୂତନ ପରିଚୟ ସୃଷ୍ଟି କରିବା ପାଇଁ ମନ୍ତ୍ରୀ ଶ୍ରୀ ମଳିକ ନିବେଦନ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଧ୍ୟାପକ ପ୍ରଦୀପ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥି ସହ ମନ୍ତ୍ରୀଙ୍କ ଦ୍ଵାରା ରୁସା ଅନୁଦାନରେ ପୁନରୁଦ୍ଧାର ଏକାଡେମିକ୍ ବ୍ଲକ ଉଦଘାଟିତ ହୋଇଥିଲା ଏବଂ କଲେଜ କର୍ତ୍ତୃପକ୍ଷ ବିଭିନ୍ନ ସମସ୍ୟା ସମ୍ପର୍କରେ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।