ଏକମାସ ଧରି ନିଖୋଜ ଭିକି ମହାନ୍ତିଙ୍କ ମୃତଦେହ ପୋଲିସ ଦ୍ବାରା ଉଦ୍ଧାର
ଘଟଣାର ପର୍ଦ୍ଦାଫାଶ ନେଇ ଏସଡିପିଓଙ୍କ ସାମ୍ବାଦିକ ସମ୍ମିଳନୀ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ): ରାଇରଙ୍ଗପୁର ପୌରାଞ୍ଚଳର ୭ ନମ୍ବର ଓ୍ବାର୍ଡର ଡମ୍ବରୁଧର ମହାନ୍ତି ( ଭିକି) ବୟସ (୩୫ )ଗତ ମାର୍ଚ୍ଚ ମାସ ୨୦ ତାରିଖରେ ଘରୁ ବାହାରି ଆଉ ଫେରି ନ ଥିଲେ ।ଦିର୍ଘ ଦିନ ହେଲା ଘରକୁ ନ ଫେରିବା ଘର ଲୋକଙ୍କ ଫୋନ ନ ଉଠାଇବା,ଫୋନ ସୁଇଚ ଅଫ୍ ହେବା ନେଇ ପରିବାର ଲୋକେ ଚିନ୍ତିତ ଥିଲେ ।ପରେ ଭିକିର ପତ୍ନୀ ଇନୁଶ୍ରୀ ମହାନ୍ତି ସ୍ୱାମୀର ଲାପତା ନେଇ ଥାନାରେ ଏପ୍ରିଲ ୧୩ ତାରିଖ ଦିନ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ ଜିଲ୍ଲା ଆରକ୍ଷୀଙ୍କ ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ ଏବଂ ଟାଉନଥାନା ଆଇଆଇସି ସ୍ବର୍ଣଲତା ମିଂଜ ଏବଂ ଆଠ ଜଣିଆ ପୋଲିସ ବାହିନୀ ଘଟଣାକୁ ଅତି ଗୁରୁତର ସହ ନେଇ ଛାନଭିନ ଆରମ୍ଭ କରିଥିଲେ ।ଭିକିର ଫୋନକୁ ଟ୍ରାକିଂ କରି ରାଇରଙ୍ଗପୁର ପୋଲିସ ଏବଂ ଯାମସେଦପୁର ସୋନାରି ପୋଲିସ ସୋନାରି ଅଂଚଳର ଜନୈକ ମହିଳା ଖୁସୁବୁ ସାଗର ଘରେ ପହଞ୍ଚି ଥିଲା । ସେଠାରେ ଖୁସୁବୁ ଏବଂ ତାଙ୍କର ସ୍ବାମୀ କମଳାକାନ୍ତ ସାଗରକୁ ଅଟକ ରଖି ମାରାଥନ ଜେରାରେ ଦମ୍ପତି ଦ୍ବୟ ସତ ଓଗାଳି ଥିଲେ । ସେମାନେ ମାର୍ଚ୍ଚ ୨୧ ତାରିଖ ଦିନ ଭିକିକୁ ତାଙ୍କ ବାସ ଭବନରେ ମୃଦୁ ପାନୀୟରେ ନିଶା ଔଷଧ ଦେଇ ଚେତାଶୂନ୍ଯ କରାଇ ଛୁରୀରେ ହତ୍ୟା କରିବା ସହ ମୁଣ୍ଡ ,ଗଣ୍ଠି,ହାତଗୋଡକୁ ଧାରୁଆ ଅସ୍ତ୍ରରେ ଖଣ୍ଡ ବିଖଣ୍ଡିତ କରିଥିଲେ ।ପରେ ପୋଲିଥିନ ରେ ପୁରାଇ ନାଲିଆ ଟ୍ରଲି ବେଗ ସମେତ ୪ ଟି ଟ୍ରଲି ବେଗରେ ଖଣ୍ଡ ବିଖଣ୍ଡିତ ଶରୀରକୁ ଭର୍ତ୍ତି କରିଥିଲେ ।ପରେ ମାର୍ଚ୍ଚ ୨୨/୨୩ ତାରିଖରେ ବାଇକ୍ ସାହାଯ୍ୟରେ ଯାମସେଦପୁରର ପୂର୍ବ ସିଂହଭୂମ ଜିଲ୍ଲାର ବଡାମ ଥାନା ଅନ୍ତର୍ଗତ ଥନ ଥନ ଘାଟି,,ଜାମବଣି,କମଲପୁର ଅଂଚଳରେ,ରାଞ୍ଚି ରୋଡରେ ନିଛାଟିଆ ସ୍ଥାନରେ ଫୋପାଡି ଥିବା ସ୍ବିକାର କରିଥିଲେ ।ପରେ ରାଇରଙ୍ଗପୁର ପୋଲିସ,ସାଇଣ୍ଟିଫିକ ଟିମ୍,ସୋନାରି ପୋଲିସ ଉଭୟ ଦମ୍ପତି କୁ ସାଙ୍ଗରେ ନେଇ ଉକ୍ତ ଟ୍ରଲି ବେଗକୁ ଉଦ୍ଧାର କରି ଭିକିର ଖଣ୍ଡବିଖଣ୍ଡିତ ଶରୀରକୁ ଚିହ୍ନଟ ସହ ଉଦ୍ଧାର କରିଥିଲେ । ମୃତ ଶରୀରକୁ ବାରିପଦାର ପି ଆର ଏମ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି । ଘଟଣାକୁ ନେଇ ରାଇରଙ୍ଗପୁର ଟାଉନଥାନାରେ ଏସଡିପିଓ ଶ୍ରୀ ଗୋକୁଳାନନ୍ଦ ସାହୁ ଘଟଣାର ସବିଶେଷ ମଙ୍ଗଳବାର ଦିନ ପୂର୍ବାହ୍ନ ୧୧.୪୫ ରେ ଏକ ଖବଵରଦାତା ସମ୍ମିଳନୀରେ ସୂଚନା ଦେଇଥିଲେ । ସେ ସୂଚନା ଦେଇଥିଲେ ଯେ ଖୁସୁବୁ ସହ ଭିକିର ଅନୈତିକ ସଂପର୍କ ଦିର୍ଘ ବର୍ଷେ ହେଲା ଥିଲା । ଏବଂ ଭିକି ତାକୁ ସବୁବେଳେ ବ୍ଳାକମେଲିଂ କରିବା ସହ ଅନୈତିକ କାମ ପାଇଁ ବାଧ୍ୟ କରୁଥିଲା ।ଖୁସୁବୁ ଏଥିରେ ସହମତି ନହେବାରୁ ଧିରେ ଧିରେ ମନୋମାଳିନ୍ଯ ଘଟୁଥିଲା । ଏହାକୁ ନେଇ ଅତିଷ୍ଠ ହୋଇ ଖୁସୁବୁ ସ୍ବାମୀ କମଳାକାନ୍ତକୁ ଘଟଣା ବିଷୟରେ ଅବଗତ କଲାରୁ ଉଭୟ ଭିକିକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ଚକ୍ରବ୍ୟୁହ ରଚନା କରିଥିଲେ । କମଳାକାନ୍ତ ଖୁସୁବୁ ମାଧ୍ୟମରେ ମାର୍ଚ୍ଚ ୨୦ ରେ ଭିକିକୁ କୌଶଳକ୍ରମେ ଯାମସେଦପୁରକୁ ଡାକି ନେଇ ନିଜ ଘର ମଧ୍ୟରେ ମାର୍ଚ୍ଚ ୨୧ ତାରିଖ ଦିନ ଏଭଳି ନୃଶଂସ ହତ୍ୟାକାଣ୍ଡ ଭିଆଇଥିଲେ ବୋଲି ପୋଲିସ ଆଗରେ ଦୁଇ ଅଭିଯୁକ୍ତ କହିଥିଲେ । ପୋଲିସ ଉଭୟଙ୍କୁ କୋର୍ଟ ଚାଲାଣ କରିବା ସହ ମାମଲା କେଶ ନମ୍ବର ୧୩୧/୨୩ ରୁଜୁ କରି ଘଟଣାର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି । କେଉଁ କାରଣରୁ ଭିକିର ହତ୍ୟା ହେଲା ଏବଂ ଏଥିରେ ଆଉ କେହି ସଂପୃକ୍ତି ଅଛନ୍ତି କି ତାହାକୁ ନେଇ ସାରା ରାଇରଙ୍ଗପୁର ସହରର ଖଟି ଖଟିରେ ଚର୍ଚ୍ଚାର ବିଷୟ ପାଲଟିଛି !ଭିକିର ହତ୍ୟାକାଣ୍ଡ ନେଇ ଅସାମାଜିକ ଯୁବକଙ୍କ ମଧ୍ୟରେ ଭୟର ଆତଙ୍କ ଖେଳିଯାଇଛି !ଖୁବ୍ କମ୍ ସମୟ ମଧ୍ୟରେ ରାଇରଙ୍ଗପୁର ପୋଲିସର ଏକ ଚାଞ୍ଚଲ୍ୟକର ବିଶାଳ ଅପରାଧିକ ହତ୍ୟାକାଣ୍ଡ ଘଟଣାର ସଫଳତା ଓ ପର୍ଦାଫାଶ କୁ ସାଧାରଣରେ ପ୍ରଶଂସା କରାଯାଇଛି ।